ବେଙ୍ଗାଲୁରୁ, ୦୮/୦୯ : କର୍ଣ୍ଣାଟକର ଏକ ଆବାସିକ ବିଦ୍ୟାଳୟ ୫ ବର୍ଷ ହେଲା ଗୁହାଳଘରେ ଚାଲୁଛି। ୧୭୨ ଛାତ୍ରଛାତ୍ରୀ ଏହି ଗୁହାଳରେ ଖାଇବା, ଶୋଇବା ସହ ପାଠ ପଢୁଛନ୍ତି । ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ସରକାର ଆକ୍ସନକୁ ଆସିଛନ୍ତି। ପ୍ରାଥମିକ ଓ ମାଧ୍ଯମିକ ଶିକ୍ଷା ମନ୍ତ୍ରୀ ଘଟଣାକୁ ନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି।

କର୍ଣ୍ଣାଟକର ହସନ ବ୍ଲକ ଅନ୍ତର୍ଗତ ଶାତିଗ୍ରାମସ୍ଥିତ ଡ. ବି ଆର୍ ଆମ୍ବେଦକର ଆବାସିକ ବିଦ୍ୟାଳୟ ୫ ବର୍ଷ ହେଲା ଗୁହାଳରେ ଚାଲୁଥିବା ଜଣାପଡ଼ିଛି। ଏବେ ବିଦ୍ୟାଳୟର ପରିମଳ, ପାନୀୟ ଜଳ ଏବଂ ସ୍ବଚ୍ଛତା ଭଳି ମୌଳିକ ସୁବିଧାକୁ ନେଇ ପ୍ରଶ୍ନ ଉଠିଛି। ବିଭିନ୍ନ ମହଲରେ ଏହାକୁ ସମାଲୋଚନା କରାଯାଉଛି। ସାମାଜିକ କଲ୍ୟାଣ ବିଭାଗ ଦ୍ଵାରା ଏହି ବିଦ୍ୟାଳୟ ଚାଲୁଛି। ଖବର ଅନୁସାରେ, ବିଦ୍ୟାଳୟରେ ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ରହିଛି । ୯୨ ଛାତ୍ର ଏବଂ ୮୦ ଜଣ ଛାତ୍ରୀ ଏଠାରେ ଅଧ୍ୟୟନ କରୁଛନ୍ତି। ପୃଥକ୍ ଶ୍ରେଣୀଗୃହ ଏବଂ ରହଣି ସ୍ଥାନ ନ ଥିବାରୁ ଛାତ୍ରଛାତ୍ରୀମାନେ ସେମାନଙ୍କ ଦୈନନ୍ଦିନ କାର୍ଯ୍ୟକଳାପ ଗୁହାଳରେ କରୁଛନ୍ତି।

Also Read :- ପରାଜୟ ପରେ AI ସାହାରା: ଆନିମେସନ୍‌ରେ ଭାରତୀୟ ବାୟୁସେନା ଘାଟି ଉଡ଼ାଇଲା ପାକିସ୍ତାନ !

ଗୁହାଳକୁ ଶ୍ରେଣୀଗୃହ, ଭୋଜନ ଓ ଶୟନ କକ୍ଷ ଭାବେ ବ୍ୟବହାର କରାଯାଉଛି। ଗୁହାଳରେ ଭଲ ଭାବେ ବାୟୁ ଚଳାଚଳ ହେଉନାହିଁ କିମ୍ବା ସୂର୍ଯ୍ୟ ଆଲୋକ ପଡ଼ୁନାହିଁ । ପାଠପଢ଼ା ବେଳେ ଷଷ୍ଠ ଶ୍ରେଣୀ ପିଲା ତଳେ ବସି ପଢୁଛନ୍ତି। ୯୨ ଛାତ୍ରଙ୍କ ନିମନ୍ତେ ମାତ୍ର ୫ଟି ପାଇଖାନା ରହିଛି । ୮୦ ଛାତ୍ରୀ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଅଭିଯୋଗ ହେବା ପରେ ସାମାଜିକ କଲ୍ୟାଣ ବିଭାଗ ସଫେଇ ଦେଇ କହିଛି, ବିଦ୍ୟାଳୟ ପାଇଁ ନୂଆ କୋଠାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ସେହିଭଳି ଅଧିକାରୀଙ୍କ ଅନୁସାରେ, ପିଲାଙ୍କ ନିମନ୍ତେ ଏକ ବିକଳ୍ପ ଉପଯୁକ୍ତ ବ୍ୟବସ୍ଥା ହୋଇ ନ ପାରିବା କାରଣରୁ ସେମାନଙ୍କୁ ଗୁହାଳକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଶିକ୍ଷା କର୍ତ୍ତୃପକ୍ଷ ବିଦ୍ୟାଳୟରେ ଉପଲବ୍ଧ ବ୍ୟବସ୍ଥା ବାବଦରେ ରିପୋର୍ଟ ପ୍ରସ୍ତୁତି ପାଇଁ ଯାଞ୍ଚ ଚଳାଇଛନ୍ତି। ଘଟଣାଟି ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଛି।