ଭୁବନେଶ୍ବର ୨।୧୧: ବାତ୍ୟା ଅର୍ଣ୍ଣବର ତାଣ୍ଡବ ପରେ ଏବେ ପୁଣି ମୁରାସୁ ଭୟ । ଅର୍ଣ୍ଣବରେ ଏଯାଏଁ ୪ ଜଣଙ୍କ ଜୀବନ ଯାଇଥିବା ସୂଚନା ମିଳିଛି । କିଛି ସ୍ଥାନରେ ଏବେ ବି ଉଦ୍ଧାର ଓ ଅନୁସନ୍ଧାନ କାର୍ଯ୍ୟ ଜାରି ରହିଛି । ଏବେ ବି ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ମୁତୟନ ଅଛନ୍ତି ବୋଲି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ।

ଏପଟେ ମୁରାସୁକୁ ନେଇ ବଢ଼ିଛି ଚିନ୍ତା । ଘଣ୍ଟାପ୍ରତି ୨୨ କିଲୋମିଟର ବେଗରେ ଗତି କରୁଛି ମୁରାସୁ । ଚେନ୍ନାଇ ଠାରୁ ୧୮୦ କିଲୋମିଟର ଓ ମଚ୍ଛଲିପଟ୍ଟନମ୍ ଠାରୁ ୨୪୦ କିଲୋମିଟର ଦୂରରେ ରହିଛି । ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଆସନ୍ତା ୩ ତାରିଖରେ ସ୍ଥଳଭାଗ ଛୁଇଁବା ଆକଳନ କରାଯାଇଛି । ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିଲୋମିଟର ରହିପାରେ ।

ମୁରାସୁର ସମ୍ଭାବ୍ୟ ପ୍ରଭାବକୁ ଦେଖି ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାକୁ ନେଇ ସତର୍କ ପ୍ରଶାସନ । ଗଞ୍ଜାମ, ଗଜପତି ଓ କନ୍ଧମାଳରେ ଆରମ୍ଭ ହୋଇଛି ଲୋକଙ୍କ ସ୍ଥାନାନ୍ତରଣ ପ୍ରକ୍ରିୟା । ଗଞ୍ଜାମରେ ୩୨ଟି ଓଡ୍ରାଫ୍ ଓ ୩ଟି ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହେବେ । ବିପଦ ମୁକାବିଲା ପାଇଁ ଉଦ୍ଧାରକାରୀ ଦଳକୁ ପ୍ରସ୍ତୁତ ରଖାଯାଇଛି ।

ଅନ୍ୟପଟେ ଅର୍ଣ୍ଣବର କ୍ଷୟକ୍ଷତି ଆକଳନ ପାଇଁ ଆସୁଛି କେନ୍ଦ୍ରୀୟ ଟିମ୍ । କିଛି ଅଧିକାରୀ ଆଜି ପହଞ୍ଚିଥିବା ବେଳେ ଆଉ କିଛି ଅଧିକାରୀ ଆସନ୍ତାକାଲି ପହଞ୍ଚିବେ । ରାଜ୍ୟ ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା ପରେ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଅନୁଧ୍ୟାନ କରିବେ । ଆସନ୍ତା ୪ ତାରିଖରେ ଫେରିବେ କେନ୍ଦ୍ରୀୟ ଟିମ୍ । ପୂର୍ଣ୍ଣାଙ୍ଗ ଆକଳନ ପରେ କେନ୍ଦ୍ର ସରକାରଙ୍କୁ ଦିଆଯିବ କ୍ଷୟକ୍ଷତି ରିପୋର୍ଟ । ବାତ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲା ଶକ୍ତି ବିଭାଗ । ୪୬ଟି ସ୍ଥାନରେ ଫିଡର୍ କ୍ଷତିଗ୍ରସ୍ତ ହୋଇଥିବା ବେଳେ ମରାମତି କାମ ଶେଷ ହୋଇଛି । ୬୫୮ଟି ୧୧ କେଭି ଫିଡର୍ର ମରାମତି ମଧ୍ୟ ସରିଛି । ଗଞ୍ଜାମ ଜିଲ୍ଲାରେ ବିଦ୍ୟୁତ୍ ସେବା ପୁନରୁଦ୍ଧାର କାମ ଜାରି ରହିଛି ।

Also Read:- ରାତିରେ ଆନ୍ଧ୍ର ଉପକୂଳ ଛୁଇଁବ ବାତ୍ୟା, ଓଡ଼ିଶାର ୫ ଜିଲ୍ଲାକୁ ସତର୍କ କରାଇଲା ପାଣିପାଗ ବିଭାଗ

ପାନୀୟ ଜଳ ଯୋଗାଣ ଓ ରାସ୍ତାଘାଟ ମରାମତିକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଗଞ୍ଜାମରେ ୪୫୭୨ଟି ଜଳ ଉତ୍ସ ଅକାମୀ ହୋଇଥିବାବେଳେ ୪୪୭୫ଟିର ମରାମତି ଓ ବିଶୋଧନ କାମ ସରିଛି । ୨୬୫ଟି ପାଣି ଟ୍ୟାଙ୍କର ନିୟୋଜିତ ହୋଇଛି । ଭୂସ୍ଖଳନ ଯୋଗୁଁ ଭଞ୍ଜନଗରରେ ଅଧିକ କ୍ଷତି ହୋଇଥିଲେ ମଧ୍ୟ ଏବେ ରାସ୍ତାଘାଟ ପୁନରୁଦ୍ଧାର କାମ ଚାଲିଛି।

ବାତ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ଉପରେ ମଧ୍ୟ ରହିଛି ପ୍ରଶାସନର ନଜର । ଡାଇରିଆ ଓ ଝାଡ଼ାବାନ୍ତି ରୋକିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ବିଭିନ୍ନ ସ୍ଥାନରେ ମେଡିକାଲ ଟିମ୍ ମୁତୟନ ଅଛନ୍ତି । ଅର୍ଣ୍ଣବ କ୍ଷତିରୁ ମୁକୁଳିବା ସହ ମୁରାସୁର ମୁକାବିଲା ଏବେ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ବୋଲି ସୁରେଶ ପୂଜାରୀ କହିଛନ୍ତି ।

Watch Video: