ତିରୁଅନନ୍ତପୁରମ: କେରଳ ହୋମ ଡିପାର୍ଟମେଣ୍ଟ ଭିଜିଲାନ୍ସ ଆଣ୍ଡ ଆଣ୍ଟି କରପସନ ବ୍ୟୁରୋ (ଭିଏସିବି)ଙ୍କୁ ସେହି ସବୁ ଅଭିଯୋଗର ପ୍ରାରମ୍ଭିକ ତଦନ୍ତ ନିର୍ଦ୍ଦେଶ ଦେଇଛି ଯେଉଁଥିରେ ମୁଖ୍ୟ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାର ୨୦୦୬ ମସିହାରେ ରାଜ୍ୟ ପୂର୍ତ୍ତ ସଚିବ ଥାଇ ବିଲ୍ ପାସ୍ କରାଇବା ନିମନ୍ତେ କଣ୍ଟ୍ରାକ୍ଟରଙ୍କୁ ଲାଞ୍ଚ ମାଗିଥିଲେ। କେରଳ ଗୃହମନ୍ତ୍ରୀ ରମେଶ ଚେନ୍ନିଥଲାଙ୍କ କାର୍ଯ୍ୟାଳୟ ପକ୍ଷରୁ ବୁଧବାର କୁହାଯାଇଛି ଯେ ଏହି ଯାଞ୍ଚ ସାଜନ ନାମକ ଜନୈକ ଠିକାଦାରଙ୍କ ଅଭିଯୋଗ ଉପରେ ଆଧାରିତ ହେବ, ଯିଏ ଅଭିଯୋଗ କରିଛନ୍ତି ଯେ ଜ୍ଞାନେଶ କୁମାର ମାଲେସିୟ ଇଞ୍ଜିନିୟର ଲି ସି ବିନଙ୍କୁ ୨ କୋଟି ଟଙ୍କା ମାଗିଥିଲେ। ଲି ସି ବିନ ମାଲେସିୟା-ଭାରତ ଜଏଣ୍ଟ ଭେଞ୍ଚର ପିଏଟିଆଇ-ବିଇଏଲର ପ୍ରୋଜେକ୍ଟ ମ୍ୟାନେଜର ଥିଲେ।

ଲି ଙ୍କ ମୃତ୍ୟୁ ନଭେମ୍ବର ୨୦୦୫ରେ ମାଲେସିଆରେ ଆତ୍ମହତ୍ୟା କରିବା ଯୋଗୁ ହୋଇଥିଲା। କୁହାଯାଉଛି ସେ ଏକ ନୋଟ୍ ଛାଡିଥିଲେ। ଯେଉଁଥିରେ କେରଳର ପୂର୍ତ୍ତ ବିଭାଗ ଅଧିକାରୀଙ୍କ ଉପରେ ଲାଞ୍ଚ ପାଇଁ ପେମେଣ୍ଟ ରୋକିବାର ଅଭିଯୋଗ କରିଥିଲେ। ଏହି ମାମଲା ପୂର୍ବରୁ ଭିଏସିବିଙ୍କ ଯାଞ୍ଚ ପରିସରରେ ରହିଛି। ତେବେ ଗତମାସରେ କଂଗ୍ରେସ ନେତା ମଲୟଂକିଝୁ ବେଣୁ ଗୋପାଲ ରାଜ୍ୟ ଗୃହମନ୍ତ୍ରୀଙ୍କୁ ଭେଟି ଏହି ପ୍ରସଙ୍ଗ ଉଠାଇବା ପରେ ତାହା ଚର୍ଚ୍ଚାକୁ ଆସିଛି। ବେଣୁଗୋପାଲ ଅଭିଯୋଗ କରିଥିଲେ ଯେ ଜ୍ଞାନେଶଙ୍କ ନାମ ଇଞ୍ଜିନିୟରଙ୍କ ସୁଇସାଇଡ ନୋଟରେ ଥିଲା ଓ ୨୦୦୬ରେ ଭିଏସିବିଙ୍କ ଯାଞ୍ଚ ବାହ୍ୟ ଚାପ କାରଣରୁ ପ୍ରଭାବିତ ହୋଇଥିଲା।

ଗୃହମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଭିଏସିବି ବେଣୁଗୋପାଲଙ୍କ ଅଭିଯୋଗ ଆଧାରରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଯାଞ୍ଚ ପୁଣି ଆରମ୍ଭ କରିବା ପାଇଁ ଆଇନଗତ ପରାମର୍ଶ ଲୋଡିଥିଲେ। ଏଥିରେ ଠିକାଦାର ସାଜନ ସମାନ ଅଭିଯୋଗ ଆଣି ଏକ ଏତଲା ରୁଜୁ କରିଛନ୍ତି। ଅକ୍ଟୋବର ୨୩ରେ ଠିକାଦାର ସାଜନ ଗୃହମନ୍ତ୍ରୀଙ୍କ ନିକଟରେ କରିଥିବା ଅଭିଯୋଗରେ ଲି ଙ୍କ ଆତ୍ମହତ୍ୟା ପଛରେ ଜ୍ଞାନେଶ କୁମାରଙ୍କ ହାତ ଥିବା ଉଲ୍ଲେଖ କରିଛନ୍ତି। ସେ ଦାବି କରିଛନ୍ତି ଯେ ପିଏଟିଆଇ-ବିଇଏଲକୁ ମେଟେରିୟାଲ ସପ୍ଲାୟରଙ୍କ ମଧ୍ୟରେ ସେ ଜଣେ ଥିଲେ। ସେ କହିଛନ୍ତି ଯେ ମୁଁ ଲି ଙ୍କ ସହିତ ମିଶି କାମ କରିଛି, ଯିଏ ପ୍ରେଜୋକ୍ଟ ମ୍ୟାନେଜର ଥିଲେ। ତେବେ ସମୟରେ ବିଲ୍ କ୍ଲିୟର ନ ହେବାରୁ ଲି ଲୋକାଲ କଣ୍ଟ୍ରାକ୍ଟର ଓ ସପ୍ଲାୟରଙ୍କୁ ପୈଠ କରିପାରୁନଥିଲେ। ଲି ମୋତେ କହିଥିଲେ ବିଲ୍ କ୍ଲିୟର କରିବାକୁ ଜ୍ଞାନେଶ କୁମାର ତାଙ୍କୁ ୨ କୋଟି ଟଙ୍କା ମାଗୁଛନ୍ତି। ତେବେ ପିଏଟିଆଇ-ବିଇଏଲ ବିଲ କ୍ଲିୟର କରିବା ପାଇଁ ଲାଞ୍ଚ ଦେବାକୁ ଚାହୁଁନଥିଲା।

ସାଜନ ଅଭିଯୋଗ କରିଛନ୍ତି ଯେ ଲି ଙ୍କ ପରିବାର ପିଏଟିଆଇ-ବିଇଏଲ କର୍ମଚାରୀଙ୍କୁ କହିଥିଲେ ଯେ ତାଙ୍କ ସୁଇସାଇଡ ନୋଟରେ ଜ୍ଞାନେଶ କୁମାରଙ୍କ ଉଲ୍ଲେଖ ରହିଛି। କୋଲ୍ଲମ ବାସିନ୍ଦା ସାଜନ କହିଛନ୍ତି ଯେ ‘ଯଦି ସରକାର ତଦନ୍ତ ଆଦେଶ ଦେବାକୁ ପ୍ରସ୍ତୁତ, ତେବେ ମୁଁ ତଦନ୍ତକାରୀଙ୍କ ଆଗରେ ଲି ଙ୍କ ପରିବାର ସମେତ ପ୍ରମାଣ ଉପସ୍ଥାପନ ନିମନ୍ତେ ପ୍ରସ୍ତୁତ’। ଗୃହମନ୍ତ୍ରୀ ଚେନ୍ନିଥଲା ଗତମାସରେ ବିଧାନସଭାକୁ କହିଥିଲେ ଯେ ଭିଏସିବି ୨୦୦୬ ସଡକ ପ୍ରକଳ୍ପ ସମ୍ପର୍କିତ ଅଭିଯୋଗର ତଦନ୍ତ ବନ୍ଦ କରିଦେଇଛି, ଯେତେବେଳେ ଜ୍ଞାନେଶ କୁମାର ପୂର୍ତ୍ତ ସଚିବ ଥିଲେ। କାରଣ ଅଭିଯୋଗ ସାବ୍ୟସ୍ତ ହୋଇ ପାରିନଥିଲା। ତେବେ ଏହି ତଦନ୍ତ ବନ୍ଦ ହେବା ଏବେ ତଦନ୍ତ ପରିସରକୁ ଆସିଛି। ଅଭିଯୋଗ କରାଯାଇଥିଲା ଯେ ଚାପ କାରଣରୁ ତଦନ୍ତକୁ ମଝିରୁ ବନ୍ଦ କରିଦିଆଯାଇଥିଲା।

