ଲକ୍ଷ୍ନୌ: ସାଇବର ଠକଙ୍କ ନୂଆ ଚାଲ୍। ନା କୌଣସି ଲିଙ୍କରେ କ୍ଲିକ୍ କଲେ, ନା କାହାକୁ ଓଟିପି ଦେଲେ, ତଥାପି ଆକାଉଣ୍ଟରୁ ଉଡ଼ିଗଲା ୧ ଲକ୍ଷ ୭୦ ହଜାର ଟଙ୍କା। ହ୍ୱାଟ୍ସଆପରେ ଆସିଥିବା ଗୋଟିଏ ମେସେଜର ଉତ୍ତରରେ କେବଳ 'No' ଲେଖିବା ଜଣେ ଚାର୍ଟର୍ଡ ଆକାଉଣ୍ଟାଣ୍ଟ (CA)ଙ୍କ ପାଇଁ ମହଙ୍ଗା ପଡ଼ିଛି। ଲକ୍ଷ୍ନୌ ଅଞ୍ଚଳରୁ ସାମ୍ନାକୁ ଆସିଥିବା ଏହି ଅଜବ ସାଇବର ଠକେଇ ପୋଲିସ ଓ ସାଇବର ବିଶେଷଜ୍ଞଙ୍କ ନିଦ ଉଡ଼ାଇ ଦେଇଛି।

ସନ୍ଦେହଜନକ ମେସେଜ୍ ଏବଂ ଟଙ୍କା ଗାଏବ

ସୂଚନା ଅନୁଯାୟୀ, ପୀଡ଼ିତ ସିଏଙ୍କ ହ୍ୱାଟ୍ସଆପ ପ୍ରଥମେ ଏକ ମେସେଜ୍ ଆସିଥିଲା, ଯେଉଁଥିରେ ତାଙ୍କ ଆକାଉଣ୍ଟରୁ ୯୦,୦୦୦ ଟଙ୍କା କଟିଯାଇଥିବା ଲେଖାଯାଇଥିଲା। ଏହା ପଛକୁ ପଛ ଆଉ ଏକ ମେସେଜ୍ ଆସିଥିଲା 'ଯଦି ଆପଣ ଏହି ନେଣଦେଣ କରିନାହାନ୍ତି, ତେବେ 'No' ଲେଖି ଉତ୍ତର ଦିଅନ୍ତୁ।' ବ୍ୟାଙ୍କର ସୁରକ୍ଷା ଜନିତ ମେସେଜ୍ ଭାବି ସିଏ ଜଣକ ତୁରନ୍ତ 'No' ଲେଖି ରିପ୍ଲାଇ ଦେଇଥିଲେ। ହେଲେ ଏହାର କିଛି ସମୟ ମଧ୍ୟରେ ତାଙ୍କର ICICI ଏବଂ IndusInd ବ୍ୟାଙ୍କ ଆକାଉଣ୍ଟରୁ ଦୁଇଟି ପୃଥକ କାରବାର ମାଧ୍ୟମରେ ମୋଟ ୧.୭୦ ଲକ୍ଷ ଟଙ୍କା ଗାଏବ ହୋଇଯାଇଥିଲା।

Also Read: ଟ୍ରକକୁ ଧକ୍କା ଦେଇ ଚୁରମାର୍ ହୋଇଗଲା କାର୍ : କ୍ୟାବିନେଟ୍ ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ

ଆଶ୍ଚର୍ଯ୍ୟ କଲା ଭଳି କ୍ରାଇମ୍ ମୋଡସ୍ ଅପରେଣ୍ଡି

ସାଧାରଣତଃ ସାଇବର ଠକେଇ ପାଇଁ ଲିଙ୍କ୍ କ୍ଲିକ୍ କରିବା, ଓଟିପି ସେୟାର କରିବା କିମ୍ବା ଆପ୍ ଡାଉନ୍ଲୋଡ୍ କରିବାକୁ ପଡ଼ିଥାଏ। ମାତ୍ର ଏହି ଘଟଣାରେ ପୀଡ଼ିତ ଜଣକ ଏଭଳି କୌଣସି ଭୁଲ୍ କରିନଥିଲେ। ସାଇବର ବିଶେଷଜ୍ଞଙ୍କ ଅନୁମାନ ଅନୁଯାୟୀ, ଠକମାନେ ମେସେଜ୍ ସହ ଏକ ବିପଜ୍ଜନକ ମାଲୱେୟାର ଯୋଡ଼ିଥାଇପାରନ୍ତି, ଯାହା 'Reply' ବଟନ୍ କ୍ଲିକ୍ କରିବା ମାତ୍ରେ ସକ୍ରିୟ ହୋଇ ଫୋନ୍ କିମ୍ବା ବ୍ୟାଙ୍କିଂ ତଥ୍ୟକୁ ହ୍ୟାକ୍ କରିନେଇଛି। ଏହି ଘଟଣାକୁ ନେଇ କ୍ରାଇମ୍ ଆଡିସନାଲ ଡିସିପି କିରଣ ଯାଦବ ସୂଚନା ଦେଇଛନ୍ତି ଯେ, ମାମଲାର ଯାଞ୍ଚ ଚାଲିଛି। ଫୋନର ଫୋରେନ୍ସିକ୍ ଟେଷ୍ଟ ଏବଂ ବ୍ୟାଙ୍କ ସ୍ପେସିଫିକେସନ୍ ପରେ ହିଁ ଅସଲ କାରଣ ସ୍ପଷ୍ଟ ହେବ। 

Also Read: ରାମ ମନ୍ଦିର ଦାନ ଅର୍ଥ ହେରଫେର ମାମଲା: ୮ ଅଭିଯୁକ୍ତଙ୍କ ବିରୋଧରେ ୭୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