ନୂଆଦିଲ୍ଲୀ: ଆମେରିକା-ଇରାନ ଚୁକ୍ତି ଘୋଷଣା ହେବା ମାତ୍ରେ ଅଶୋଧିତ ତେଲ ମୂଲ୍ୟରେ ବଡ଼ ଧରଣର ହ୍ରାସ ଘଟିଛି । ସୋମବାର ପ୍ରାରମ୍ଭିକ କାରବାର ସମୟରେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତେଲ ଦର ୪%ରୁ ଅଧିକ ହ୍ରାସ ପାଇଛି । ଏବେ ଦେଖିବାକୁ ବାକି ରହିଲା କେନ୍ଦ୍ର ସରକାର ପେଟ୍ରୋଲ ଏବେ ଡିଜେଲ ଦାମ କମ କରି ଭାରତର ସାଧାରଣ ଜନତାଙ୍କୁ କେବେ ସୁଦ୍ଧା ଆଶ୍ୱସ୍ତି ଦେଉଛନ୍ତି ।

ମଧ୍ୟପ୍ରାଚ୍ୟ ଉପରୁ ଯୁଦ୍ଧର ବାଦଲ ହଟିବା ଖବର ଆସିବା ମାତ୍ରେ ବ୍ରେଣ୍ଟ କ୍ରୁଡ୍ (ଉପସାଗରୀୟ ଦେଶରୁ ଆମଦାନୀ ତୈଳ) ୪%ରୁ ଅଧିକ ହ୍ରାସ ପାଇଛି । ବ୍ୟାରେଲ ପିଛା ପ୍ରାୟ ୮୩.୭୫ ଡଲାରକୁ ଚାଲିଆସିଛି । ସେହିପରି ଡବ୍ଲ୍ୟୁଟିଆଇ କ୍ରୁଡ୍ ପ୍ରାୟ ୫% ହ୍ରାସ ପାଇ ବ୍ୟାରେଲ ପିଛା ପ୍ରାୟ ୮୦.୮୭ ଡଲାର ହୋଇଯାଇଛି । କେନ୍ଦ୍ରୀୟ ପେଟ୍ରୋଲିୟମ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, ସରକାର ସ୍ଥିତି ଉପରେ ନଜର ରଖିଛନ୍ତି । ହର୍ମୁଜ ପ୍ରଣାଳୀରେ ଉତ୍ତେଜନା ସମୟରେ ଦେଶର ତୈଳ ବିପଣନ କମ୍ପାନିଗୁଡ଼ିକ ବଡ଼ କ୍ଷତି ସହିଛନ୍ତି । କେନ୍ଦ୍ର ସରକାର ମଧ୍ୟ ଉତ୍ପାଦ ଶୁଳ୍କ ହ୍ରାସ କରିଥିଲେ । କ୍ଷତି ନିୟନ୍ତ୍ରଣ ବାହାରକୁ ଗଲା ପରେ ଦର ବୃଦ୍ଧି କରାଯାଇଥିଲା । ଏହି କ୍ଷତିକୁ ଗୋଟିଏ ଦିନରେ ଭରଣା କରାଯାଇପାରିବ ନାହିଁ ।

