ପୁରୀ: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପୁରୀରେ ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ହୋଇଥିଲା ଜନଜୀବନ। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବାବେଳେ ବଡ଼ ବଡ଼ ଜୁଆର ମଧ୍ୟ ସମୁଦ୍ର କୂଳକୁ ମାଡ଼ି ଆସୁଥିଲା। ଏଣୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ଉଭୟ ଅଗ୍ନିଶମ ବାହିନୀ ଓ ପୋଲିସ ପକ୍ଷରୁ ସମୁଦ୍ର କୂଳରେ ପାଟ୍ରୋଲିଂ କରାଯିବା ସହ ପର୍ଯ୍ୟଟକଙ୍କୁ ସମୁଦ୍ର ସ୍ନାନ ଉପରେ କଟକଣା ଲଗାଯାଇଥିଲା। ତେବେ ବାତ୍ୟା ପରେ ପାଗରେ ପରିବର୍ତ୍ତନ ଆସିଥିବାରୁ ପୁଣିଥରେ ଚଳଚଞ୍ଚଳ ହୋଇପଡିଛି ବେଳାଭୂମି। ସମୁଦ୍ର କୂଳରେ ଥିବା ଉଠା ଦୋକାନୀଙ୍କ ମୁହଁରେ ହସ ଫୁଟିଛି। ତେବେ ଆଗକୁ ଆଉ ଏକ ବାତ୍ୟା ଆସୁଥିବାରୁ ଉଠା ଦୋକାନୀଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପଡ଼ିବାର ଆଶଙ୍କା ରହିଛି।

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ପୁରୀରେ ଗତ ଚାରିଦିନ ହେବ ଲଗାଣ ବର୍ଷା ଲାଗି ରହିଥିଲା। ଫଳରେ ସମୁଦ୍ର ଅଶାନ୍ତ ରହିଥିଲା। ବଡ଼ ବଡ଼ ଜୁଆର ମଧ୍ୟ ବେଳାଭୂମି କୁ ମାଡ଼ି ଆସୁଥିଲା। ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବେଳାଭୂମି ରେ ଉଭୟ ଅଗ୍ନିଶମ ବିଭାଗ ଏବଂ ପୋଲିସ ପକ୍ଷରୁ ମିଳିତ ଭାବେ ବିଚ୍ ପାଟ୍ରୋଲିଂ କରାଯିବା ସହ ସମୁଦ୍ର ସ୍ନାନ ସହ ସମୁଦ୍ର ବାଲିକୁ ଆସିବା ଉପରେ ପର୍ଯ୍ୟଟକଙ୍କୁ ବାରଣ ରହିଥିଲା। ଏବେ ଦେଖନ୍ତୁ ପୁରୀ ସମୁଦ୍ର କୂଳର ଚିତ୍ର। ବାତ୍ୟା ଅର୍ଣ୍ଣବ ପରେ ପୁଣିଥରେ ପୂର୍ବ ଭଳି ଚଳଚଞ୍ଚଳ ହୋଇପଡିଛି ପୁରୀ ବେଳାଭୂମି। ପର୍ଯ୍ୟଟକ ମାନେ ସମୁଦ୍ର ସ୍ନାନର ମଜା ନେଉଛନ୍ତି। ପରିବାର ଓ ସମ୍ପର୍କୀୟ ଙ୍କ ସହ ପର୍ଯ୍ୟଟକ ମାନେ ବେଳାଭୂମିର ମଜା ନେଇ ବେଶ୍ ଖୁସି ଅନୁଭବ କରୁଥିବା କହିଛନ୍ତି।

Also Read: ମାଡ଼ି ଆସୁଛି ଆଉ ଏକ ବାତ୍ୟା ! ନଭେମ୍ବର ୪ରୁ ବଦଳିବ ପାଗ, ୫ ଜିଲ୍ଲାରେ ପ୍ରବଳ ବର୍ଷିବ !

ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ପୁରୀ ସହରରେ ଲାଗି ରହିଥିବା ଯୋଗୁଁ ଚିନ୍ତାରେ ପଡ଼ି ଯାଇଥିଲେ ସମୁଦ୍ର କୂଳର ଉଠା ଦୋକାନୀ। ପ୍ରବଳ ବର୍ଷା ଫଳରେ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିବା ବେଳେ ପାଣିପାଗ ଖରାପ ଯୋଗୁଁ ପୁରୀ କୁ ଆସୁଥିବା ପର୍ଯ୍ୟଟକ ମାନେ ମଧ୍ୟ ବେଳାଭୂମିରେ ବୁଲାବୁଲି କରୁନଥିଲେ। ଫଳରେ ଗତ ଚାରିଦିନ ହେବ ପୁରୀ ବେଳାଭୂମିରେ ଉଠା ଦୋକାନୀଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା। ତେବେ ପାଗ ରେ ପରିବର୍ତ୍ତନ ଆସିବା ସହ ପୁରୀ କୁ ପର୍ଯ୍ୟଟକଙ୍କ ଆଗମନ ଧିରେ ଧିରେ ବୃଦ୍ଧି ପାଉଥିବାରୁ ଏହାକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି ଉଠା ଦୋକାନୀ। କିନ୍ତୁ ଆଉ ଏକ ବାତ୍ୟା ଖବର ଶୁଣି ଦୋକାନୀ ଙ୍କ ଚିନ୍ତା ବଢ଼ିଛି।

ସେପଟେ ପୁରୀ ମହାନଗର ନିଗମର ଯୁଗ୍ମ କମିଶନର ଅଭିମନ୍ୟୁ ବେହେରା କହିଛନ୍ତି ବାତ୍ୟା ଅର୍ଣ୍ଣବ ଯୋଗୁଁ ସମୁଦ୍ର ସମ୍ପୂର୍ଣ୍ଣ ଅଶାନ୍ତ ଥିଲା। ପର୍ଯ୍ୟଟକମାନଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ସମୁଦ୍ର କୂଳ ରେ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲା। ସେହିପରି ସମୁଦ୍ର କୂଳରେ ଥିବା ଉଠା ଦୋକାନୀଙ୍କୁ ମଧ୍ୟ ବିଭିନ୍ନ ସମୟରେ ସଚେତନ କରାଯାଉଛି। ପାଣିପାଗରେ ପରିବର୍ତ୍ତନ ଆସିଲେ ସୁରକ୍ଷିତ ସ୍ଥାନକୁ ନିଜ ଦୋକାନ ନେବା ପାଇଁ ପରାମର୍ଶ ମଧ୍ୟ ଦିଆଯାଉଛି।

Also Read: ଓଡିଶା ଇତିହାସରେ ପାତ୍ରପୁର ଦେଖିଲା ଚତୁର୍ଥ ବଡ଼ ବର୍ଷା, ଗଞ୍ଜାମରେ ପ୍ରଳୟର କାରଣ କହିଲେ SRC

ପର୍ଯ୍ୟଟନ ସହର ପୁରୀକୁ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଆସୁଥିବା ବେଳେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ପ୍ରତିକୂଳ ପାଗ ଥିବାରୁ ପୁରୀ କୁ ପର୍ଯ୍ୟଟକଙ୍କ ଆଗମନ ହ୍ରାସ ପାଇଥିଲା। ତେବେ ବାତ୍ୟା ସ୍ଥିତି ଯିବା ପରେ ପୁଣି ପୁରୀ ସହର ଚଳଚଞ୍ଚଳ ହେବ ବୋଲି ସମସ୍ତଙ୍କର ଆଶା ଥିବା ବେଳେ ଆଗକୁ ଆଉ ଏକ ବାତ୍ୟା କଥା ଶୁଣି ଚିନ୍ତାରେ ପଡ଼ିଛନ୍ତି ସହରବାସୀ।