କୋଟିଆ/ଭୁବନେଶ୍ଵର: ଆନ୍ଧ୍ରରେ କାଲି ପଞ୍ଚାୟତ ନିର୍ବାଚନ | ସୀମାନ୍ତ ଅଞ୍ଚଳରେ ପୁଣି ତେଜିଛି ଓଡ଼ିଶା-ଆନ୍ଧ୍ର ବିବାଦ | ଓଡ଼ିଶାର କୋଟିଆ ଅଞ୍ଚଳରେ ପଶି ଆନ୍ଧ୍ରର ନିର୍ବାଚନ କରିବାକୁ ଚାଲ ଚଳାଇଥିବାରୁ ଆପତ୍ତି ଉଠାଇଛି ଓଡ଼ିଶା | ଫଳରେ ସୀମାରେ ଦୁଇ ରାଜ୍ୟର ପୁଲିସ ମୁହାଁମୁହିଁ । ବ୍ୟାରିକେଡ୍ ହଟାଇବାକୁ ନେଇ ଉତ୍ତେଜନା ପ୍ରକାଶପାଇଛି | କୋଟିଆରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି କୋରାପୁଟ ପ୍ରଶାସନ | ଅନ୍ୟପଟେ ଏହି ପ୍ରସଙ୍ଗକୁ ନେଇ ରାଜଧାନୀରେ ଜୋର ଧରିଛି ରାଜନୀତି...

କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ଛକାପଞ୍ଝା | କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକ୍‌ର କୋଟିଆ ପଞ୍ଚାୟତରେ ନିର୍ବାଚନ କରିବାକୁ ଅଣ୍ଟା ଭିଡ଼ିଛି ଆନ୍ଧ୍ର | ଆନ୍ଧ୍ର ଷଡ଼ଯନ୍ତ୍ରକୁ ପଣ୍ଡ କରିବା ପାଇଁ ପ୍ରସ୍ତୁତ କୋରାପୁଟ ପୋଲିସ ଓ ଜିଲ୍ଲା ପ୍ରଶାସନ | ନଜର ପକାନ୍ତୁ ଏହି ଚିତ୍ର ଉପରେ। କୋଟିଆକୁ ସଂଯୋଗ କରୁଥିବା ନେରେଡିଓ୍ବାଲସା, ଫାଟୁସିନେରୀ ଓ ତଳସେମ୍ବି ସୀମାକୁ ସିଲ କରିଛି ପ୍ରଶାସନ| ଏଠାରେ ବିଭିନ୍ନ ରାଜନୈତିକ ଦଳ ଏକାଠି ହୋଇ ମାଟି ପାଇଁ ଲଢେ଼ଇ କରୁଛନ୍ତି | ସମସ୍ତେ ଦିନ ରାତି ସୀମା ଜଗିଛନ୍ତି ।

ଏହାରି ଭିତରେ ଆନ୍ଧ୍ର ଯୋଜନାକୁ ପଣ୍ଡ କରିଛି କୋରାପୁଟ ପ୍ରଶାସନ | ଉପରସେମ୍ବିରେ ଆନ୍ଧ୍ର ତରଫରୁ ଚାଲିଥିବା ଅସ୍ଥାୟୀ ପୋଲିସ ଆଉଟ ପୋଷ୍ଟକୁ ନିଜ ଅକ୍ତିଆରକୁ ନେଇଯାଇଛି କୋରାପୁଟ ପୋଲିସ | ଏଠାରେ ଏକ ଚର୍ଚ୍ଚରେ ଲୁଚିଥିବା ଆନ୍ଧ୍ର ପୋଲିସଙ୍କୁ ବିତାଡ଼ିତ କରିଛି କୋରାପୁଟ ପୋଲିସ |  କୋଟିଆରେ ୧୫ ପ୍ଳାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି | କୌଣସି ପରିସ୍ଥିତିରେ ଏଠାରେ ଆନ୍ଧ୍ରର ନିର୍ବାଚନ କରାଇ ଦିଆଯିବନି ବୋଲି କହିଛନ୍ତି କୋରାପୁଟ ଉପ ଜିଲ୍ଲାପାଳ ତଥା ନୋଡାଲ ଅଫିସର ଫାବି ରସିଦ | କୋଟିଆକୁ ଲାଗି ଆନ୍ଧ୍ର ସୀମାରେ ଥିବା ଅନେକ ଫଳକ ଭାଙ୍ଗି ଦେଇଛନ୍ତି ସ୍ଥାନୀୟ ଲୋକ | ତେବେ କୋଟିଆରେ, ଆନ୍ଧ୍ର ନିଜର ଚାଲ ଫେଲ ମାରୁଥିବା ଜାଣି ଏବେ କୋଟିଆ ଲୋକଙ୍କୁ ଆନ୍ଧ୍ରକୁ ନେଇ ଭୋଟ ଗ୍ରହଣ କରିବ ବୋଲି ସୂଚନା ମିଳିଛି ।

ଗୋଟିଏ ପଟେ କୋଟିଆରେ ସ୍ଥିତି ଧୀରେ ଧୀରେ ଗରମ ହେଉଛି । ସେପଟେ ରାଜଧାନୀ ଭୁବନେଶ୍ବରରେ ଜୋର ଧରି ରାଜନୈତିକ ତାତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। କୋଟିଆକୁ ନେଇ ବିଜେପିର ୨୦୨୪ ନିର୍ବାଚନୀ ଇସ୍ତାହାରର ପ୍ରତିଶ୍ରୁତି ପାଳନ କରିବାକୁ ଚିଠିରେ ମନେ ପକାଇ ଦେଇଛନ୍ତି ନବୀନ | କୋଟିଆରେ ଆନ୍ଧ୍ରପ୍ରଦେଶ ନିର୍ବାଚନ କରିବାକୁ ଯାଉଥିବାରୁ ଏହା ଓଡ଼ିଶା ପାଇଁ ଚିନ୍ତାଜନକ ବୋଲି କହିଛନ୍ତି ନବୀନ | ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ଉଚ୍ଚସ୍ତରୀୟ ଆଲୋଚନା କରିବାକୁ ନବୀନ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି | ସେପଟେ ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ବିଜେଡି ଓ କଂଗ୍ରେସ ସରକାରଙ୍କୁ ଘେରିଥିବାବେଳେ ଜବାବ ରଖିଛି ବିଜେପି | 

ଗୋଟିଏ ପଟେ ଆନ୍ଧ୍ରର ନିର୍ବାଚନୀ ପ୍ରସ୍ତୁତି, ଅନ୍ୟପଟେ ଓଡ଼ିଶାର ପ୍ରତିରୋଧ | ସୀମାରେ ପୁଲିସର କଡ଼ା ପହରା ବେଳେ ରାଜଧାନୀରେ ରାଜନୈତିକ ତତ୍ପରତା | ଏବେ ବଡ଼ ପ୍ରଶ୍ନ, କୋଟିଆରେ ଆସନ୍ତାକାଲି ଆନ୍ଧ୍ର ନିର୍ବାଚନ କରାଇବାରେ ସଫଳ ହେବ କି ? ନା, ଓଡ଼ିଶାର ପ୍ରତିରୋଧ ଆଗରେ ଅଟକିଯିବ ନିର୍ବାଚନୀ ପ୍ରକ୍ରିୟା।