ନୂଆଦିଲ୍ଲୀ-; ଯଦି ଆପଣଙ୍କ ମୋବାଇଲରେ ଇଣ୍ଟରନେଟ୍ ନଥିବ କିମ୍ବା ଡାଟା ପ୍ୟାକ୍ ସରିଯାଇଥିବ… ଏମିତି ସମୟରେ ବି ଆପଣ ଫୋନରେ ଲାଇଭ୍ ଟିଭି, ନ୍ୟୁଜ୍ କିମ୍ବା ସ୍ପୋର୍ଟ୍ସ ଦେଖିପାରିବେ ? ଆପଣଙ୍କୁ ଏହି କଥା ଟିକେ ଆଶ୍ଚର୍ଯ୍ୟ ଲାଗିପରେ ? ଆପଣ ଭାବି ପାରନ୍ତି ବିନା ଇଣ୍ଟରନେଟରେ କେମିତି ଏହା ସମ୍ଭବ ? ଭାରତରେ ଏଭଳି ଏକ ଟେକ୍ନୋଲୋଜିକୁ କମର୍ଶିଆଲ୍ ଭାବେ ଆଣିବା ପାଇଁ ପ୍ରସ୍ତୁତି ଜୋର ଦାର ଚାଲିଛି। ଆଉ ଏହି ଟେକ୍ନୋଲୋଜିର ନାଁ ରହିଛି Direct-to-Mobile, ଅର୍ଥାତ୍ D2M।

ଯଦି ବିନା ଇଣ୍ଟରନେଟ ଓ ଡାଟାରେ ମୋବାଇଲ୍ରେ ସବୁକିଛି ଦେଖି ହେବ ତାହାଲେ ମହଙ୍ଗା ଡ଼ାଟା ପ୍ୟାକ୍ ପକାଇ ଲାଭ କଣ ? ହୁଏତ ଆଗକୁ ଏ ଦିଗରେ ବଡ଼ ପରିବର୍ତ୍ତନ ହୋଇପାରେ। ଯାହା ଟେଲିକମ ବ୍ୟବସାୟୀଙ୍କ ପାଇଁ ବଡ଼ ଚିନ୍ତାର କାରଣ। ଏଥିପାଇଁ ସେମାନେ ମଧ୍ୟ ପ୍ରଶ୍ନ ଉଠାଇଲେଣି ।

D2M ହେଉଛି ଏଭଳି ଏକ ବ୍ରଡକାଷ୍ଟିଂ ଟେକ୍ନୋଲୋଜି, ଯେଉଁଥିରେ ମୋବାଇଲ୍ ଫୋନରେ କଣ୍ଟେଣ୍ଟ ପହଞ୍ଚାଇବା ପାଇଁ କୌଣସି ସେଲ୍ୟୁଲାର୍ ନେଟୱାର୍କ (ଯଥା, କଲ୍ କିମ୍ବା ଇଣ୍ଟରନେଟ୍ ସଂଯୋଗର ଆବଶ୍ୟକତା ନାହିଁ। ଏହା କିଛି ମାତ୍ରାରେ FM ରେଡିଓ ଟେକ୍ନୋଲୋଜୀ ଭଳି କାମ କରେ। ଡିଭାଇସ୍ରେ ଥିବା ରିସିଭର ରେଡିଓ ଫ୍ରିକ୍ୱେନ୍ସି ଦ୍ୱାରା ସିଗନାଲ ଧରିଥାଏ। ଯାହା ମାଧ୍ୟମରେ ଡିଭାଇସ୍କୁ କଣ୍ଟେଣ୍ଟ ପଠା ଯାଇପାରିବ। ଅର୍ଥାତ୍, ଟିଭି ଚ୍ୟାନେଲ୍ କିମ୍ବା ମଲ୍ଟିମିଡିଆ କଣ୍ଟେଣ୍ଟ ଦେଖିବା ପାଇଁ ସବୁବେଳେ ମୋବାଇଲ୍ ଡାଟା କିମ୍ବା ସେଲୁଲାର୍ ଇଣ୍ଟରନେଟ୍ ଉପରେ ନିର୍ଭର D2M କମର୍ସିଆଲ୍ ଭାବେ ଆରମ୍ଭ ହେଲେ ସ୍ମାର୍ଟଫୋନ୍ରେ ଲାଇଭ୍ ଟିଭି, ନ୍ୟୁଜ୍, ସ୍ପୋର୍ଟ୍ସ ଏବଂ ଅନ୍ୟାନ୍ୟ ମଲ୍ଟିମିଡିଆ କଣ୍ଟେଣ୍ଟ ପହଞ୍ଚାଇବାର ସୁଯୋଗ ରହିବ। ଏହାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି କଣ୍ଟେଣ୍ଟ ଦେଖିବା ସମୟରେ ମୋବାଇଲ୍ ଡାଟା ଖର୍ଚ୍ଚ ହେବ ନାହିଁ। ଫଳରେ ଗ୍ରାହକଙ୍କ ଡାଟା ପ୍ଲାନ୍ର ଖର୍ଚ୍ଚ ବଞ୍ଚିପାରେ। ସେହିପରି, ଲକ୍ଷ ଲକ୍ଷ ଲୋକ ଏକାସାଙ୍ଗରେ ଭିଡିଓ ଦେଖିଲେ ଟେଲିକମ୍ ଡାଟା ନେଟୱର୍କ ଉପରେ ଯେଉଁ ଚାପ ପଡ଼େ, D2M ତାହାକୁ ମଧ୍ୟ କମାଇବାରେ ସହାୟକ ହୋଇପାରେ।ତେବେ ସବୁଠାରୁ ବଡ଼ କଥା ହେଲା ଭାରତର ଉପାନ୍ତ ଅଞ୍ଚଳ ଯେଉଁଠାରେ ନେଟୱର୍କ ଓ ଇଣ୍ଟରନେଟ୍ ସେବା ଦୁର୍ବଳ ରହିଥାଏ ସେହିସବୁ ସ୍ଥାନଗୁଡ଼ିକ ଉପରେ ଏହା ବରଦାନ ସଦୃଶ୍ୟ ହେବ। ଗ୍ରାମାଞ୍ଚଳ ପାଇଁ ବଡ଼ ସୁଯୋଗ ଆଣିଦେବ।ବିଶେଷ କରି ନ୍ୟୁଜ୍, ଶିକ୍ଷା, ସରକାରୀ ସୂଚନା ଓ ସାର୍ବଜନୀନ ସଚେତନତା କାର୍ଯ୍ୟକ୍ରମକୁ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ପହଞ୍ଚାଇବାରେ ଏହି ଟେକ୍ନୋଲୋଜିର ଭୂମିକା ରହିପାରେ। ଏଥିସହିତ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ଜରୁରୀ ପରିସ୍ଥିତିରେ ଇମର୍ଜେନ୍ସି ଆଲର୍ଟ ଓ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସୂଚନା ମଧ୍ୟ D2M ଟେକ୍ନୋଲୋଜି ମାଧ୍ୟମରେ ପହଞ୍ଚା ଯାଇପାରେ।ସରଳ ଭାଷାରେ କହିବାକୁ ଗଲେ ଯେମିତି ରେଡିଓ ଆମ ପାଇଁ ଏକ ଶ୍ରାବ୍ୟ ମାଧ୍ୟମ ଥିଲା। ବେତାର ସିଗ୍ନାଲ ମାଧ୍ୟମରେ ଆମେ ସମସ୍ତ ପ୍ରକାର ପ୍ରୋଗ୍ରାମ ଓ ସତର୍କ ସୂଚନା କେବଳ ଶୁଣିପାରୁଥିଲୁ.. ହେଲେ D2M ମାଧ୍ୟମରେ ଆମେ ଟିଭି ଭଳି ସବୁ ମୋବାଇଲ୍ରେ ଦେଖିପାରିବୁ। ଏଥିପାଇଁ ନା ଇଣ୍ଟରନେଟ୍ର ଆବଶ୍ୟକତା ଅଛି ନା ଡାଟା ପ୍ୟାକ୍ର।