ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପୂର୍ବତନ ଜଜ୍‌ ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁ ପୁଣି ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି । ୮୦ ବର୍ଷରେ ପାଦ ଥାପିଥିବା ଜଷ୍ଟିସ୍‌ କାଟଜୁ ଜୀବନରେ କେବେ ବି ଭୋଟ ଦେଇନାହାନ୍ତି । ଏପରିକି ସେ ଆଗକୁ ମଧ୍ୟ ଭୋଟ୍‌ ଦେବେ ନାହିଁ ବୋଲି ଏକ ସାକ୍ଷାତକାରରେ ସ୍ବୀକାର କରିଛନ୍ତି । ଭାରତୀୟ ନିର୍ବାଚନ ପ୍ରକ୍ରିୟା ଏକ ‘ପାଗଳାମୀ’ ଏବଂ ସେ ଏହି ବ୍ୟବସ୍ଥାରେ କୌଣସି ପ୍ରକାରେ ସାମିଲ ହେବାକୁ ଚାହାଁନ୍ତି ନାହିଁ ବୋଲି କହିଛନ୍ତି।

ଗଣତାନ୍ତ୍ରିକ ବ୍ୟବସ୍ଥା ଭାରତ ପରି ଦେଶ ପାଇଁ ସମ୍ପୂର୍ଣ୍ଣ ବିଫଳ ବୋଲି ସେ କହିଛନ୍ତି । ଜଷ୍ଟିସ୍ କାଟଜୁ କହିଛନ୍ତି ଯେ, ଦେଶର ୯୦ରୁ ୯୫ ପ୍ରତିଶତ ଜନସଂଖ୍ୟା ଭୋଟ୍ ଦେବା ସମୟରେ ପ୍ରାର୍ଥୀଙ୍କ ଯୋଗ୍ୟତା, ଶିକ୍ଷା କିମ୍ବା ସଚ୍ଚୋଟତା ନ ଦେଖି କେବଳ ଜାତି ଏବଂ ଧର୍ମ ଆଧାରରେ ଭୋଟ୍ ଦେଇଥାନ୍ତି। ଯେପର୍ଯ୍ୟନ୍ତ ସମାଜରୁ ଜାତିବାଦ ଏବଂ ସାମ୍ପ୍ରଦାୟିକତା ଦୂର ହୋଇନି, ସେପର୍ଯ୍ୟନ୍ତ ନିର୍ବାଚନର କୌଣସି ପ୍ରକୃତ ଅର୍ଥ ରହିବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ନିର୍ବାଚନ ଆୟୋଗ ଏବଂ ରାଜନୈତିକ ଦଳଗୁଡ଼ିକ ମଧ୍ୟରେ ଚାଲିଥିବା 'ଭୋଟ୍ ଚୋରି' ଅଭିଯୋଗ ଏବଂ ବିରୋଧୀଙ୍କ ଆନ୍ଦୋଳନକୁ କଟାକ୍ଷ କରିଛନ୍ତି କାଟ୍‌ଜୁ । ସେ କହିଛନ୍ତି, ଜାତି ଦେଖି ଭୋଟ ଦିଆଯାଉଥିବା ବେଳେ ଏହାର ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠାଇବା ଅର୍ଥହୀନ। ଭାରତର ବିକାଶ ପାଇଁ ଗଣତନ୍ତ୍ର ବଦଳରେ ତୁର୍କୀର ମୁସ୍ତଫା କମାଲ ଅତାତୁର୍ଭଙ୍କ ଭଳି ଜଣେ ଆଧୁନିକ ଚିନ୍ତାଧାରାର ‘ଏକଛତ୍ରବାଦୀ ଶାସକ’ରହିବା ଆବଶ୍ୟକ । ସେ ଦେଶରୁ ରୂଢ଼ିବାଦୀ ଚିନ୍ତାଧାରା ଓ ଅଶିକ୍ଷାକୁ ଜୋରଜବରସ୍ତି ଦୂର କରିପାରିବେ। ଜଷ୍ଟିସ୍‌ ମାର୍କଣ୍ଡେୟ କାଟଜୁଙ୍କ ଏଭଳି ମନ୍ତବ୍ୟ ନୂଆ ନୁହେଁ । ସେ ବାରମ୍ବାର ଏଭଳି ମନ୍ତବ୍ୟ ଦେଇଆସୁଛନ୍ତି ।