ଚେନ୍ନିଥଲା କହିଛନ୍ତି ଯେ ଯେହେତୁ ଅଭିଯୋଗ ସାବ୍ୟସ୍ତ ହୋଇ ପାରିନଥିଲା ଏଣୁ ଭିଏସିବି ଆଗକୁ କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନଥିବା ସରକାରଙ୍କୁ ପରାମର୍ଶ ଦେଇଥିଲା। ସେ ଏହା ବି କହିଛନ୍ତି ଯେ ଜ୍ଞାନେଶ କୁମାରଙ୍କ ନାମ ୨୦୦୩ରୁ ୨୦୦୬ ମଝିରେ ଟେଣ୍ଡର ପ୍ରୋସେସକୁ ଅନୁସରଣ ନ କରି କଥିତ ରୂପେ ଦେଇଥିବା ୭୬ଟି କାମ ଭିଜିଲାନ୍ସ ଯାଞ୍ଚ ପରିସରରେ ଥିଲା। ଭିଏସିବି କାମ ଗୁଡିକର ଯାଞ୍ଚ କରୁଥିଲା, ଏଥିରେ ଜ୍ଞାନେଶ କୁମାରଙ୍କ ବିରୋଧରେ ଅଭିଯୋଗ ସମ୍ପର୍କିତ ଏକ ଯାଞ୍ଚ ମଧ୍ୟ ଥିଲା। ଚେନ୍ନିଥଲା କହିଛନ୍ତି ଯେ ‘ଯେହେତୁ ଅନିୟମିତତା ପ୍ରମାଣିତ ହୋଇ ପାରିଲାନି, ତେଣୁ ଭିଏସିବି ତଦନ୍ତ ପ୍ରକ୍ରିୟା ବନ୍ଦ କରିଦେଲା ଓ ସରକାରଙ୍କୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ନଥିବା କହିଥିଲା’।

ଚେନ୍ନିଥଲା କହିଛନ୍ତି ଯେ ୨୦୧୨ ମସିହାରେ ଏଜେନ୍ସୀ ୮ଟି ମାମଲାକୁ ‘ତ୍ରୁଟିର ସତ୍ୟତା’ ଭାବେ ରିପୋର୍ଟ କରିଥିଲା, ଯାହାକୁ କୋର୍ଟ ଗ୍ରହଣ କରିଥିଲେ। ଯଦିଓ ଲି ମାଲେସିୟାରେ ଜ୍ଞାନେଶ କୁମାର ଲାଞ୍ଚ ଦାବି କରିଥିବା ଅଭିଯୋଗରେ ଏକ ଆତ୍ମହତ୍ୟା ନୋଟ୍ ଛାଡିଥିବା ଅଭିଯୋଗ ହୋଇଛି, ତେବେ ସେହି ନୋଟ୍ କେବେବି ସାର୍ବଜନିକ ହୋଇ ନାହିଁ।