ଗତ କିଛି ବର୍ଷ ଧରି D2M ଟେକ୍ନୋଲୋଜୀ ପାଇଁ ପରୀକ୍ଷଣ ପ୍ରକ୍ରିୟା ଚାଲିଛି। ପ୍ରସାର ଭାରତୀ, IIT କାନପୁର ଏବଂ ତେଜସ୍ ନେଟୱାର୍କର ଅଂଶ ସାଂଖ୍ୟ ଲ୍ୟାବ୍ ମିଶି ୧୯ ରୁ ଅଧିକ ସହରରେ ପରୀକ୍ଷଣ କରିସାରିଛନ୍ତି। ଦିଲ୍ଲୀ ଓ ବେଙ୍ଗାଲୁରୁରେ ପ୍ରୁଫ୍-ଅଫ୍-କନ୍ସେପ୍ଟ ଡେମୋ ମଧ୍ୟ ହୋଇଛି। ଏଠାରେ ମଲ୍ଟିମିଡିଆ କଣ୍ଟେଣ୍ଟକୁ ସିଧାସଳଖ ମୋବାଇଲ୍ ଡିଭାଇସ୍କୁ ଟ୍ରାନ୍ସମିଟ୍ କରାଯାଇ ଟେକ୍ନୋଲୋଜିର ବ୍ୟବହାରିକତା ପରୀକ୍ଷା କରାଯାଇଛି। ଅଲଗା ଅଲଗା ବ୍ରଡକାଷ୍ଟ ଇନ୍ଫ୍ରାଷ୍ଟ୍ରକ୍ଚରରେ ଏହି ଟେକ୍ନୋଲୋଜୀର କ୍ଷମତା ପରୀକ୍ଷଣ କରିବା ପରେ ଏହାକୁ କମର୍ସିଆଲ କରିବାକୁ ପ୍ରସ୍ତୁତି ଚାଲିଛି। RFP ଜାରି କରିବାର ପ୍ରକ୍ରିୟା ଆଗକୁ ବଢ଼ିଛି। RFP ମାଧ୍ୟମରେ D2Mର ବ୍ୟାପକ ବିସ୍ତାର, ଟେକ୍ନୋଲୋଜି ଏବଂ କମର୍ସିଆଲ୍ ପାର୍ଟନରସିପ୍ ସମ୍ପର୍କରେ ପରବର୍ତ୍ତୀ ରାସ୍ତା ସ୍ପଷ୍ଟ ହୋଇପାରେ। ହେଲେ RFP କେବେ ଜାରି ହେବ ଏବଂ କମର୍ସିଆଲ୍ ସେବା ଠିକ୍ କେବେ ଆରମ୍ଭ ହେବ, ତାହାର ଅନ୍ତିମ ସମୟସୀମା ଏବେ ସ୍ପଷ୍ଟ ହୋଇନାହିଁ।D2Mକୁ ନେଇ ଆଉ ଏକ ବଡ଼ ପ୍ରଶ୍ନ ହେଲା , ବ୍ରଡକାଷ୍ଟ ସିଗ୍ନାଲ୍ ଯୋଗୁ ମୋବାଇଲ୍ ନେଟୱର୍କରେ ବାଧା ସୃଷ୍ଟି ହେବ କି? କେବଳ ସେତିକି ନୁହେଁ, ସିଗ୍ନାଲ ମାଧ୍ୟମରେ କଣ୍ଟେଣ୍ଟ ପଠାଇଲେ ଏହା ମୋବାଇଲ୍ ଡିଭାଇସକୁ ଅଧିକ ଗରମ କରିବ କି ନାହିଁ.. ସେ ନେଇ ମଧ୍ୟ ପରୀକ୍ଷଣ କରାଯାଇଛି।