ନୂଆଦିଲ୍ଲୀ: ପାକିସ୍ତାନ ବାୟୁସେନା (PAF) ପକ୍ଷରୁ ବାୟୁସେନା ଦିବସ (ସେପ୍ଟେମ୍ବର ୭) ଅବସରରେ ଜାରି କରାଯାଇଥିବା ଏକ ଆନିମେଟେଡ୍ ଏବଂ ଏଆଇ (AI) ଜେନେରେଟେଡ୍ ଭିଡିଓକୁ ନେଇ ଏବେ ଅନ୍ତର୍ଜାତୀୟ ସ୍ତରରେ ପ୍ରବଳ ଚର୍ଚ୍ଚା । "ଫିଜାଓଁ କେ ପାସବାଁ" (Fizaon ke Pasban) ନାମକ ଏହି କଳ୍ପନା ଉପରେ ଆଧାରିତ ଭିଡିଓରେ ପାକିସ୍ତାନ 'ଅପରେସନ୍ ସିନ୍ଦୂର' ସମୟରେ ଭାରତ ବିରୋଧରେ ମିଥ୍ୟା ବିଜୟ ଦର୍ଶାଇବାକୁ ଚେଷ୍ଟା କରିଛି।

ଭିଡିଓରେ କମ୍ପ୍ୟୁଟର ଗ୍ରାଫିକ୍ସ ସାହାଯ୍ୟରେ ଦର୍ଶାଯାଇଛି ଯେ, ପାକିସ୍ତାନୀ ମିସାଇଲ୍ ଏବଂ ଡ୍ରୋନ୍‌ ଭାରତୀୟ ସୀମା ଭିତରକୁ ପ୍ରବେଶ କରି ୩୨ଟି ଭାରତୀୟ ବାୟୁସେନା (IAF) ବେସ୍‌କୁ ଧ୍ୱଂସ କରିଛି । ଏହା ସହିତ ୨ଟି S-400 ଏୟାର ଡିଫେନ୍ସ ସିଷ୍ଟମ୍, ୮ଟି ଯୁଦ୍ଧ ବିମାନ (୪ଟି ରାଫେଲ୍, ୧ଟି ସୁଖୋଇ-୩୦, ୧ଟି ମିଗ୍-୨୯, ୧ଟି ମିରାଜ-୨୦୦୦, ୧ଟି ହେରନ୍ ଡ୍ରୋନ୍), ଭାରତୀୟ ସଂସଦ, କାଣ୍ଡଲା ବନ୍ଦର ଏବଂ INS ବିକ୍ରାନ୍ତକୁ ଟାର୍ଗେଟ କରାଯାଇଥିବା ଦାବି କରାଯାଇଛି।

ଏହି ସମ୍ପୂର୍ଣ୍ଣ ଭିଡିଓଟି କେବଳ ଡିଜିଟାଲ୍ ଆନିମେସନ୍ ଏବଂ ଗ୍ରାଫିକ୍ସ ଉପରେ ଆଧାରିତ। ଏଥିରେ କୌଣସି ପ୍ରକୃତ ସାଟେଲାଇଟ୍ ଇମେଜ୍‌, ବାସ୍ତବ ଚିତ୍ର କିମ୍ବା କ୍ଷତିର ଭିଡିଓ ପ୍ରମାଣ ଦିଆଯାଇନାହିଁ। S-400 ନଷ୍ଟ ହେବା ଦାବିକୁ ଭାରତୀୟ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋ (PIB) ପୂର୍ବରୁ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ପ୍ରମାଣିତ କରିସାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଆଦମପୁର ବାୟୁସେନା ଷ୍ଟେସନ୍ ଗସ୍ତ କରି ସୁରକ୍ଷିତ ଥିବା S-400 ସିଷ୍ଟମ୍ ସାମ୍ନାରେ ଠିଆ ହୋଇ ଏହି ଗୁଜବର ଅନ୍ତ ଘଟାଇଥିଲେ।

ଭାରତ ଦ୍ୱାରା ପ୍ରକାଶିତ 'ଡିକ୍ଲାସିଫାଇଡ୍: ଓପରେସନ୍ ସିନ୍ଦୂର' ଡକ୍ୟୁମେଣ୍ଟାରୀର ଜବାବ ଦେବାକୁ ଯାଇ ପାକିସ୍ତାନ ଏହି ଭିଡିଓ ଜାରି କରିଥିବା କୁହାଯାଉଛି। ସେହି ଡକ୍ୟୁମେଣ୍ଟାରୀରେ ସାଟେଲାଇଟ୍ ଚିତ୍ର ସହ ପାକିସ୍ତାନର ନୂର ଖାନ୍, ଭୋଲାରୀ, ଶାହବାଜ୍ ଏବଂ ମୁଶାଫ୍ ଆଦି ବାୟୁସେନା ଘାଟି ନଷ୍ଟ ହେବାର ପ୍ରମାଣ ଦିଆଯାଇଥିଲା। କୌଣସି ପ୍ରକୃତ ସାଟେଲାଇଟ୍ ପ୍ରମାଣ ନଥାଇ କେବଳ ଏଆଇ ଭିଡିଓ ଜରିଆରେ ଯୁଦ୍ଧ ଜିତିବାର ଏହି ପ୍ରଚେଷ୍ଟାକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞମାନେ ପାକିସ୍ତାନ ବାୟୁସେନାକୁ ପ୍ରବଳ ସମାଲୋଚନା ଓ କଟାକ୍ଷ କରିଛନ୍ତି।