ଭଦ୍ରକ : ଓଡ଼ିଶାର ସିମ୍ କାର୍ଡ, ଚାଇନାରେ ହେଉଥିଲା ଠକେଇ। ଲୋକଙ୍କ ନାଁରେ ଜାଲ୍ ସିମ୍ ଆକ୍ଟିଭ୍ କରି ହ୍ୱାଟ୍ସଆପ୍ ଓ ଇନଷ୍ଟାଗ୍ରାମର ଓଟିପି ପଠାଯାଉଥିଲା ବିଦେଶୀ ସାଇବର ଠକଙ୍କ ପାଖକୁ। ଆଉ ଏହି ବେଆଇନ କାରବାରରୁ ମିଳୁଥିବା କମିଶନ ଟଙ୍କା କ୍ରିପ୍ଟୋକରେନ୍ସି ଜରିଆରେ ଆସୁଥିଲା ଭାରତକୁ। ଭଦ୍ରକରୁ ଏମିତି ଏକ ଆନ୍ତର୍ଜାତୀୟ ସାଇବର ଠକେଇ ନେଟୱର୍କର ପର୍ଦ୍ଦାଫାସ୍ କରିଛି ପୋଲିସ। ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଚଢ଼ାଉରେ ମିଳିଛି ୧୩୩୩ଟି ଆକ୍ଟିଭ୍ ସିମ୍ କାର୍ଡ। କେମିତି ଚାଲିଥିଲା ଏହି ସାଇବର ଠକେଇର ନେଟୱର୍କ? କିଏ କିଏ ଅଛନ୍ତି ଏହା ପଛରେ?

ଭଦ୍ରକ ଏସପିଙ୍କ ସୂଚନା ଅନୁଯାୟୀ ଗିରଫ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଧୀନ ରଘୁନାଥପୁରର ଶୁଭମ୍ ଜ୍ୟୋତି ନାୟକ । ଶୁଭମ୍ ଏହି ଗ୍ୟାଙ୍ଗର ପ୍ରମୁଖ ସଦସ୍ୟ ବୋଲି ପୋଲିସ କହିଛି । ଶୁଭମ୍ ଓ ତାର ସହଯୋଗୀ ଭୋଡ଼ାଫୋନ ଆଇଡିଆ ଓ ବି ଏସ ଏନ୍ ଏଲ୍ ର ସିମ୍ ଆକ୍ଟିଭ ଏଜେଣ୍ଟ ଆଇଡି ବ୍ୟବହାର କରି କାର୍ଯ୍ୟ କରୁଥିଲେ । ଲୋକଙ୍କନାଁରେ ଥିବା ଏହି ଜାଲିଆତି ସିମ୍ କୁ ଆକ୍ଟିଭ୍ କରି WhatsApp ଓ Instagram ରେ ଓଟିପି ଚାଇନାର ସାଇବର୍ ଠକଙ୍କୁ ଦେଉଥିଲେ । ପରେ ଏହି ଠକଙ୍କ ଠାରୁ କମିଶନକୁ ବାଇନାନ୍ସ ଓ କ୍ରିପ୍ଟ କରେନ୍ସୀ ମାଧ୍ୟମରେ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ କରି ନିଜେ ଆଣୁଥିଲେ ।

Also Read- ଆନ୍ଧ୍ରରେ କାଲି ପଞ୍ଚାୟତ ନିର୍ବାଚନ, ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ କୋରାପୁଟ ପୋଲିସ ଓ ଜିଲ୍ଲା ପ୍ରଶାସନ

ଏହି ଅଭିଯୁକ୍ତ ଘରେ ଚଢ଼ାଉ ବେଳେ 1333 ଆକ୍ଟିଭ ସିମ୍ , 13 ଟି ବ୍ୟାଙ୍କ୍ ପାସବୁକ , 4 ଟି ଚେକ୍ ବହି , 1 ଲକ୍ଷ 73 ହଜାର ଟଙ୍କା , ଆଇ ଫୋନ୍ , 6 ଟି କିପ୍ୟାଡ ମୋବାଇଲ୍ ଓ ବାଇକ୍ ସହ ଠକେଇ ରେ ବ୍ୟବହୃତ ଅନ୍ୟ ସାମଗ୍ରୀ ଜବତ କରିଛି ପୋଲିସ । ଏହି ଘଟଣାକୁ ଅଧିକ ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ୍ କୁ ଦିଆଯିବ ବୋଲି ଏସପି ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ତଦନ୍ତକୁ ଜୋରଦାର କରିଛି । ତେବେ କିଛି ମାସ ପୂର୍ବରୁ ଦିଲ୍ଲୀ ପୋଲିସ ଅନ୍ୟ ରାଜ୍ୟର ପୋଲିସ ସମାନ କାରବାର ଅଭିଯୋଗରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଭଦ୍ରକ ପୋଲିସ ବେନାମୀ ସିମ୍ କୁ ନେଇ ତଦନ୍ତ ଆରମ୍ଭ କରିଥିଲା । ଏହି ତଦନ୍ତ ବେଳେ ଗ୍ୟାଙ୍ଗର ଜଣକୁ ଗିରଫ କରିଥିବା ବେଳେ ଅନ୍ୟ ଅଭିଯୁକ୍ତଙ୍କୁ ଠାବ କରିବା ପାଇଁ ପୋଲିସ ଆକ୍ଟିଭ୍ ହୋଇଛି ।