କଟକ ୨୮।୫: ବାଲିଅନ୍ତା କନେଷ୍ଟବଳ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଅଶୋକ ଜେନା ଓରଫ ଗେଡାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ପଟିଆର ଏକ ହୋଟେଲରେ ଲୁଚିଥିବା ବେଳେ ଗେଡାକୁ ଗିରଫ କରିବାରେ ସଫଳ ହୋଇଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ମୋଟ୍ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆହୁରି ୧୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରିବା ଟିମ୍ ଉଦ୍ୟମ କରୁଥିବା କହିଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ।

ବହୁ ଚର୍ଚ୍ଚିତ ସୌମ୍ୟରଞ୍ଜନ ହତ୍ୟା ଘଟଣାରେ ଗେଡା ହିଁ ଏକ ବାଉଁଶରେ ସୌମ୍ୟଙ୍କ ମୁଣ୍ଡ, ମୁହଁ ଓ ଅନ୍ୟ ଜାଗାକୁ ଆକ୍ରମଣ କରିଥିଲା । ଏହାର ଭିଡିଓ ପ୍ରମାଣ ଓ ସ୍ଥାନୀୟ ଲୋକଙ୍କ ବୟାନ ଆଧାରରେ ଗେଡା ଓରଫ ଅଶୋକ ଜେନାକୁ ଗିରଫ କରିଛି ପୋଲିସ । ତେବେ ଅଶୋକକୁ ଗିରଫ କରିବା ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ବହୁତ ଆଡେ ରେଡ୍ ମାରିଥିଲେ ହେଲେ ଚାଲାକ ଗେଡା ମୋବାଇଲ ବ୍ୟବହାର କରୁନଥିଲା । ତାକୁ ଜଣେ ବନ୍ଧୁ ପଟିଆର ଏକ ହୋଟେଲରେ ଲୁଚେଇକି ରଖିଥିଲେ । ସ୍ଥାନୀୟ ଗୁଇନ୍ଦା ସୂଚନା ଆଧାରରେ ତାକୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଡିଆଇଜି ବି. ଗଙ୍ଗାଧର ।

Also Read:- OCS ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି କେନ୍ଦୁଝରର ବୁବୁନ ସାହୁ, ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଚଳିତ ମାସ ୭ ତାରିଖରେ ବାଲିଅନ୍ତାରେ କନଷ୍ଟେବଳ ସୌମ୍ୟରଞ୍ଜନ ସ୍ୱାଇଁଙ୍କୁ ବହୁ ବ୍ୟକ୍ତି ପିଟି ପିଟି ହତ୍ୟା କରିଥିଲେ । ଏକ ଯୁବତୀଙ୍କ ସହ ଗଣ୍ଡଗୋଳ ହେବାରୁ ସ୍ଥାନୀୟ ଲୋକ ପିଟିପିଟି ମାରି ଦେଇଥିଲେ । ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । କ୍ରାଇମବ୍ରାଞ୍ଚ ସବୁ ଦିଗକୁ ନେଇ ତଦନ୍ତ କରି ଏ ପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରି ସାରିଲାଣି । ଏହି ଘଟଣାରେ ଆହୁରି ୧୦ଜଣଙ୍କୁ ଚିହ୍ନଟ କରାଯାଇଥିବା ଡିଆଇଜି କହିଛନ୍ତି । ସୌମ୍ୟଙ୍କ ସହ ସେ ଯୁବତୀଙ୍କ ପରିଚୟ ଥିଲା କି ନାହିଁ ସେ ନେଇ ତଦନ୍ତ କରାଯାଉଛି । ଆବଶ୍ୟକ ପଡ଼ିଲେ ପଲିଗ୍ରାଫ ଟେଷ୍ଟ ହେବ ବୋଲି ଡିଆଇଜି କହିଛନ୍ତି ।

ଏହି ଘଟଣାରେ କ୍ରାଇମବ୍ରାଞ୍ଚର ଟେକ୍ନିକାଲ ୱିଙ୍ଗ୍ ସ୍ଥାନୀୟ ଗୁଇନ୍ଦା ଓ ଭିଡିଓ ଫୁଟେଜକୁ ନେଇ ତଦନ୍ତକୁ ଆଗକୁ ବଢ଼ାଉଛି । ଅନ୍ୟ ଅଭିଯୁକ୍ତ ଖୁବ୍‌ଶୀଘ୍ର ଗିରଫ ହେବେ ।