ଆଠଗଡ଼ ୧୮।୭: ବନ୍ୟାଜଳ କମିବା ପରେ ରାସ୍ତା ଉପରୁ ପାଣି ଖସିଥିଲେ ମଧ୍ୟ ଦୁର୍ଦ୍ଦଶା କମିନାହିଁ । ଅନେକ ରାସ୍ତା ଧୋଇଯାଇଛି, କେତେକ ସ୍ଥାନରେ ଘର ଭାଙ୍ଗିଛି । ଏବେ ମଧ୍ୟ ଅନେକ ଚାଷ ଜମି ଉପରେ ୪ରୁ ୫ ଫୁଟ ଉଚ୍ଚର ବନ୍ୟାଜଳ ରହିଥିବାରୁ ଚାଷୀ ନିଜ ଜମିକୁ ଯାଇପାରୁନାହାନ୍ତି । ବର୍ଷକର ଆହାର ଏବେ ପାଣି ତଳେ ବୁଡ଼ି ରହିଛି ।

Also Read:- ଘର ଭାଙ୍ଗିଲେ, ଖାଇଗଲେ ଖାଦ୍ୟଶସ୍ୟ ; ହାତୀ କବଳରୁ ଅଳ୍ପକେ ରକ୍ଷା ପାଇଗଲେ ନାବାଳକ

ଏଭଳି ସ୍ଥିତିରେ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ । ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଘଟଣାସ୍ଥଳ ବୁଲି କ୍ଷୟକ୍ଷତିର ଆକଳନ କରିଛନ୍ତି । ନଦୀରେ ହୋଇଥିବା ଘାଇକୁ ତୁରନ୍ତ ବାଲିବସ୍ତା ପକାଇ ମରାମତି କରାଯିବା ସହ ରାସ୍ତା, ଘାଟ ଓ ଚାଷଜମିର କ୍ଷତିର ରିପୋର୍ଟ ସରକାରଙ୍କୁ ପଠାଇ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ ପାଇଁ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି ।