ଛତ୍ରପୁର: ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଗଞ୍ଜାମ ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଭାବିତ କରିଛି। ବନ୍ୟା ଯୋଗୁଁ ଜିଲ୍ଲାର ୪୯୮ଟି ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଥିବା ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି।

ପ୍ରାଥମିକ ଆକଳନ ଅନୁଯାୟୀ, ବନ୍ୟାରେ ଜିଲ୍ଲାର ମୋଟ ୪୯୮ଟି ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ କ୍ଷତିଗ୍ରସ୍ତ ହୋଇଛି। ଏଥିମଧ୍ୟରେ ୧୦୩୨ଟି ଶ୍ରେଣୀଗୃହ ଏବଂ ୨୧୫ଟି ବିଦ୍ୟାଳୟର ପାଚେରି କ୍ଷତିଗ୍ରସ୍ତ ହୋଇଛି। ଫଳରେ ଅନେକ ବିଦ୍ୟାଳୟରେ ପାଠପଢ଼ା ପରିବେଶ ପ୍ରଭାବିତ ହୋଇଛି । ବର୍ତ୍ତମାନ ବନ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ମରାମତି କାର୍ଯ୍ୟ ଜାରି ରହିଛି। ବିଦ୍ୟାଳୟଗୁଡ଼ିକର କ୍ଷୟକ୍ଷତି ଆକଳନ ସହ ଆବଶ୍ୟକ ମରାମତି ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଶିକ୍ଷାର୍ଥୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।

Also Read: ‘ଅର୍ଣ୍ଣବ’ କ୍ଷତିଗ୍ରସ୍ତ ପରିବାରଙ୍କୁ ଅନୁଗ୍ରହ ରାଶି, ଗଞ୍ଜାମ-କୋରାପୁଟ ପାଇଁ ୧୦୭.୭୦ କୋଟି ଟଙ୍କା ମଞ୍ଜୁର

ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କ ସୂଚନା ଅନୁଯାୟୀ, ଆସନ୍ତା ୯ ତାରିଖରୁ ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ପୁନର୍ବାର ଖୋଲିବ। ଏହା ପୂର୍ବରୁ ବିଦ୍ୟାଳୟଗୁଡ଼ିକର କ୍ଷୟକ୍ଷତି ଆକଳନ ଓ ମରାମତି କାର୍ଯ୍ୟ ଶେଷ କରିବା ଉପରେ ଗୁରୁତ୍ୱ ଦିଆଯାଉଛି।