ନୂଆଦିଲ୍ଲୀ ୨୭।୧୦; ବାତ୍ୟା ଆସିଲେ ଲୋକଙ୍କ ଭିତରେ ଛନକା ପଶେ। ଏତିକି ହିଁ ନୁହେଁ ପାଣିପାଗକୁ ନେଇ ଚିନ୍ତା ବି ହୁଏ। କିନ୍ତୁ ଏସବୁ ଭିତରେ ବାତ୍ୟାର ନାଁକୁ ନେଇ ବି ଲୋକଙ୍କ ମନରେ ଉଠେ ଅନେକ ପ୍ରଶ୍ନ। ଏହାରି ଭିତରେ ଏବେ ଚର୍ଚ୍ଚାରେ ‘ଅର୍ଣ୍ଣବ’। କିଏ ରଖିଲା ଓ କାହିଁକି ରଖାଗଲା ଏହି ନାଁ? ବାତ୍ୟାର ନାମକରଣ ପଛରେ ରହିଛି କେଉଁ ରୋଚକ ନିୟମ? ତେବେ ଏହି ନାଁ କୌଣସି ଇଚ୍ଛା ଅନୁସାରେ ନିଷ୍ପତ୍ତି ନୁହେଁ, ବରଂ ଏହା ପଛରେ ରହିଛି ଏକ ନିର୍ଦ୍ଦିଷ୍ଟ ଆଞ୍ଚଳିକ ବ୍ୟବସ୍ଥା।

‘ଅର୍ଣ୍ଣବ’ନାଁ ଦେଇଛି ବାଂଲାଦେଶ!ଏହି ଶବ୍ଦର ଅର୍ଥ ସମୁଦ୍ର ବା ମହାସାଗର। ବଙ୍ଗୋପସାଗର ଓ ଆରବ ସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିଝଡ଼ଗୁଡ଼ିକର ନାମକରଣ ପାଇଁ ରହିଛି ଏକ ଆଞ୍ଚଳିକ ବ୍ୟବସ୍ଥା। ଏଥିରେ ଭାରତ ସମେତ ୧୩ଟି ଦେଶ ସାମିଲ ଅଛନ୍ତି। ଏହି ଦେଶଗୁଡ଼ିକ ପୂର୍ବରୁ ବାତ୍ୟା ପାଇଁ ନାଁ ପ୍ରସ୍ତାବ ଦେଇଥାନ୍ତି। ପରେ ନିର୍ଦ୍ଦିଷ୍ଟ କ୍ରମ ଅନୁସାରେ ସେହି ତାଲିକାରୁ ବାତ୍ୟାର ନାମ ଚୟନ କରାଯାଏ।

ତେବେ ବାତ୍ୟାର ନାମକରଣ କରାଯାଏ କାହିଁକି? ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବାତ୍ୟାକୁ ସହଜରେ ଚିହ୍ନଟ କରିବା ଏବଂ ଲୋକଙ୍କ ପାଖରେ ସତର୍କ ସୂଚନା ଶୀଘ୍ର ପହଞ୍ଚାଇବା। ବାତ୍ୟାର ନାଁ ଥିଲେ ପାଣିପାଗ ବିଭାଗ, ପ୍ରଶାସନ, ଗଣମାଧ୍ୟମ ଓ ସାଧାରଣ ଲୋକଙ୍କ ମଧ୍ୟରେ ସୂଚନା ଆଦାନପ୍ରଦାନ ସହଜ ହୋଇଥାଏ। ଏକାଧିକ ବାତ୍ୟା ସମ୍ପର୍କରେ ଆଲୋଚନା କଲାବେଳେ ମଧ୍ୟ ଦ୍ୱନ୍ଦ୍ୱ ଦୂର ହୁଏ।

କିନ୍ତୁ ମନେ ରଖନ୍ତୁ, ବାତ୍ୟାର ନାଁ ଯେତିକି ଗୁରୁତ୍ୱପୂର୍ଣ୍ଣ, ତା’ଠାରୁ ଅଧିକ ଜରୁରୀ ହେଉଛି ଏହାର ତୀବ୍ରତା ଓ ଗତିପଥ ବିଷୟରେ ଜାଣିବା। କେଉଁଠି ଲ୍ୟାଣ୍ଡଫଲ୍ ହେବ, ପବନର ବେଗ କେତେ ରହିବ, କେଉଁ ଅଞ୍ଚଳରେ କେତେ ବର୍ଷା ହେବ-ଏସବୁ ତଥ୍ୟ ହିଁ ବାତ୍ୟାର ପ୍ରକୃତ ବିପଦକୁ ବୁଝାଇଥାଏ। ତେଣୁ କେବଳ ବାତ୍ୟାର ନାଁ ଶୁଣି ଭୟଭୀତ ନହୋଇ ପାଣିପାଗ ବିଭାଗର ଅଧିକାରିକ ସୂଚନା ଉପରେ ଭରସା କରନ୍ତୁ।