ଧର୍ମଶାଳା ୨୭/୧୦ : ହିମାଚଳ ପ୍ରଦେଶରେ ପାରାଗ୍ଲାଇଡିଂ ବେଳେ ଘଟିଛି ଏକ ଦୁଃଖଦ ଘଟଣା । ଦୁର୍ଘଟଣାରେ ଜଣେ ୪୭ ବର୍ଷୀୟ ପାଇଲଟଙ୍କ ଜୀବନ ଚାଲିଯାଇଥିବା ଖବର ସାମ୍ନାକୁ ଆସିଛି। ମିଳିଥିବା ସୂଚନା ଅନୁଯାଇ ପାଇଲଟ ଜଣକ ହେଉଛନ୍ତି ବୁଲଗେରିଆର । ଏହି ଘଟଣା ପରେ ପାରାଗ୍ଲାଇଡିଂର ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଛି ପ୍ରଶ୍ନ। ସୂଚନାନୁଯାୟୀ, ଅକ୍ଟୋବର ୨୫ ତାରିଖ ରବିବାର ଦିନ ବୀର-ବିଲିଂରୁ ପାରାଗ୍ଲାଇଡିଂ ପାଇଁ ଉଡ଼ାଣ ଭରିଥିଲେ ଦୁଇ ବିଦେଶୀ ପାଇଲଟ୍। ମୃତ ପାଇଲଟଙ୍କ ନାମ ମାକ୍ସିମ୍ ଭାଲେଣ୍ଟିନୋଭିଚ୍ ଗାଭ୍ରିଲିଚେଙ୍କୋ। ସେ ବୁଲଗେରିଆର ନାଗରିକ ଥିଲେ। ଅନ୍ୟ ଜଣେ ବ୍ରିଟିଶ୍ ପାଇଲଟଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇଛି। ଧର୍ମଶାଳାର ଦୁର୍ଗମ ପାହାଡ଼ିଆ ଅଞ୍ଚଳରେ ରାତିସାରା ଚାଲିଥିଲା ଉଦ୍ଧାର କାର୍ଯ୍ୟ । ପ୍ରାଥମିକ ସୂଚନା ଅନୁସାରେ, ପ୍ରବଳ ପବନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ପୁଲିସର ସୂଚନା ଅନୁଯାୟୀ, ଦିନ ପ୍ରାୟ ୩ଟାରୁ ୩ଟା ୩୦ ମିନିଟ୍ ମଧ୍ୟରେ ଧର୍ମଶାଳାର ଖନିୟାରା ଅଞ୍ଚଳର ରାଇଜିଂ ଷ୍ଟାର୍ ପିକ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପାହାଡ଼ ଉପରେ ପ୍ରବଳ ପବନ ଓ ବାୟୁଚାପର ପରିବର୍ତ୍ତନ ଯୋଗୁଁ ପାରାଗ୍ଲାଇଡର୍ ନିୟନ୍ତ୍ରଣ ହରାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପୁଲିସ, SDRF ଏବଂ ସ୍ଥାନୀୟ ଉଦ୍ଧାରକାରୀ ଦଳ ଅଭିଯାନ ଆରମ୍ଭ କରିଥିଲେ। ରବିବାର ରାତି ପ୍ରାୟ ୯ଟାରେ ଉଦ୍ଧାରକାରୀ ଦଳ ଘଟଣାସ୍ଥଳ ଅଭିମୁଖେ ଯାଇଥିଲେ।

ଦୁର୍ଗମ ପାହାଡ଼ିଆ ଅଞ୍ଚଳ ଓ ପ୍ରତିକୂଳ ପାଣିପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହୋଇଥିଲା। ରାତିସାରା ଚାଲିଥିବା ଉଦ୍ଧାର କାର୍ଯ୍ୟ ସୋମବାର ସକାଳ ପ୍ରାୟ ୧୦ଟାରେ ଶେଷ ହୋଇଥିଲା। ଏହି ସମୟରେ ବୁଲଗେରିଆର ପାଇଲଟଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୬୩ ବର୍ଷୀୟ ଅନ୍ୟ ବ୍ରିଟିଶ୍ ପାଇଲଟ୍ ଷ୍ଟିଫେନ୍ ଆଣ୍ଟୋନି ପର୍ଡିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ମୃତ ପାଇଲଟଙ୍କ ମୃତଦେହକୁ ଧର୍ମଶାଳାର ଜୋନାଲ୍ ହସ୍ପିଟାଲ୍ର ଶବଗୃହରେ ରଖାଯାଇଛି। ପୋଷ୍ଟମର୍ଟମ୍ ଓ ଅନ୍ୟାନ୍ୟ ଆଇନଗତ ପ୍ରକ୍ରିୟା ପରେ ଦୁର୍ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିବ।