ମାଲକାନଗିରି: ଗାଁର ଥିବା ଏକ ପୋଖରୀକୁ ଚାଲିଆସିଛି କୁମ୍ଭୀର। ଏପର୍ଯ୍ୟନ୍ତ ଖାଇଗଲାଣି ୯୦ରୁ ଅଧିକ ହଂସ ଓ ପୋଖରୀର ବହୁ ମାଛ। ଏଭଳି ଅଭିଯୋଗ ଆଣିଛନ୍ତି ମାଲକାନଗିରି ଜିଲ୍ଲା ଏମଭି-୧୦୪ ଗାଁର ଜନୈକ ବ୍ୟକ୍ତି। ଖବର ପାଇ ବନ ବିଭାଗ ପହଞ୍ଚି କୁମ୍ଭୀରଟିକୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ବେଳେ, ପୋଖରୀ ନିକଟରେ ଗ୍ରାମବାସୀଙ୍କ ଭିଡ଼ ଦେଖିବାକୁ ମିଳିଛି।

ମାଲକାନଗିରି ଜିଲ୍ଲା ଏମଭି-୧୦୪ ଗାଁରେ କୁମ୍ଭୀର ଆତଙ୍କ । ବାଲିମେଳା ବନାଞ୍ଚଳ ଅନ୍ତର୍ଗତ ଚିତାପାରି-୩ ପଞ୍ଚାୟତର ଏମଭି-୧୦୪ ଗାଁର ମହାନନ୍ଦ ମଣ୍ଡଳଙ୍କ ପୋଖରୀରେ ଏକ ବଡ଼ କୁମ୍ଭୀର ବୁଲୁଥିବା ଜଣାପଡ଼ିବା ପରେ ଗାଁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୋଖରୀ ମାଲିକ ଅଭିଯୋଗ କରିଛନ୍ତି ଯେ, କୁମ୍ଭୀରଟି ପୋଖୀରରେ ଥିବା ୯୦ରୁ ଉର୍ଦ୍ଧ୍ବ ହଂସ ସହ ବହୁ ମାଛ ଖାଇସାରିଲାଣି। ତେବେ ଖବର ପାଇ ବନ ବିଭାଗର ରାପିଡ ରେସପନ୍ସ ଟିମ୍ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀରଟିକୁ ସୁରକ୍ଷିତ ଭାବେ ଧରିବା ପାଇଁ ଅପରେସନ ଆରମ୍ଭ କରିଛନ୍ତି ।

Also Read: ଜାଲରେ ପଡ଼ିଲା କ୍ୱିଣ୍ଟାଲ କ୍ୱିଣ୍ଟାଲ ଇଲିସି, ମତ୍ସ୍ୟଜୀବୀ ମାଲେମାଲ୍

ଏପର୍ଯ୍ୟନ୍ତ ମିଳିଥିବ ସୂଚନା ଅନୁସାରେ, ବନ ବିଭାଗ କୁମ୍ଭୀରଟିକୁ ଧରିବା ପାଇଁ ଜାଲ ପକାଇଥିଲା । ହେଲେ କୁମ୍ଭୀରଟି ବଡ଼ ହୋଇଥିବାରୁ ମାଛ ଜାଲରେ ଧରିବା ସମ୍ଭବ ହୋଇନଥିଲା । ତେବେ ବଡ଼ ଜାଲ ଆଣି କୁମ୍ଭୀରକୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତି ଚାଲିଛି । ଅନ୍ୟପଟେ ବନ ବିଭାଗ ଲୋକଙ୍କୁ ପୋଖରୀ ନିକଟକୁ ନଯିବା ଲାଗି ସତର୍କ କରୁଛି । ପୋଖରୀ ନିକଟରେ ଏକ ନାଳ ପୋଟେରୁ ନଦୀ ସହ ମିଶିଥିବାରୁ ନଦୀରୁ କୁମ୍ଭୀରଟି ପୋଖରୀକୁ ଆସିଥାଇପାରେ ବୋଲି ଅନୁମାନ କରୁଛି ବନ ବିଭାଗ ।