ଭୁବନେଶ୍ୱର, ୦୭/୦୫: ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା ରହିଛି । ଜିଏଫଏସ୍ ପରେ ଇସିଏମଡବ୍ଲ୍ୟୁଏଫ୍ ମଧ୍ୟ ଲଘୁଚାପ ନେଇ ପୂର୍ବାନୁମାନ ଦେଖାଇଛି । ହେଲେ ବାତ୍ୟା ସମ୍ଭାବନାକୁ ନେଇ ବିଭିନ୍ନ ମଡେଲରେ ଦ୍ୱନ୍ଦ୍ୱ ରହିଛି । ଆରମ୍ଭରୁ ଏଯାଏ ଜିଏଫଏସ୍ ମଡେଲ୍ ବାତ୍ୟା ସମ୍ଭାବନା ଥିବା ଆକଳନ କରିଛି । ଏପରିକି ଏହା ଓଡ଼ିଶା ମୁହାଁ ହେବା ନେଇ ସମ୍ଭାବ୍ୟ ଚିତ୍ର ଦେଖାଇଛି । ହେଲେ ଅନ୍ୟ କୌଣସି ମଡେଲ୍ ଏଯାଏ ବାତ୍ୟା ନେଇ କୌଣସି ପୂର୍ବାନୁମାନ ଦେଖାଇ ନାହାନ୍ତି ।

ଜିଏଫଏସ୍ ମଡେଲ୍ ବୁଧବାର ସନ୍ଧ୍ୟାରେ ଦେଖାଇଥିବା ସମ୍ଭାବ୍ୟ ଚିତ୍ର ଅନୁସାରେ ଲଘୁଚାପ ସୃଷ୍ଟି ହେବା ପରେ ବାତ୍ୟା ରୂପ ନେଇ ଆସନ୍ତା ୧୫ ତାରିଖବେଳକୁ ଓଡ଼ିଶା ଉପକୂଳର ଅତି ନିକଟରେ ପହଞ୍ଚିପାରେ । ଦୀର୍ଘ ସମୟ ଧରି ଏହା ଓଡ଼ିଶା ଉପକୂଳ ଓ ପାଖ ଅଞ୍ଚଳ ଉପରେ ରହିବା ସମ୍ଭାବନା ଅଛି । ବିଭିନ୍ନ ମଡେଲକୁ ଅନୁଧ୍ୟାନ କରି ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଉଭୟ ଜିଏଫଏସ୍ ଏବଂ ଇସିଏମଡବ୍ଲ୍ୟୁଏଫ ମଡେଲ ଏକମତ ଯେ ମେ’ ମାସମଧ୍ୟଭାଗରେ ଦକ୍ଷିଣ ବଙ୍ଗୋପସାଗରରେ ଏକ ଲଘୁଚାପ ହୋଇପାରେ । ୧୧ରୁ ୧୩ ତାରିଖ ଭିତରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ହେବ। ୧୪-୧୫ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଜିଏଫଏସ୍ ମଡେଲ୍ ଏକ ଶକ୍ତିଶାଳୀ ବାତ୍ୟା ନେଇ ସମ୍ଭାବ୍ୟ ଚିତ୍ର ଦେଖାଉଛି । କିନ୍ତୁ, ଇସିଏମଡବ୍ଲ୍ୟୁଏଫ ଏହାକୁ କେବଳ ଏକ ବର୍ଷା ପ୍ରଦାନକାରୀ ଲଘୁଚାପ ଭାବେ ଆକଳନ କରୁଛି ।

ପ୍ରଫେସର ପଶୁପାଳକ କହିଛନ୍ତି, ସମୁଦ୍ର ପୃଷ୍ଠର ତାପମାତ୍ରା ପୂର୍ବାପେକ୍ଷା ୧ ଡିଗ୍ରୀ ବଢ଼ି ୩୦- ୩୧ ଡିଗ୍ରୀ ସେଲସିୟସକୁ ବୃଦ୍ଧି ପାଇଛି । ଏହା ବାତ୍ୟା ପାଇଁ ଅନୁକୂଳ ପରିବେଶ । ସେହିପରି ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପୂର୍ବରୁ ପବନର ଗତି ୪୬ କିମିରୁ ୫୫ କିମି ଥିଲା । ଏହାର ବେଗ ହ୍ରାସ ପାଇ ଘଣ୍ଟା ପ୍ରତି ୩୭ କିମି ରହିଛି । ଏହା କମିବା ଦ୍ୱାରା ବାତ୍ୟା ଘନୀଭୂତ ହେବାକୁ ଅନୁକୂଳ ହେବ । ଏମଜେଓ ସ୍ଥିତି ଫେଜ୍-୨ରୁ ବାହାରି ଫେଜ୍-୩ରେ ଅଧିକ ସକ୍ରିୟ ହେଉଛି । ଏହା ବଙ୍ଗୋପସାଗରରେ ଊଦ୍ଧ୍ୱର୍ ମୁଖୀ ପବନ ଏବଂ ମେଘମାଳା ସୃଷ୍ଟିରେ ସହାୟକ ହେବ । ଆସନ୍ତା ୨୪ରୁ ୪୮ ଘଣ୍ଟା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟ । ଏହା ମଧ୍ୟରେ ବାୟୁମଣ୍ଡଳର ତଳସ୍ତରରୁ ଉପର ସ୍ତରକୁ ପବନର ଗତି କମିବା ଜାରି ରହିବା ସହ ଏମଜେଓ ଫେଜ୍-୩ରେ ତୀବ୍ରତା ବଢ଼ିଲେ ଲଘୁଚାପଟି ବାତ୍ୟାରେ ପରିଣତ ହେବା ନେଇ ସଙ୍କେତ ମିଳିବ । ୧୦ ତାରିଖବେଳକୁ ଚିତ୍ର ଅଧିକ ସ୍ପଷ୍ଟ ହେବ ବୋଲି ପ୍ରଫେସର ପଶୁପାଳକ ପୂର୍ବାନୁମାନ କରିଛନ୍ତି । ଆଉ କେତେକ ବିଶେଷଜ୍ଞଙ୍କ କହିବାନୁସାରେ ଆସନ୍ତା ୮-୯ ତାରିଖରେ ଘୂର୍ଣ୍ଣିବଳୟ, ୧୧ରେ ଲଘୁଚାପ ଏବଂ ୧୫ ବେଳକୁ ବାତ୍ୟା ସମ୍ଭାବନା ଅଛି ।

​​​​​​​Also Read:-Horoscope Today : ମେ'୦୭ ତାରିଖ, ଗୁରୁବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ବର୍ତ୍ତମାନ କେନ୍ଦ୍ରୀୟ ଭାରତରୁ ଓଡ଼ିଶା ଉପର ଦେଇ ଏକ ଟ୍ରପଲାଇନ ଲମ୍ବିଛି । ଯଦି ଏହା ୧୧ ତାରିଖବେଳକୁ ହଟିଯାଏ କିମ୍ବା ବାଂଲାଦେଶ ଆଡ଼କୁ ପଳାଏ, ତେବେ ବାତ୍ୟା ଭାରତ ଉପକୂଳ ମୁହାଁଇବା ସମ୍ଭାବନା ରହିଛି । ଓଡ଼ିଶା ଦିଗରେ ବି ମୁହାଁଇପାରେ । ହେଲେ ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗରେ ମାଡ଼ ହେବ କି ନାହିଁ, ସେ ନେଇ ମଧ୍ୟ ଭିନ୍ନ ଆକଳନ କରାଯାଉଛି । ଆଉ କିଛିଦିନ ପରେ ଚିତ୍ର ସ୍ପଷ୍ଟ ହେବ । ବର୍ତ୍ତମାନ ସାରା ଓଡ଼ିଶାରେ ତାତି ପ୍ରକୋପ କମିଯାଇଛି । ତାପମାତ୍ରା ୪୦ ଡିଗ୍ରୀ ତଳେ ରହିଛି । ମାଲକାନଗିରିରେ ସର୍ବାଧିକ ୩୯.୬, ଫୁଲବାଣୀ ୩୮.୫ ଡିଗ୍ରୀ ଥିବାବେଳେ ଭୁବନେଶ୍ୱର, ତାଳଚେର ସମେତ କେତେକ ସ୍ଥାନରେ ପାରଦ ୩୬ ଟପିଥିଲା । ଆସନ୍ତା ୬ ଦିନ ଯାଏଁ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ପ୍ରତିଦିନ କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ସମ୍ଭାବନା ରହୁଛି । ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ଜାଗାରେ ଘଡ଼ଘଡ଼ି ସହ ବର୍ଷା, ପବନ ଆଶଙ୍କା ଅଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।