ୱାସିଂଟନ: ଆମେରିକା ଏଭିଏସନ ରେଗୁଲେଟର ଏଫଏଏ ବୋଇଂ ୭୩୭ ମ୍ୟାକ୍ସ ବିମାନଙ୍କ ଯାଞ୍ଚ ଆଦେଶ ଦେଇଛନ୍ତି। ଏଫଏଏଙ୍କ ଏହି ନିର୍ଦ୍ଦେଶ ଯୋଗୁ ୪୭୧ ଟି ବିମାନ ପ୍ରଭାବିତ ହେବେ ବୋଲି ଜଣାପଡିଛି। ଏଭିଏସନ ନିୟାମକ କହିଛନ୍ତି ଯେ ପିଛିଲା ରିପୋର୍ଟରେ ମିଳିଥିବା ଅସୁରକ୍ଷିତ ସ୍ଥିତିକୁ ଠିକ୍ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏପର୍ଯ୍ୟନ୍ତ ବୋଇଂର ମ୍ୟାକ୍ସ ମଡେଲରେ କୌଣସି କ୍ରାକ୍ ଦେଖା ଯାଇ ନାହିଁ। ତେବେ ନଭେମ୍ବର ମାସରେ ପ୍ରସ୍ତାବ ଦେବା ସମୟରେ ଏଫଏଏ କହିଥିଲେ ଯେ କେତେକ ପୁରୁଣା ନେକ୍ସଟ ଜେନେରେସନ ୭୩୭ ବିମାନର ବେୟର ଷ୍ଟ୍ରାପରେ କ୍ରାକ୍ ଦେଖା ଯାଇଥିଲା।

ବେୟର ଷ୍ଟ୍ରାପ୍ ଏକ ମେଟାଲ ସିଟ୍ ହୋଇଥାଏ, ଯାହା ଦ୍ୱାର ଓ ଏମାର୍ଜେନ୍ସୀ ଏଗଜିଟ୍ କୁ ମଜଭୁତ କରିଥାଏ। ଏଫଏଏ କହିଛନ୍ତି ଯେ ମ୍ୟାକ୍ସ ଜେଟ୍ ଡିଜାଇନ ପୁରୁଣା ମଡେଲ ଭଳି, ଏଣୁ ଏଥିରେ ମଧ୍ୟ ସେହିପରି କ୍ରାକ୍ ଆସି ପାରେ। ତେବେ ବୋଇଂ କହିଛି ଯେ ସେ ପ୍ରଥମରୁ ସମସ୍ୟା ଚିହ୍ନଟ କରିସାରିଥିଲା। କମ୍ପାନୀ କହିଛି ଆମେ ଗତ ୬ ବର୍ଷ ହେଲା ଅପରେଟରଙ୍କ ସହିତ ଏହା ଉପରେ କାମ କରିଆସୁଛୁ। ଏଥି ପାଇଁ ୨୦୧୯ ମସିହାରେ ପ୍ରଭାବିତ ନେକ୍ସଟ ଜେନ ୭୩୭ ଲାଗି ଇନିସ୍ପେକ୍ସନ ନିର୍ଦ୍ଦେଶ ପଠାଇ ଦିଆଯାଇଥିଲା, ଯାହାକୁ ଏଫଏଏ ୨୦୨୧ରେ ବାଧ୍ୟତାମୂଳକ କରିଥିଲେ।