ବଡ଼ବିଲ: ଭାଙ୍ଗିଲା ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପ କପର୍ ଡ୍ୟାମ୍ । ଗୁରୁବାର ସକାଳ ପ୍ରାୟ ୭ଟା ୩୦ ମିନିଟ୍ ସମୟରେ ମାଟି ବନ୍ଧ ବା କପର୍ ଡ୍ୟାମ୍ ଭାଙ୍ଗିବା ପରେ ମୁଖ୍ୟ ଡ୍ୟାମର ୬ଟି ରେଡିୟାଲ ଏବଂ ୨ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଗଲା। ଡ୍ୟାମ୍ ଅଞ୍ଚଳରେ ସତର୍କ ସାଇରନ୍ ବାଜାଜିବା ସହ ଲୋକଙ୍କୁ ପାଖକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ଘଟଣା ସ୍ଥଳରେ ପୋଲିସ୍ ପ୍ରଶାସନ ଜଗି ରହିଛନ୍ତି ।

ବନ୍ୟାଜଳ ଛଡ଼ାଯିବ ପରେ ବୈତରଣୀର ତଳ ମୁଣ୍ଡରେ ବନ୍ୟା ଆଶଙ୍କା ଦେଖାଦେଇଛି । ଯୋଡ଼ା,ଚମ୍ପୁଆ, ପାଟଣା, ଝୁମ୍ପୁରା ବ୍ଲକର ବିଭିନ୍ନ ନଈ ପାଖିଆ ଗାଁ ଏବଂ ତଳି ଅଞ୍ଚଳର ଲୋକଙ୍କୁ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଦିଆଯିବା ସହ ନଦୀକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି । ବୈତରଣୀରେ ବନ୍ୟାଜଳ ପ୍ରବାହିତ ହେବା ଯୋଗୁଁ ଆନନ୍ଦପୁର ଏବଂ ଆଖୁଆପଦାରେ ଜଳ ସ୍ତର ବୃଦ୍ଧି ନେଇ ଆଶଙ୍କା ଦେଖାଦେଇଛି ।

also read-ବନ୍ୟା ସ୍ଥିତିରେ ଆସିନାହିଁ ସୁଧାର, ଏବେବି ଅନେକ ଲୋକ ପାଣି ଘେରରେ

ଆସନ୍ତା ଜୁଲାଇ ଶେଷ ସୁଦ୍ଧା ନିର୍ମାଣାଧୀନ କାନୁପୁର ଡ୍ୟାମର ପ୍ରକଳ୍ପ କାର୍ଯ୍ୟ ଶେଷ ପାଇଁ ଲକ୍ଷ୍ୟ ରଖାଯାଇଥିଲା। ଏଥିପାଇଁ ୨ଟି ଡିପ୍ଲିସନ୍ ସ୍ଲୁଇସ୍ ଗେଟ୍ ଏବଂ ୫ ଟି ରେଡିୟଲ ଗେଟ୍ ନିର୍ମାଣ କାର୍ଯ୍ୟ ପାଇଁ ଅସ୍ଥାୟୀ ଭାବେ ମାଟି ପକାଇ ନିର୍ମାଣ ଏହି କପର ଡ୍ୟାମ କରାଯାଇଥିଲା । ମାତ୍ର ଲଗାଣ ବର୍ଷା ଫଳରେ ଏବେ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ପ୍ରକଳ୍ପ ଶେଷ ହେବା ଦେଖାଯାଉନାହିଁ । ଗତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଥିଲା । ତେବେ ଆଗକୁ ଏହାର ବଳକା ନିର୍ମାଣ କାର୍ଯ୍ୟ କେବେ ସମ୍ପୂର୍ଣ୍ଣ ହେବ ସେ ନେଇ ମଧ୍ୟ ଆଶଙ୍କା ଦେଖାଦେଇଛି ।