୭ରୁ ୮ ଟଙ୍କା ବଢ଼ିଥିଲା ପେଟ୍ରୋଲ-ଡିଜେଲ ଦାମ

ସୂତ୍ର ଅନୁସାରେ ଆଗକୁ ଯଦି ସବୁକିଛି ଠିକ୍ ରହେ, ତେବେ ସରକାର ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ଦେବେ । ବର୍ତ୍ତମାନ ପରିସ୍ଥିତି ଉପରେ ନଜର ରଖାଯାଇଛି, ଏବେ ସଙ୍କଟର ବାଦଲ ହଟୁଛି । ସ୍ଥିତି ସୁଧୁରିଲେ ନିଶ୍ଚିତ ଭାବେ ପେଟ୍ରୋଲ ଏବଂ ଡିଜେଲ ଦାମ ମଧ୍ୟ କମିବ । ସୂତ୍ରରୁ ଜଣାପଡ଼ିଛି ଯେ ଭାରତର ତୈଳ ବିପଣନ କମ୍ପାନିଗୁଡ଼ିକ ନିକଟରେ ପଶ୍ଚିମ ଏସିଆ ସଙ୍କଟ ସମୟରେ ହୋଇଥିବା କ୍ଷତିର ଭରଣା କରୁଛନ୍ତି । ସେତେବେଳେ ବୈଶ୍ୱିକ ସ୍ତରରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ପ୍ରାୟ ୧୨୦ ଡଲାରରେ ପହଞ୍ଚି ଯାଇଥିଲା । ମେ ମଧ୍ୟଭାଗରୁ ପେଟ୍ରୋଲ ଏବେ ଡିଜେଲ ଦର ଲିଟର ପିଛା ପ୍ରାୟ ୭ରୁ ୮ ଟଙ୍କା ବୃଦ୍ଧି ପାଇଛି । ଅଶୋଧିତ ତେଲ ଦର ହ୍ରାସ ପାଇବା ସହ ଯଦି ଏଥିରେ ସ୍ଥିରତା ରହେ, ତେବେ କମ୍ପାନିଗୁଡ଼ିକର କ୍ଷତି ଖୁବ୍ ଶୀଘ୍ର ଭରଣା ହୋଇଯିବ ।

ଉଲ୍ଲେଖଯୋଗ୍ୟ ଯେ ଭାରତ ନିଜର ଆବଶ୍ୟକତାର ୮୫%ରୁ ତେଲ ଆମଦାନୀ କରିଥାଏ । ଆମେରିକା-ଇରାନ ମଧ୍ୟରେ ଚୁକ୍ତିନାମା ଘୋଷଣା ହେବା ପରେ ଅନ୍ତର୍ଜାତୀୟ ସ୍ତରରେ ତେଲ ଦର କମିଛି, କିନ୍ତୁ ଆମଦାନୀ ଖର୍ଚ୍ଚ ଏବେ ମଧ୍ୟ ଟଙ୍କା-ଡଲାର ବିନିମୟ ମୂଲ୍ୟ ଏବଂ ଅଧିକ ପରିବହନ ଓ ବୀମା ଖର୍ଚ୍ଚ ଦ୍ୱାରା ପ୍ରଭାବିତ ହେଉଛି । ସୂତ୍ର ଅନୁଯାୟୀ, ସରକାର ପ୍ରତ୍ୟେକ ଦିଗ ଉପରେ ନଜର ରଖିଛନ୍ତି । ଏଥିପାଇଁ ଆଉ କିଛି ସମୟ ଲାଗିବ ।

ଉଲ୍ଲେଖଯୋଗ୍ୟ ଯେ, ନିକଟରେ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଥିଲେ ଯେ ବୈଶ୍ୱିକ ସ୍ତରରେ ଯଦି ଦୀର୍ଘ ସମୟ ପର୍ଯ୍ୟନ୍ତ ଅଶୋଧିତ ତେଲର ମୂଲ୍ୟ କମ ରହେ, ତେବେ ଗ୍ରାହକମାନେ ଉପକୃତ ହୋଇପାରିବେ । କ୍ରୁଡ୍ ଦର କ୍ରମାଗତ ଭାବେ ହ୍ରାସ ପାଇଲେ ତୈଳ କମ୍ପାନିଗୁଡ଼ିକର ଆର୍ଥିକ ସ୍ଥିତି ଭଲ ହେବ । ଯଦି ବ୍ରେଣ୍ଟ କ୍ରୁଡ୍ ମୂଲ୍ୟ କିଛି ମାସ ପର୍ଯ୍ୟନ୍ତ ବ୍ୟାରେଲ ପିଛା ୮୦ରୁ ୮୫ ଡଲାର ମଧ୍ୟରେ ରହେ, ତେବେ ଭାରତରେ ପେଟ୍ରୋଲ ଏବେ ଡିଜେଲ ଦାମ ପ୍ରାୟ ୨ରୁ ୫ ଟଙ୍କା ପର୍ଯ୍ୟନ୍ତ କମିପାରେ ।