କୋଲକାତା: ତୃଣ ମୂଳ କଂଗ୍ରେସ (ଟିଏମସି) ସାଂସଦ ମହୂଆ ମୋଇତ୍ରାଙ୍କୁ ପିଛା ଛାଡୁନି ସମସ୍ୟା। ନଦିଆ ଡିଲ୍ଲା କୃଷ୍ଣନଗରସ୍ଥିତ ତୃତୀୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ଙ୍କ କୋର୍ଟ ଏକ ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିଛନ୍ତି। କୋର୍ଟରେ ହାଜର ହେବା ପାଇଁ ତାଙ୍କୁ ଅନେକ ସମନ ଜାରି ହୋଇଥିଲା। ତେବେ ସେ ହାଜର ନ ହେବାରୁ ଶେଷରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିଛନ୍ତି। କଥିତ ଆପତ୍ତିଜନକ ବୟାନ ଲାଗି କୋର୍ଟ ଏହି ୱାରେଣ୍ଟ ଜାରି କରିଛନ୍ତି।

ଅଭିଯୋଗରେ ମହୂଆ ମୋଇତ୍ରାଙ୍କ ବିରୋଧରେ ମହିଳାଙ୍କ ସମ୍ମାନକୁ ଠେସ୍ ପହଞ୍ଚାଇବା, ପୃଥକ-ପୃଥକ ସମୂଦାୟ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିବା, ଲୋକଙ୍କ ଧାର୍ମିକ ଭାବନାକୁ ଆହତ କରିବା ଓ ଅପରାଧିକ ଧମକ ଦେବା ଆଦି ଅଭିଯୋଗ କରାଯାଇଛି, ଯାହା ଦ୍ୱାରା ଶାନ୍ତି ଭଙ୍ଗ ହେବାର ଆଶଙ୍କା ସୃଷ୍ଟି ହୋଇଥିଲା। ଏ ବାବଦେ କୋର୍ଟ ଅନେକବାର ମହୂଆଙ୍କୁ ସମନ ଜାରି କରିଥିଲା, ହେଲେ ମହୂଆ ଟାଳି ଚାଲିଥିଲେ। ଏହା ପରେ କୋର୍ଟ ଗିରଫ ୱାରେଣ୍ଟ ଜାରି କରିବାକୁ ନିଷ୍ପତ୍ତି ନେଇଥିଲେ।

ପୋଲିସ ଅନୁସାରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସ) ଧାରା ୨୨୭ରେ ମାମଲା ରୁଜୁ ହୋଇଥିଲା। କୋର୍ଟରେ ଏହି ମାମଲାର ଶୁଣାଣି କାଳରେ ମହୂଆଙ୍କୁ ଅନେକବାର ସମନ କରାଯାଇଥିଲା। ପୋଲିସ କହିବା କଥା ହେଉଛି ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ସମନ ଜାରି ହେବା ସତ୍ତ୍ୱେ ସେ କୋର୍ଟରେ ହାଜର ହେଉ ନାହାନ୍ତି, ଏଣୁ ନ୍ୟାୟାଳୟ ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ତେବେ ବିବାଦର ଆରମ୍ଭ ୧୪ ଅଗଷ୍ଟ ରାତିରେ ହୋଇଥିଲା। ମହୂଆ ଅଭିଯୋଗ କରିଥିଲେ ଯେ ତାଙ୍କୁ ରାତି ପାଖାପାଖି ୧୦ଟା ବେଳେ କୃଷ୍ଣ ନଗର ସର୍କିଟ ହାଉସ୍ ରୁ ଘର ଖାଲି କରିବାକୁ କୁହାଯାଇଥିଲା। ତାଙ୍କର ଏହି ଅଭିଯୋଗ ପରେ ପ୍ରଶାସନ ଓ ସାଂସଦଙ୍କ ମଧ୍ୟରେ ବିବାଦ ଖୋଲାଖୋଲି ସାମ୍ନାକୁ ଆସିଥିଲା। ମହୂଆଙ୍କ କହିବା କଥା ହେଲା ସେ ୧୪ ଅଗଷ୍ଟ ସନ୍ଧ୍ୟା ପାଖାପାଖି ୬ଟା ୧୫ ମିନିଟ୍ ରେ ସର୍କିଟ ହାଉସ୍ ପହଞ୍ଚିଥିଲେ, ତାଙ୍କୁ ତାଙ୍କ ନିୟମିତ କୋଠରୀ ଦିଆଯାଇଥିଲା। ସମୟରେ ଚା ଓ ଖାଦ୍ୟ ମଧ୍ୟ ପରସା ଯାଇଥିଲା। ତେବେ ରାତି ପାଖାପାଖି ୯ଟା ୪୭ ମିନିଟ୍ ରେ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କୁ ଫୋନ କରି ସର୍କିଟ ହାଉସ୍ ଖାଲି କରିବାକୁ କହିଥିଲେ।

ଏହାର କିଛି ସମୟ ପରେ ଡେପୁଟି କଲେକ୍ଟରଙ୍କ ହ୍ୱାଟସ ଆପ୍ ବାର୍ତ୍ତା ମିଳିଥିଲା, ଏଥିରେ ତାଙ୍କ ୧୨ ଅଗଷ୍ଟର ଏକ ଆଦେଶ ପଠାଯାଇଥିଲା, ଯେଉଁଥିରେ ସର୍କିଟ ହାଉସ୍ ରକ୍ଷଣାବେକ୍ଷଣ ନିମନ୍ତେ ଘର ଖାଲି ରଖିବାକୁ କୁହାଯାଇଥିଲା। ଏହାକୁ ନେଇ ବିବାଦ ବଢି ଯାଇଥିଲା। ଏହା ପରେ ମହୂଆ ମୋଇତ୍ରା ନଦିୟା ପ୍ରଶାସନ ବିରୋଧରେ ଅପମାନଜନକ ବ୍ୟବହାରର ଅଭିଯୋଗ କରିଥିଲେ। ସେ ଲୋକସଭା ଅଧ୍ୟକ୍ଷ ଓମ ବିରଳାଙ୍କୁ ୩ ଜଣ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ବିଶେଷାଧିକାର ଉଲ୍ଲଂଘନ ନୋଟିସ୍ ମଧ୍ୟ ଦେଇଥିଲେ। ଏବେ ଏହି ବିବାଦ ସମ୍ପର୍କିତ ଅଭିଯୋଗ ମାମଲାରେ କୋର୍ଟଙ୍କ ପକ୍ଷରୁ ଗିରଫ ୱାରେଣ୍ଟ ଜାରି ହେବା ପରେ ମାମଲା ପୁଣି ଚର୍ଚ୍ଚାକୁ ଆସିଛି।