ଭୁବନେଶ୍ୱର ୦୨।୧୧ : ବାତ୍ୟା ଅର୍ଣ୍ଣବ ଛାଡ଼ିଗଲା ବଡ଼ କ୍ଷତଚିହ୍ନ। ଗଞ୍ଜାମରେ ଧୋଇନେଲା କେନାଲ, ଆନିକଟ ଓ ନଦୀବନ୍ଧ। ୧୭୦ଟି ଜଳସମ୍ପଦ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଥିବା ରିପୋର୍ଟ ଆସିଛି। ଏଥିରେ ଋଷିକୁଲ୍ୟାର ଦୁଇଟି ଆନିକଟ ଅଧିକ କ୍ଷତିଗ୍ରସ୍ତ ହୋଇଛି। ତେବେ ଆଗାମୀ ୧୫ ଦିନ ମଧ୍ୟରେ ମରାମତି କାମ ଆରମ୍ଭ କରି ୩ ମାସ ଭିତରେ ଶେଷ କରିବାକୁ ଲକ୍ଷ୍ୟ ରଖିଛି ଜଳସମ୍ପଦ ବିଭାଗ। ସେପଟେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ମଧ୍ୟ ସତର୍କ ରହିଛି ବିଭାଗ। ହୀରାକୁଦରେ ଜଳସ୍ତର ୬୨୯.୫ ଫୁଟ ଥିବାରୁ ଖୋଲାଯାଇଛି ୫ଟି ଗେଟ୍।

ବାତ୍ୟା ଅର୍ଣ୍ଣବର ପ୍ରଭାବରେ ଗଞ୍ଜାମରେ ବ୍ୟାପକ କ୍ଷୟକ୍ଷତି। ପ୍ରବଳ ବର୍ଷା ଓ ବନ୍ୟାଜଳର ପ୍ରଖର ସ୍ରୋତରେ ଭାଙ୍ଗିଛି ଜଳସମ୍ପଦ ବିଭାଗର ଅନେକ ଭିତ୍ତିଭୂମି। ସର୍ବୋଚ୍ଚ ଯନ୍ତ୍ରୀ ଓ ବିଭାଗୀୟ ସଚିବ ନିଜେ କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ବିଭାଗ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ, ୧୭୦ଟି କେନାଲ, ଆନିକଟ ଓ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଛି। ବିଶେଷକରି ଋଷିକୁଲ୍ୟା ନଦୀର ଦୁଇଟି ଆନିକଟ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଜାନିବିଲ୍ ଆନିକଟ ନିକଟରେ ଥିବା ମୁଖ୍ୟ କେନାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଅତ୍ୟଧିକ ବର୍ଷା ଯୋଗୁଁ ଗୋଟିଏ ସ୍ଥାନରେ କେନାଲ ବନ୍ଧ ସମ୍ପୂର୍ଣ୍ଣ ଧୋଇ ଯାଇଛି।

Also Read:-ଅର୍ଣ୍ଣବ କ୍ଷତ ନ ଲିଭୁଣୁ ମୁରାସୁ ଭୟ ! ଦକ୍ଷିଣ ଓଡ଼ିଶାର ୬ ଜିଲ୍ଲା ଉପରେ ନଜର, NDRF ଓ ODRAF ମୁତୟନ

୧୯୯୦ ଓ ୨୦୧୩ର ବନ୍ୟା ଦେଖିଥିବା ବେଳେ ଏଥର ବାତ୍ୟା ଅର୍ଣ୍ଣବ ପୂର୍ବର ସବୁ ରେକର୍ଡ ଭାଙ୍ଗିଛି ବୋଲି କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ବନ୍ୟାଜଳ ସହ ବୋଲ୍ଡର ଓ ଡେବ୍ରିସ୍ ଆସିବାରୁ କ୍ଷୟକ୍ଷତିର ପରିମାଣ ବଢ଼ିଛି। କ୍ଷତିଗ୍ରସ୍ତ ଭିତ୍ତିଭୂମିର ମରାମତି ପାଇଁ ୧୫ ଦିନ ମଧ୍ୟରେ କାମ ଆରମ୍ଭ ହେବ। ଆଗାମୀ ୩ ମାସ ମଧ୍ୟରେ ସମସ୍ତ ମରାମତି କାମ ଶେଷ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି। ସେପଟେ ସମ୍ଭାବ୍ୟ ବାତ୍ୟା ମୁରାସୁକୁ ନେଇ ମଧ୍ୟ ଜଳସମ୍ପଦ ବିଭାଗ ସଜାଗ ରହିଛି। ସମସ୍ତ ଜଳଭଣ୍ଡାରରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ସମସ୍ତ ଗେଟ୍ ଖୋଲା ରଖାଯାଇଛି। ତେବେ ତଳମୁଣ୍ଡରେ ଏବେ ବି ପାଣି ରହିଥିବାରୁ ସ୍ଥିତି ଉପରେ ନଜର ରଖାଯାଇଛି। ଅର୍ଣ୍ଣବ ତୁଳନାରେ ମୁରାସୁ ପାଇଁ ଅଧିକ ସତର୍କତା ଅବଲମ୍ବନ କରାଯାଉଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ।

ଅନ୍ୟପଟେ ହୀରାକୁଦ ଜଳଭଣ୍ଡାରରେ ଆଜି ଜଳସ୍ତର ରହିଛି ୬୨୯.୫ ଫୁଟ। ଜଳସ୍ତର ୬୨୯ ଫୁଟ ଅତିକ୍ରମ କରିବା ପରେ ନିୟମ ଅନୁସାରେ ୫ଟି ଗେଟ୍ ଖୋଲାଯାଇଛି। ଏହାଦ୍ୱାରା ପ୍ରତି ସେକେଣ୍ଡରେ ପ୍ରାୟ ୧ ଲକ୍ଷ ୧୦ ହଜାର କ୍ୟୁସେକ୍ ଜଳ ନିଷ୍କାସିତ ହେବ। ଏଥିଯୋଗୁଁ ବନ୍ୟା ଆଶଙ୍କା ନଥିବା କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ। ଛତିଶଗଡ଼ରୁ ହୀରାକୁଦକୁ ଜଳ ପ୍ରବେଶ ମଧ୍ୟ ହ୍ରାସ ପାଇଛି। ବର୍ତ୍ତମାନ ପ୍ରାୟ ୬୦ ହଜାର କ୍ୟୁସେକ୍ ଜଳ ପ୍ରବେଶ କରୁଛି।

Watch Video:-