ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷଣା କରାଯାଇଥିବା ପ୍ୟାକେଜ୍ ଅନୁଯାୟୀ ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ପରିବାରମାନଙ୍କୁ ନଗଦ ଅନୁଗ୍ରହ ସହାୟତା ପ୍ରଦାନ ପାଇଁ ଅର୍ଥ ମଞ୍ଜୁର ହୋଇଛି । ରାଜ୍ୟ ସରକାର ଗଞ୍ଜାମ ଓ କୋରାପୁଟ ଜିଲ୍ଲା ପାଇଁ ପ୍ରାୟ ୧୦୭ କୋଟି ୭୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (SDRF)ରୁ ମଞ୍ଜୁର କରିଛନ୍ତି ।

ଏଥିମଧ୍ୟରୁ ଗଞ୍ଜାମ ଜିଲ୍ଲା ପାଇଁ ୧୦୭ କୋଟି ୪୪ ଲକ୍ଷ ୫୫ ହଜାର ଟଙ୍କା ଏବଂ କୋରାପୁଟ ଜିଲ୍ଲା ପାଇଁ ୨୬ ଲକ୍ଷ ୨୭ ହଜାର ୫୦୦ ଟଙ୍କା ମୁକ୍ତ କରାଯାଇଛି । ମଞ୍ଜୁର ହୋଇଥିବା ଅର୍ଥରାଶି ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବିତ ୪ ଲକ୍ଷ ୨୯ ହଜାର ୭୮୨ଟି ପରିବାରକୁ ପରିବାର ପିଛା ୨,୫୦୦ ଟଙ୍କା ନଗଦ ଅନୁଗ୍ରହ ରାଶି ପ୍ରଦାନ କରାଯିବ । ସେହିପରି କୋରାପୁଟ ଜିଲ୍ଲାର ୧,୦୫୧ଟି ପ୍ରଭାବିତ ପରିବାରକୁ ମଧ୍ୟ ପରିବାର ପିଛା ୨,୫୦୦ ଟଙ୍କା ହାରରେ ଏହି ସହାୟତା ଯୋଗାଇ ଦିଆଯିବ ।

ସରକାରୀ ବୟାନ ଅନୁସାରେ, ଏହି ଅର୍ଥରାଶି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଦିଆଯାଇଛି । ନିର୍ଦ୍ଧାରିତ ନିୟମ ଓ ମାର୍ଗଦର୍ଶିକା ଅନୁଯାୟୀ ଯୋଗ୍ୟ ପ୍ରଭାବିତ ପରିବାରଙ୍କୁ ତ୍ୱରିତ ଅନୁଗ୍ରହ ସହାୟତା ପ୍ରଦାନ କରିବାକୁ ଏହି ଅର୍ଥ ବିନିଯୋଗ କରାଯିବ ।