କୁଚିଣ୍ଡା: ଲାଞ୍ଚ ନେବା ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ମହୁଲପାଲି ଥାନାର ସବଇନ୍ସପେକ୍ଟର ସୁଜିତ୍ କୁମାର ମହାନ୍ତ । ଏକ ମାମଲାର ତଦନ୍ତ ଶେଷ କରି ଦେବା ପାଇଁ ଅଭିଯୋଗକାରୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ଏସ୍‌ଆଇ । ବୁଧବାର ସନ୍ଧ୍ୟାରେ ଥାନା ବାହାରେ ଏକ ନିର୍ଜନ ସ୍ଥାନରେ ଟଙ୍କା ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କୁ ଧରିବାକୁ ଉଦ୍ୟମ କରିଥିଲା । ତେବେ ଭିଜିଲାନ୍ସ ଟିମ୍‌କୁ ଦେଖି ଏସ୍‌ଆଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ ।​​​​​​​

Also Read: OTP Fraud: ଓଡ଼ିଶାରେ ସିମ୍ ଆକ୍ଟିଭ୍; ଚାଇନାକୁ ଯାଉଥିଲା OTP, ଭଦ୍ରକରେ ସାଇବର ଠକେଇର ପର୍ଦ୍ଦାଫାସ୍

​​​​​​ଭିଜିଲାନ୍ସ ଟିମ୍ ତାଙ୍କ ପିଛା କରିବାରୁ ସେ ନିକଟସ୍ଥ ଏକ ପୋଖରୀକୁ ଡେଇଁ ପଡ଼ିଥିଲେ । ତେବେ ଭିଜିଲାନ୍ସର ଜଣେ କର୍ମଚାରୀ ମଧ୍ୟ ପୋଖରୀକୁ ଡେଇଁ ପହଁରି ପହଁରି ଯାଇ ତାଙ୍କୁ କାବୁ କରିଥିଲେ । ତାଙ୍କ ନିକଟରୁ ଲାଞ୍ଚ ବାବଦ ୧୦ ହଜାର ଟଙ୍କା ଜବତ କରାଯାଇଛି । ଏହାସହ ଆୟବହିର୍ଭୂତ ସମ୍ପତ୍ତି ଠାବ ଉଦ୍ଦେଶ୍ୟରେ ତାଙ୍କର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି । ଥାନା ପରିସରରେ ଥିବା ତାଙ୍କ ବିଶ୍ରାମ କକ୍ଷରୁ ଆଉ ୧ ଲକ୍ଷ ୫୫ ହଜାର ୭୦୦ ଟଙ୍କା ଜବତ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୨୧/୨୦୨୬ ଏବଂ ଦୁର୍ନୀତି ନିବାରଣ ଆଇନର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଛି । ସୂଚନାଯୋଗ୍ୟ, ସୁଜିତ କୁମାର ମହାନ୍ତ ୨୦୨୧ ମସିହାରେ ସିଧାସଳଖ ନିଯୁକ୍ତି ମାଧ୍ୟମରେ ସବ୍‌ଇନ୍ସପେକ୍ଟର ଭାବେ ପୋଲିସ ସେବାରେ ଯୋଗ ଦେଇଥିଲେ ।