ଆନନ୍ଦପୁର ୧୮।୭: ଘର ଭାଙ୍ଗିଲେ, ଖାଦ୍ଯଶସ୍ୟ ଖାଇଲେ ଓ ନଷ୍ଟ ମଧ୍ୟ କଲେ । ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଘଷିପୁରା ବ୍ଲକ୍ ବୀରଗୋବିନ୍ଦପୁର ପଞ୍ଚାୟତ ଗୋହିରାବଣି ଗାଁ ଲୋକେ ।

ଶୁକ୍ରବାର ରାତିରେ ୨ଟି ହାତୀ ଗାଁ ଭିତରକୁ ପଶିଆସି ଗାଁର ପଦ୍ମାବତୀ ଘଡେଇ ଓ ଆରତ ନାହକଙ୍କ ଘରେ ଉପଦ୍ରବ କରିଥିଲେ । ପଦ୍ମାବତୀଙ୍କ ଘରେ ଥିବା ଖାଦ୍ଯଶସ୍ୟ ଖାଇଯିବା ସହ ନଷ୍ଟକରି ପଳାଇଛନ୍ତି । ସେହିପରି ଆରତଙ୍କ ଘରେ ଜଣେ ନାବାଳକ ଶୋଇଥିବା ସମୟରେ ହାତୀଟି ଘର ଭିତରେ ପଶିବାକୁ ଉଦ୍ଯମ କରିଥିଲା । ହେଲେ ପରିବାର ଲୋକେ ପାଟି କରିବାରୁ ହାତୀଟ ଫେରିଯାଇଥିଲା । ଫଳରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଛି ନାବାଳକର ଜୀବନ । ଗତ ଦୁଇ ଦିନ ତଳେ ହାତୀଟି ଗାଁର ଲକ୍ଷ୍ମଣ ହେମ୍ବ୍ରମ ଓ ଶରତ ନାୟକଙ୍କ ଘର ଭାଙ୍ଗିଥିଲା ।

Also Read:- କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି, ରବିବାର ସକାଳ ସୁଦ୍ଧା ପାଣି ପୂରା କମିଯିବ

ଅନେକ ଦିନ ଧରି ହାତୀ ଆତଙ୍କର ଶିକାର ହୋଇ ଭୟଭୀତ ଅବସ୍ଥାରେ ଥିବା ଗ୍ରାମବାସୀ ମାନେ କହିଛନ୍ତି । ହାତୀ କେତେବେଳେ ଫସଲ ଉଜାଡୁଛି ତ ଆଉ କେତେବେଳେ ଘର ଭାଙ୍ଗି ଖାଦ୍ଯଶସ୍ୟ ନେଇ ପଳାଉଛି । ଏଭଳି କ୍ଷୟକ୍ଷତିକୁ ବର୍ଷ ତମାମ ସାମ୍ନା କରୁଛନ୍ତି ଗ୍ରାମବାସୀ । ସେପଟେ ହାତୀ ଗାଁ ଭିତରେ ପଶିବାର ଅନେକ ସମୟ ପରେ ବନ ବିଭାଗ କର୍ମଚାରୀ ମାନେ ଆସି ପହଞ୍ଚୁଛନ୍ତି । ବନ ବିଭାଗ କୌଣସି ଠୋସ୍ ପଦକ୍ଷେପ ନନେବାରୁ ବାରମ୍ବାର ହାତୀ ଗାଁମୁହାଁ ହେଉଥିବା ଲୋକେ ଅଭିଯୋଗ କରିଛନ୍ତି । ଘଟଣା ସମ୍ପର୍କରେ ଆନନ୍ଦପୁର ବନ ବିଭାଗ ଅଧିକାରୀଙ୍କ ପ୍ରତିକ୍ରିୟା ମଳିପାରି ନାହିଁ । ଗ୍ରାମବାସୀ ମାନେ ସମସ୍ଯାର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ।