ତିନି ସପ୍ତାହ ତଳେ ଯେତେବେଳେ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କଲା, ଓ ଆମେରିକା ନିଆଁରେ ଘିଅ ଢାଳି ଇସ୍ରାଏଲକୁ ସହଯୋଗ କଲା ସେତେବେଳେ ସମସ୍ତେ ଭାବିଲେ ଯେ ଏହା ଏକ ସାମରିକ ଯୁଦ୍ଧ। ହେଲେ ଏବେ ଏହା ଏକ ତୈଳ ଯୁଦ୍ଧରେ ପରିଣତ ହେଲାଣି। ଗତ ୨୪ ଘଣ୍ଟା ମଧ୍ୟରେ ସ୍ଥିତି ପୂରା ସାଂଘାତିକ ହୋଇ ଯାଇଛି।

ବୁଧବାର ଇରାନ ଏବଂ ଇସ୍ରାଏଲ ପ୍ରଥମ ଥର ପାଇଁ ତୈଳ ଉତ୍ପାଦନ ସହିତ ଜଡ଼ିତ ଭିତ୍ତି ଭୂମି ଉପରେ ଆକ୍ରମଣ କରିଛନ୍ତି। ଯାହା ଫଳରେ ବିଶ୍ୱରେ ତୈଳ ସଂକଟ ସଂଘାତିକ ହୋଇପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି।

୧୭ ମାର୍ଚ୍ଚ ପର୍ଯ୍ୟନ୍ତ, ଆମେରିକା ଏବଂ ଇସ୍ରାଏଲ ଉପସାଗରରେ ଇରାନର ଶକ୍ତି ଉତ୍ପାଦନ ସୁବିଧାଗୁଡ଼ିକୁ ଟାର୍ଗେଟ କରିବାରୁ ନିବୃତ୍ତ ରହିଥିଲେ। ହେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ୯୦% ତୈଳ ରପ୍ତାନି କେନ୍ଦ୍ର ଖାର୍ଗ ଦ୍ୱୀପ ଉପରେ ଆକ୍ରମଣ କରିଥିଲା। ଏଥିରେ ମଧ୍ୟ ତୈଳ ଉତ୍ପାଦନ ପଏଣ୍ଟ ଛାଡ଼ି କେବଳ ସାମରିକ ସ୍ଥାନକୁ ଟାର୍ଗେଟ ହୋଇଥିଲା। ହେଲେ ବୁଧବାର ଇସ୍ରାଏଲ ସାଉଥ୍ ପାର୍ସ ଗ୍ୟାସଫିଲ୍ଡ ଉପରେ ଆକ୍ରମଣ କରିବା ପରେ ପରିସ୍ଥିତି ସାଂଘାତିକ ହୋଇଛି। ଇରାନ ଏହି ଗ୍ୟାସ୍‌ଫିଲ୍ଡ କତାର ସହ ଶେୟାର ବି କରୁଥିଲା।

ଆଉ ଇରାନ ପ୍ରତିଶୋଧ ପାଇଁ ସାଉଦି ଆରବରେ ଥିବା ବିଶାଳ ତୈଳ କମ୍ପାନୀ ଆରାମକୋର ସାମରେଫ୍ ରିଫାଇନାରୀ, କତାର ଏବଂ ୟୁଏଇରେ ଥିବା ଗ୍ୟାସ୍ ସୁବିଧା ଭିତ୍ତିଭୂମି ଉପରେ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଯାହା ସ୍ଥିତିକୁ ସାଙ୍ଘାତିକ କରିଦେଇଛି।

ସାଉଥ୍ ପାର୍ସ୍ ଗ୍ୟାସଫିଲ୍ଡ କାହିଁକି ଗୁରୁତ୍ୱପୂର୍ଣ୍ଣ?

ଆପଣ ଭାବିପାରନ୍ତି ଯେ ପାର୍ସ ଗ୍ୟାସଫିଲ୍ଡ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି ? କାରଣ ପୂର୍ବରୁ ମଧ୍ୟ ଶକ୍ତି କେନ୍ଦ୍ରଗୁଡ଼ିକ ଉପରେ ଆକ୍ରମଣ ହୋଇଛି। ହେଲେ ସାଉଥ୍ ପାର୍ସ ଗ୍ୟାସଫିଲ୍ଡ ହେଉଛି ବିଶ୍ୱର ସର୍ବବୃହତ ଗ୍ୟାସ ଫିଲ୍ଡ, ଯାହା ଭାରତ ସମେତ ବିଶ୍ୱସ୍ତରୀୟ ଏଲଏନଜି ଯୋଗାଣର ଏକ ମେରୁଦଣ୍ଡ। ଇସ୍ରାଏଲୀ ଆକ୍ରମଣ ପରେ ତୈଳ ଏବଂ ଗ୍ୟାସ ମୂଲ୍ୟରେ ତୁରନ୍ତ ବୃଦ୍ଧି ହେବା ହିଁ ଏହାର ଗୁରୁତ୍ୱକୁ ସୂଚାଉଛି।

ତେବେ ସାଉଥ ପାର୍ସ ଉପରେ ହୋଇଥିବା ଆକ୍ରମଣରୁ ଆମେରିକା ନିଜକୁ ଦୂରେଇ ରଖି ଏହା ଇସ୍ରାଏଲ କାମ ବୋଲି କହିଛି। ଟ୍ରମ୍ପଙ୍କର ଏଭଳି କହିବା ଆଶ୍ଚର୍ଯ୍ୟଜନକ ନୁହେଁ। ତେବେ ଏହା ଏକ ଦୁର୍ବୁଦ୍ଧି ହୋଇପାରେ ନିଶ୍ଚୟ। ଇରାନ ଦ୍ୱାରା ହରମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ଅବରୋଧ କରିବା ଯୋଗୁ ବିଶ୍ୱ ପୂର୍ବରୁ ଅଶୋଧିତ ତୈଳ ଯୋଗାଣ ବାଧା ସହିତ ସଂଘର୍ଷ କରୁଛି। ଆଉ ଏବେ ତୈଳ ଉତ୍ପାଦନ ସୁବିଧାଗୁଡ଼ିକର ଯେକୌଣସି କ୍ଷତି ବର୍ଷ ବର୍ଷ ଧରି ଅଏଲ ଇକୋନୋମି ଉପରେ ପ୍ରଭାବ ପକାଇପାରେ।

Also read-India's LPG Crisis Explained: ବିଶ୍ୱର ସର୍ବବୃହତ୍ ରିଫାଇନାରୀ ଥାଇ ବି ଭାରତରେ କାହିଁକି ଚାଲିଛି ଏଲପିଜି ସଙ୍କଟ? ଜାଣନ୍ତୁ କାରଣ...

ରଏଟର୍ସ ରିପୋର୍ଟ ଅନୁସାରେ, ସାଉଥ ପାର୍ସ ଗ୍ୟାସଫିଲ୍ଡରେ ୧,୮୦୦ ଟ୍ରିଲିୟନ ଘନଫୁଟ ଗ୍ୟାସ ଅଛି, ଯାହା ୧୨-୧୩ ବର୍ଷ ପାଇଁ ବିଶ୍ୱର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ। ତେହେରାନ ପାଇଁ, ସାଉଥ ପାର୍ସ ଏହାର ଶକ୍ତି ଯୋଗାଣର କେନ୍ଦ୍ର ବିନ୍ଦୁ। ଇରାନର ପ୍ରାୟ ୮୦% ବିଦ୍ୟୁତ୍ ଗ୍ୟାସଫିଲ୍ଡରୁ ହିଁ ଉତ୍ପାଦିତ ହୋଇଥାଏ।

ତେବେ ଏହି ଗ୍ୟାସଫିଲ୍ଡ ଏକାକୀ ଇରାନର ଶକ୍ତି କେନ୍ଦ୍ର ନୁହେଁ। ଇରାନ ଏହାକୁ ଆମେରିକାର ସହଯୋଗୀ ଏବଂ ବିଶ୍ୱର ସର୍ବବୃହତ LNG ଉତ୍ପାଦକ କତାର ସହ ବି ବାଣ୍ଟେ। କତାରରେ ଥିବା ଏହି ଅଂଶକୁ ଉତ୍ତର କ୍ଷେତ୍ର(ନର୍ଥ ଫିଲ୍ଡ ) କୁହାଯାଏ। ଯେଉଁଠାରୁ ବିଶ୍ୱ ବଜାରକୁ ବହୁ ପରିମାଣର LNG ରପ୍ତାନି କରାଯାଇଥାଏ। ବର୍ତ୍ତମାନ ଏହା ଉପରେ ଆକ୍ରମଣ ହେବା ମାନେ ବିଶ୍ୱରେ ଗ୍ୟାସ୍ ସଂକଟ ଆସିବା ଥୟ।

ଇରାନର ଟାର୍ଗେଟ୍‌ରେ ସାଉଦି,କତାର ଓ ୟୁଏଇ ତୈଳ ଭିତ୍ତିଭୂମି

ଇସ୍ରାଏଲ୍ର ଆକ୍ରମଣରେ ନର୍ଥ ଫିଲ୍ଡ ପ୍ରଭାବିତ ହୋଇ ନଥିଲେ ମଧ୍ୟ, ଇରାନ ଏହାର ପ୍ରତିଶୋଧ ମୂଳକ ଟାର୍ଗେଟ୍ରେ ଦୋହାର ରାସ ଲାଫାନ ଏଲଏନଜି ସୁବିଧା ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି। ଇରାନ ଆକ୍ରମଣ ପରେ ଏହାକୁ ପରିଚାଳନା କରୁଥିବା କାତାର ଏନର୍ଜି ଯଦିଓ ପୂର୍ବରୁ ଏହାକୁ ଆଂଶିକ ବନ୍ଦ କରିଦେଇଥିଲା, ତଥାପି ଇରାନ ଏହା ଉପରେ ଆଟାକ୍ କରିଛି।

ତେବେ ଏହି ଘଟଣାଗୁଡ଼ିକ ବିଶ୍ୱର ସବୁଠାରୁ ବଡ଼ LNG ଆମଦାନୀକାରୀ ରାଷ୍ଟ୍ରଙ୍କ ମଧ୍ୟରୁ ଗୋଟିଏ, ଭାରତ ଉପରେ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇପାରେ। କାରଣ ଏଲନ୍ଏନ୍ଜି ପାଇଁ ଏଥିପାଇଁ ଭାରତ କତାର ଉପରେ ବହୁତ ନିର୍ଭର କରେ। ପ୍ରକୃତରେ, ଭାରତର ପ୍ରାୟ ୮୦-୮୫% LPG କତାର ଏବଂ ସାଉଦି ଆରବରୁ ଆଣେ। ତେଣୁ ଏହି କ୍ଷେତ୍ରଗୁଡ଼ିକରେ ଦୀର୍ଘକାଳୀନ ପାଇଁ ଯୋଗାଣ ବାଧାପ୍ରାପ୍ତ ହେଲେ ଭାରତ ଉପରେ ଏହା ଗମ୍ଭୀର ପ୍ରଭାବ ପକାଇବ।