ନୂଆଦିଲ୍ଲୀ: ଇରାନ ଏନର୍ଜି ଭିତ୍ତିଭୂମି ଉପରେ ଇସ୍ରାଏଲ ଓ ଆମେରିକା ଆକ୍ରମଣ କରୁଥିବାରୁ ଇରାନ ଏହାର ପଡ଼ୋଶୀ ଉପସାଗରୀୟ ଦେଶଗୁଡ଼ିକର ଏନର୍ଜି ପ୍ରତିଷ୍ଠାନ ଉପରେ ଆକ୍ରମଣ କରୁଛି। ଇରାନ କତାରର ଶକ୍ତି କେନ୍ଦ୍ର ଉପରେ କରିଥିବା ସଦ୍ୟ ଆକ୍ରଣରେ ସାରା ବିଶ୍ୱରେ ଇନ୍ଧନ ସଂକଟ ଦେଖା ଦେଇଛି। ଆଜି ମାର୍ଚ୍ଚ ୧୯ ତାରିଖରେ ବିଶ୍ୱ ବଜାରରେ ଅଶୋଧିତ ତୈଳ ଏବଂ ପ୍ରାକୃତିକ ଗ୍ୟାସର ମୂଲ୍ୟ ୩୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି।

ଯୁଦ୍ଧ ଆରମ୍ଭ ହେବା ପରଠାରୁ, ଭାରତରେ ଅଶୋଧିତ ତୈଳ ମୂଲ୍ୟ ପ୍ରାୟ ଦୁଇଗୁଣ ହୋଇ ୧୪୬ ଡଲାର ହୋଇଛି। ଏହି ବୃଦ୍ଧି ଦ୍ୱାରା ଖୁବଶୀଘ୍ର ଭାରତରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୧୦-୧୫ ଟଙ୍କା ବୃଦ୍ଧି କରିପାରେ। ଭାରତ ଇରାକ, ସାଉଦି ଆରବ, ରୁଷ ଏବଂ ୟୁଏଇରୁ ତେଲ କିଣେ। ଏହି ସମସ୍ତ ବିଭିନ୍ନ ପ୍ରକାରର ତେଲର ଯେଉଁ ହାରାହାରି ମୂଲ୍ୟ ବାହାର କରାଯାଏ ଏହାକୁ "ଭାରତୀୟ ବାସ୍କେଟ" କୁହାଯାଏ।

ତିନୋଟି ପ୍ରମୁଖ ଅଶୋଧିତ ତୈଳ ମାନଦଣ୍ଡହେଲା....

ବିଶ୍ୱରେ ଅଶୋଧିତ ତୈଳର ମୂଲ୍ୟାଙ୍କନ ଏବଂ ବିକ୍ରୟ ମୁଖ୍ୟତଃ ତିନୋଟି ପ୍ରମୁଖ ମାନଦଣ୍ଡ ଉପରେ ଆଧାରିତ। ବ୍ରେଣ୍ଟ, WTI, ଏବଂ OPEC ବାସ୍କେଟ। ବ୍ରେଣ୍ଟ ଅଶୋଧିତ ତୈଳ ଉତ୍ତର ସାଗର (ୟୁରୋପ)ର ସମୁଦ୍ରରୁ ଖନନ କରି ଉତ୍ପାଦିତ କରାଯାଏ। ଏବଂ ବିଶ୍ୱର ଦୁଇ-ତୃତୀୟାଂଶ ତୈଳ କାରବାର ଏହାର ମୂଲ୍ୟ ଉପରେ ନିର୍ଭର କରେ।

ପଢ଼ନ୍ତୁ- Saudi, Qatar oil facilities hit by iran: ଏବେ ତୈଳ ଯୁଦ୍ଧ ଆରମ୍ଭ: ସାରା ବିଶ୍ୱର ଅବସ୍ଥା ହେବ ସଂକଟାପନ୍ନ, ନୂଆ ମୋଡ଼ ନେଲା ଇରାନ ଯୁଦ୍ଧ

ସେହିପରି, WTI, ଆମେରିକା ବନ୍ଧୁର ଅଞ୍ଚଳରୁ ଉତ୍ପନ୍ନ କରାଯାଏ। ଏବଂ ଏହାର ସୁଦ୍ଧତା ଯୋଗୁ ଏହା ଆମେରିକା ବଜାର ପାଇଁ ପ୍ରାଥମିକ ମାନଦଣ୍ଡ। OPEC ବାସ୍କେଟ ହେଉଛି ସାଉଦି ଆରବ, ଇରାନ ଏବଂ ଇରାକକୁ ନେଇ ଗଠିତ ଗଲ୍ଫ ଦେଶର ସଂଗଠନ (OPEC) ଦ୍ୱାରା ଉତ୍ପାଦିତ ବିଭିନ୍ନ ଅଶୋଧିତ ତେଲର ହାରାହାରି ମିଶ୍ରଣ ମୂଲ୍ୟ ନିର୍ଦ୍ଧାରଣ କରେ।

ୟୁରୋପରେ ଗ୍ୟାସ୍ ମୂଲ୍ୟ ୩୦%ରୁ ଅଧିକ ବୃଦ୍ଧି ପାଇଛି

ଇରାନର କାତାର ଉପରେ ଆକ୍ରମଣ ୟୁରୋପରେ ଗ୍ୟାସ ମୂଲ୍ୟ ଉପରେ ସର୍ବାଧିକ ପ୍ରଭାବ ପକାଇଛି। ମୁଖ୍ୟ ଗ୍ୟାସ ଚୁକ୍ତିନାମା ଡଚ୍ TTF ବେଞ୍ଚମାର୍କ, ଗୋଟେ ସମୟରେ ପ୍ରାୟ ୩୦% ବୃଦ୍ଧି ପାଇ ୭୦ ୟୁରୋରେ ପହଞ୍ଚିଥିଲା। ତେବେ ବର୍ତ୍ତମାନ ଏହା ୧୬% ବୃଦ୍ଧି ସହ ପ୍ରାୟ ୬୩ ୟୁରୋରେ କାରବାର କରୁଛି।

ୟୁକେରେ ଗ୍ୟାସ୍ ମୂଲ୍ୟ ୧୪୦% ପର୍ଯ୍ୟନ୍ତ ବୃଦ୍ଧି ପାଇଛି

ବ୍ରିଟେନରେ ପାଇକାରୀ ଗ୍ୟାସ୍ ମୂଲ୍ୟ ପ୍ରତି ଥର୍ମ ୧୭୧.୩୪ ପେନ୍ସ ($୨.୨୯)କୁ ବୃଦ୍ଧି ପାଇଛି। ଜାନୁଆରୀ ୨୦୨୩ ପରଠାରୁ ଏତେ ମୂଲ୍ୟ ବୃଦ୍ଧି କେବେ ହେଇ ନଥିଲା। ଯୁଦ୍ଧ ଆରମ୍ଭ ହେବା ପରଠାରୁ ଏହା ପ୍ରାୟ ୧୪୦% ବୃଦ୍ଧି ପାଇଛି। ଯୁଦ୍ଧ ପୂର୍ବରୁ, ପ୍ରତି ଥର୍ମ ମୂଲ୍ୟ ୭୧.୧୩ ଫେନ୍ସ ($୧.୩୩) ଥିଲା।

ବିଶ୍ୱରେ ଇନ୍ଧନ ସଂକଟର ଦୁଇ କାରଣ

ଇରାନୀ ଡ୍ରୋନ୍ ଆକ୍ରମଣ ଯୋଗୁ ବିଶ୍ୱର ସର୍ବବୃହତ ଏଲ୍ଏନ୍ଜି ହବ୍ କତାରର ରାସ୍ ଲାଫାନ୍ ପ୍ଲାଣ୍ଟର ବହୁ କ୍ଷତି ହୋଇଛି, ଯାହା ବିଶ୍ୱ ଏଲଏନ୍ଜି ଯୋଗାଣର ପ୍ରାୟ ପଞ୍ଚମାଂଶ (୨୦%) ଯୋଗଦାନ ଦେଉଥିଲା। ଆକ୍ରମଣ ପରେ, ପ୍ଲାଣ୍ଟକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି, ଯାହା ଫଳରେ ଯୋଗାଣ ବାଧାପ୍ରାପ୍ତ ହୋଇଛି। ସେପଟେ ଇରାନ ଷ୍ଟେର୍ଟ ଅଫ୍ ହରମୁଜ ବନ୍ଦ କରିଦେବାରୁ ବାଣିଜ୍ୟ ଜାହାଜ ଜାତାୟାତ କରିପାରୁ ନାହିଁ। ତେଣୁ ତେଲ ବିଶ୍ୱର ଇନ୍ଧନ ସଂକଟ ଦେଖା ଦେଇଛି।

ଏହାରି ଭିତରେ ହରମୁଜ ଜଳ ପଥ ଖୋଲିବାକୁ ଆଗେଇ ଆସିଛନ୍ତି ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡସ ଓ ଜାପାନ ଭଳି ରାଷ୍ଟ୍ର। ହର୍ମୁଜ ଜଳପଥ ଦେଇ ଜାହାଜଗୁଡ଼ିକର ସୁରକ୍ଷିତ ଗମନାଗମନ ସୁନିଶ୍ଚିତ କରିବାରେ ଏମାନେ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି। ଏହା ବାଦ ପଡ଼ୋଶୀର ଇନ୍ଧନ ଉତ୍ପାଦନ ଭିତ୍ତିଭୂମି ଉପରେ ଆକ୍ରମଣ ନେଇ ଏମାନେ ଇରାନକୁ ସମାଲୋଚନା କରିଛନ୍ତି।