ପ୍ରସାର ଭାରତୀ IIT କାନପୁର ସହ ମିଶି ୪୭୦ରୁ ୫୮୨ ମେଗାହର୍ଜ୍ ଫ୍ରିକ୍ୱେନ୍ସି ରେଞ୍ଜ୍ରେ D2M ଟେକ୍ନୋଲୋଜିର ଇଣ୍ଟରଫେରେନ୍ସ ଏବଂ ଡିଭାଇସ୍ ତାପମାତ୍ରା ସମ୍ପର୍କରେ ଟେଷ୍ଟ କରିଛି। ନଭେମ୍ବର ୨୦୨୫ରେ ଏହି ପରୀକ୍ଷଣ ସମ୍ପର୍କିତ ରିପୋର୍ଟ ସାର୍ବଜନୀନ କରାଯାଇଥିଲା। ମେ ୨୦୨୬ରେ ମଧ୍ୟ ୪୭୦ରୁ ୫୮୨ ମେଗାହର୍ଜ୍ ବ୍ୟାଣ୍ଡରେ D2M ଟ୍ରାନ୍ସମିଶନର IMT ଅର୍ଥାତ୍ ମୋବାଇଲ୍ ସେବା ଉପରେ ପ୍ରଭାବକୁ ନେଇ ପରୀକ୍ଷଣ ହୋଇଥିଲା। ତେବେ ଏଥିରେ ପିଜିଟିଭ ପ୍ରତ୍ରିକ୍ରିୟା ମିଳିଛି।

D2Mର ଲାଭ ଯେତିକି ରହିଛି, ଏହାକୁ ନେଇ ଟେଲିକମ୍ ଇଣ୍ଡଷ୍ଟ୍ରିର କିଛି ଚିନ୍ତା ମଧ୍ୟ ରହିଛି। ପ୍ରାଇଭେଟ୍ ଟେଲିକମ୍ ଅପରେଟରମାନଙ୍କ ଆଶଙ୍କା ହେଉଛି, ଯଦି ୟୁଜର୍ମାନେ ଇଣ୍ଟରନେଟ୍ ବଦଳରେ ବ୍ରଡକାଷ୍ଟ ନେଟୱର୍କ ମାଧ୍ୟମରେ ବହୁ ପରିମାଣରେ ଭିଡିଓ ଓ ମଲ୍ଟିମିଡିଆ କଣ୍ଟେଣ୍ଟ ଦେଖନ୍ତି, ତେବେ ଏହା ଡାଟା ବିଜନେସ୍ ଏବଂ କଣ୍ଟେଣ୍ଟ ଡେଲିଭରି ମଡେଲ୍ ଉପରେ ପ୍ରଭାବ ପକାଇପାରେ।ତେଣୁ D2Mର ସଫଳ ରୋଲ୍ଆଉଟ୍ ପାଇଁ କେବଳ ଟେକ୍ନୋଲୋଜି ନୁହେଁ, ଏହାର ବିଜନେସ୍ ମଡେଲ୍ ଓ ପବ୍ଲିକ୍-ପ୍ରାଇଭେଟ୍ ପାର୍ଟନରସିପ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ହେବ।EY ରିପୋର୍ଟରେ D2M ପାଇଁ ଏକ ସାର୍ବଜନୀନ-ଘରୋଇ ସହଭାଗୀତା ମଡେଲ ଏବଂ ଏକ ଦୀର୍ଘକାଳୀନ ବାଣିଜ୍ୟିକ ଢାଞ୍ଚା ମଧ୍ୟ ସୁପାରିଶ କରାଯାଇଛି। ଯଦିଓ ଏହି ବ୍ୟବସ୍ଥା ବିଷୟରେ ସମ୍ପୂର୍ଣ୍ଣ ଖୁଲାସା ହୋଇ ନାହିଁ, ତେବେ ଏଥିରେ ଯେମିତି କମ୍ପାନୀଗୁ଼ଡ଼ିକର କ୍ଷତି ନ ହେବ ସେଥିପାଇଁ କିଛି ପ୍ରସ୍ତାବ ରହିଛି।ଆପଣଙ୍କ ବର୍ତ୍ତମାନର ମୋବାଇଲ୍ରେ D2M ଚାଲିବ କି? ଏହାର ଉତ୍ତର ହେଲା ନା… ସବୁ ଫୋନ୍ରେ ଏହି ସେବା ଚାଲିବ ନାହିଁ। ବର୍ତ୍ତମାନର ଅଧିକାଂଶ ସ୍ମାର୍ଟଫୋନ୍ରେ D2M ପାଇଁ ଆବଶ୍ୟକ ହାର୍ଡୱେର୍ ନାହିଁ। D2M ସପୋର୍ଟ ପାଇଁ ବେସ୍ବ୍ୟାଣ୍ଡ ପ୍ରୋସେସିଂ ୟୁନିଟ୍, ଆଣ୍ଟିନା, ଲୋ-ନଏଜ୍ ଆମ୍ପ୍ଲିଫାୟର୍, ବେସ୍ବ୍ୟାଣ୍ଡ ଫିଲ୍ଟର୍ ଏବଂ ରିସିଭର୍ ଭଳି ହାର୍ଡୱେର୍ ଆବଶ୍ୟକ ହୋଇପାରେ। ଅର୍ଥାତ୍ କେବଳ ସଫ୍ଟୱେର୍ ଅପଡେଟ୍ କରି ପୁରୁଣା ଫୋନ୍କୁ D2M ସପୋର୍ଟ ଦେବା ସମ୍ଭବ ହେବନାହିଁ, ଯଦି ଡିଭାଇସ୍ରେ ଆବଶ୍ୟକ ହାର୍ଡୱେର୍ ନଥାଏ। ତଥାପି ଏଥିରେ ଅନେକ ମାତ୍ରାରେ ପରିବର୍ତ୍ତନ କରି ଏହି ସେବାକୁ ଉପଲବ୍ଧ କରାଯାଇପାରିବ।ଏଥିରେ ଇନ୍ଫ୍ରାଷ୍ଟ୍ରକ୍ଚର୍ ଏକ ବଡ଼ ଚ୍ୟାଲେଞ୍ଜ୍ । D2Mକୁ ଦେଶବ୍ୟାପୀ ଭାବେ ଲାଗୁ କରିବା ପାଇଁ କେବଳ ମୋବାଇଲ୍ରେ ରିସିଭର୍ ଯୋଡ଼ିଲେ ହେବନାହିଁ। ବ୍ରଡକାଷ୍ଟ ନେଟୱର୍କକୁ ମଧ୍ୟ ବଡ଼ ପରିମାଣରେ ଅପଗ୍ରେଡ୍ କରିବାକୁ ପଡ଼ିବ। ଲାର୍ଜ୍-ସ୍କେଲ୍ ଟ୍ରାନ୍ସମିଶନ୍ ପାଇଁ ଟେରେଷ୍ଟ୍ରିଆଲ୍ ଟାୱାରର ଦୃଢ଼ ନେଟୱର୍କ ଦରକାର ହେବ। ତେଣୁ D2Mର କମର୍ସିଆଲ୍ ରୋଲ୍ଆଉଟ୍ରେ ତିନୋଟି ଜିନିଷ ଏକାସାଙ୍ଗରେ ଆବଶ୍ୟକ ପଡ଼ିବ। ତାହା ହେଲା ବ୍ରଡକାଷ୍ଟ ଇନ୍ଫ୍ରାଷ୍ଟ୍ରକ୍ଚର୍, D2M ସପୋର୍ଟ କରୁଥିବା ମୋବାଇଲ୍ ଡିଭାଇସ୍ ଏବଂ କଣ୍ଟେଣ୍ଟ ଡେଲିଭରି ସିଷ୍ଟମ୍।ଭାରତରେ ପ୍ରାୟ ୨୮ କୋଟି ଘର ରହିଛି। ଏଥିରୁ ପ୍ରାୟ ୧୯ କୋଟି ଘରରେ ଟିଭି ସେବା ଉପଲବ୍ଧ ଥିବାବେଳେ ପ୍ରାୟ ୯ କୋଟି ଘର ଏବେ ବି ଟିଭି ସେବାରୁ ବଞ୍ଚିତ ବୋଲି ଦିଆଯାଇଥିବା ତଥ୍ୟରେ କୁହାଯାଇଛି। ଏଭଳି ସ୍ଥିତିରେ ଦେଶର ବିଶାଳ ମୋବାଇଲ୍ ୟୁଜର୍ ବେସ୍କୁ ଦେଖିଲେ D2M ଟିଭି ଓ ମଲ୍ଟିମିଡିଆ କଣ୍ଟେଣ୍ଟର ପହଞ୍ଚ ବଢ଼ାଇବାର ଏକ ନୂଆ ମାଧ୍ୟମ ହୋଇପାରେ। ବିଶେଷ କରି ଇଣ୍ଟରନେଟ୍ ସୁବିଧା କମ୍ ଥିବା ଅଞ୍ଚଳରେ ଏହା ଲୋକଙ୍କୁ ନ୍ୟୁଜ୍, ଶିକ୍ଷା, ସୂଚନା ଓ ମନୋରଞ୍ଜନ କଣ୍ଟେଣ୍ଟ ସହ ଯୋଡ଼ିବାରେ ସହାୟକ ହୋଇପାରେ।