ମଣିପୁର: ମଦ ଭାବି ବିଷ ପିଇଦେଲେ। ଆଉ ତା ପରେ ସ୍ଥିତି ଅସମ୍ଭାଳ।  ମଣିପୁରର ଚାଣ୍ଡେଲ ଜିଲ୍ଲାରେ ମଦ ପିଇବା ପରେ ଅତିକମରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି। ୧୮୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏକ ଆଡଭାଇଜରି ଜାରି କରିଛି।

ରିପୋର୍ଟ ଅନୁଯାୟୀ, ଏହି ମୃତ୍ୟୁ ନଭେମ୍ବର ୧୮ ରୁ ୨୦ ତାରିଖ ମଧ୍ୟରେ ଘଟିଛି। ଚାଣ୍ଡେଲର ପୋଲିସ ଅଧୀକ୍ଷକ (SP) ଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ ବିବୃତ୍ତିରେ ପ୍ରାରମ୍ଭିକ ଭାବେ ୮ ଜଣଙ୍କ ମୃତ୍ୟୁ ସ୍ପଷ୍ଟ କରାଯାଇଥିଲା।

ମୃତକମାନେ ହେଲେ କିଶନ ହ୍ରାଙ୍ଗବୁଙ୍ଗ ଆନାଲ୍, ହ୍ରାଙ୍ଗବୁଙ୍ଗ ବେରୁୱାଙ୍ଗ ଆନାଲ୍, ହ୍ରାଙ୍ଗବୁଙ୍ଗ ମୋହରିଙ୍ଗ ଆନାଲ୍, ଆରଡି ଅଙ୍ଗନାହିରିଙ୍ଗ ଆନାଲ୍, କେଆଇ ରାମାତିଆଙ୍ଗ ଆନାଲ୍, ଏନଏଲ ମୋଥାହେରିଙ୍ଗ ଆନାଲ୍, ଟିଏସ୍ ଆଶିଙ୍ଗ ଏବଂ ଟିଏସ୍ ଲଭଲି।

ପୋଲିସ କହିଛି ଯେ, କିଛି ପୀଡ଼ିତଙ୍କ ମୃତ୍ୟୁ ସେମାନଙ୍କ ଘରେ ହୋଇଛି। ଅନ୍ୟମାନଙ୍କର ମୃତ୍ୟୁ ଡାକ୍ତରଖାନାକୁ ନିଆଯିବା ସମୟରେ କିମ୍ବା ଚାକପିକାରୋଙ୍ଗ ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହେବା ପରେ ହୋଇଛି।

ଚାଣ୍ଡେଲ ଜିଲ୍ଲା ପୋଲିସ କହିଛି- ପୀଡ଼ିତମାନେ ପିଇଥିବା କଥିତ ମଦ କାକଚିଙ୍ଗ ଜିଲ୍ଲାର ସୁଗନୁ ଅଞ୍ଚଳରୁ ଅଣାଯାଇଥିଲା। ଆଡଭାଇଜରିରେ କୁହାଯାଇଛି ଯେ ମଦ୍ୟପାନ କରିବା ପରେ ଯଦି ବାନ୍ତି, ପେଟ ଯନ୍ତ୍ରଣା, ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା, ଦୃଷ୍ଟି ଝାପ୍ସା କିମ୍ବା ନିଶ୍ୱାସ ନେବାରେ କଷ୍ଟ ଭଳି ଲକ୍ଷଣ ଦେଖାଯାଏ, ତେବେ ତୁରନ୍ତ ଡାକ୍ତରୀ ସହାୟତା ନିଅନ୍ତୁ।