କଟକର ଐତିହାସିକ ବାଲିଯାତ୍ରା। ଓଡ଼ିଆ ଅସ୍ମିତା, ଐତିହ୍ୟ ଓ ପରମ୍ପରାର ଏକ ଅନନ୍ୟ ପରିଚୟ। ପ୍ରତିବର୍ଷ ଏହି ମହାନ ଉତ୍ସବକୁ ଅପେକ୍ଷା କରିଥାନ୍ତି ରାଜ୍ୟବାସୀ। ଚଳିତ ବର୍ଷ ମଧ୍ୟ ବାଲିଯାତ୍ରାକୁ ଆକର୍ଷଣୀୟ ଓ ସ୍ମରଣୀୟ କରିବା ପାଇଁ ପ୍ରଶାସନ ପକ୍ଷରୁ ଚାଲିଛି ବ୍ୟାପକ ପ୍ରସ୍ତୁତି। ହେଲେ ଏହି ପ୍ରସ୍ତୁତି ଭିତରେ ଏବେ ପ୍ରକୃତି ସାଜିଛି ବାଧକ। ବାତ୍ୟାର ପ୍ରଭାବରେ କଟକରେ ଗତକାଲି ରାତିଠାରୁ ଲାଗି ରହିଛି ବର୍ଷା। ମଝିରେ ମଝିରେ ବର୍ଷାର ପରିମାଣ ବଢ଼ୁଥିବାରୁ ବାଲିଯାତ୍ରା ପଡ଼ିଆରେ ଚାଲିଥିବା ବିଭିନ୍ନ କାମକୁ ନେଇ ଆଶଙ୍କା ଦେଖାଦେଇଛି।

ବାଲିଯାତ୍ରା ପଡ଼ିଆରେ ଷ୍ଟଲ୍ ନିର୍ମାଣ, ମଞ୍ଚ ପ୍ରସ୍ତୁତି, ଆଲୋକୀକରଣ, ସାଜସଜ୍ଜା ଓ ଅନ୍ୟାନ୍ୟ ଆନୁଷଙ୍ଗିକ କାମ ଚାଲିଥିବା ବେଳେ ବର୍ଷା ଯୋଗୁଁ ଏହି କାର୍ଯ୍ୟଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି। ବିଶେଷକରି ପଡ଼ିଆରେ ମାଟି ଓ ଅସମତଳ ସ୍ଥାନରେ ପାଣି ଜମିବା, ଯାତାୟାତରେ ସମସ୍ୟା ଏବଂ ନିର୍ମାଣ କାମରେ ବିଳମ୍ବ ହେବାର ଆଶଙ୍କା ରହିଛି। ଲଗାଣ ବର୍ଷା ଜାରି ରହିଲେ ପ୍ରସ୍ତୁତି କାର୍ଯ୍ୟକୁ ସମୟ ମଧ୍ୟରେ ଶେଷ କରିବା ଆୟୋଜକଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।

Also Read:-ବାତ୍ୟା ମୁକାବିଲାରେ ପ୍ରଶାସନର ବଡ଼ ପ୍ରସ୍ତୁତି, ୩ ଲକ୍ଷ ୭୨ ହଜାର ଲୋକ ସ୍ଥାନାନ୍ତରିତ

ଚଳିତ ବର୍ଷ ବାଲିଯାତ୍ରାର ଉଦ୍ଘାଟନ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ହେବାକୁ ଥିବାରୁ ଏହି ଆୟୋଜନର ଗୁରୁତ୍ୱ ଆହୁରି ବଢ଼ିଯାଇଛି। ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ମଞ୍ଚ, ସୁରକ୍ଷା ବ୍ୟବସ୍ଥା, ଆଲୋକୀକରଣ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତୁତିକୁ ଗୁରୁତ୍ୱ ଦିଆଯାଉଛି। ଏଭଳି ସମୟରେ ବର୍ଷା ପ୍ରଶାସନର ଚିନ୍ତା ବଢ଼ାଇଛି। ତେବେ ବର୍ଷା ପରେ ପଡ଼ିଆରେ ଜମିଥିବା ପାଣି ନିଷ୍କାସନ, ରାସ୍ତାର ସ୍ଥିତି ସୁଧାରିବା ଓ ବାକି ରହିଥିବା କାମକୁ ତ୍ୱରାନ୍ୱିତ କରିବା ଏବେ ପ୍ରଶାସନ ପାଇଁ ଗୁରୁତ୍ୱପୂର୍ଣ୍ଣ।

Watch Video:-