ଉଦଳା ୨୫।୬: ପ୍ରେମ ପାଇଁ ଦେଲେ ପରୀକ୍ଷା, କଲେ ଧର୍ମ ପରିବର୍ତ୍ତନ। ଏବେ ହୋଇପାରିଛନ୍ତି ସାନ୍ତାଳୀ ବୋହୂ । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ମାଙ୍କଡ଼ପଡା ପଞ୍ଚାୟତ ମଇଁଷିଡୁବା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, ଗାଁର ପାଣ୍ଡୁ ସୋରେନଙ୍କ ପୁଅ ରତନ ସୋରେନ ଭୁବନେଶ୍ୱରର ଏକ ଘରୋଇ କମ୍ପାନୀରେ ରହି କାମ କରୁଥିଲେ । ସେଠାରେ ଜଣେ ଯୁବତୀଙ୍କୁ ସେ ପ୍ରେମ କରୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ପରେ ଉଭୟ ବିବାହ କରିବାକୁ ମନସ୍ଥ କରିଥିଲେ । ନିଜ ପ୍ରେମିକାଙ୍କୁ ସାଙ୍ଗରେ ଧରି ଗାଁରେ ପହଞ୍ଚିଥିଲେ ରତନ । ଉଭୟ ପ୍ରେମ କରୁଥିବା ଏବଂ ବିବାହ କରିବାକୁ ମନସ୍ଥ କରିଥିବା ଜାଣିବା ପରେ ପରିବାର ଲୋକେ ତାଙ୍କ ପ୍ରେମକୁ ଗ୍ରହଣ କରିଥିଲେ । ହେଲେ ଯୁବତୀଙ୍କ ସହିତ କଥା ହେବା ପରେ ସେ ଖ୍ରୀଷ୍ଟିଆନ ଧର୍ମର ହୋଇଥିବା ଗ୍ରାମବାସୀ ଜାଣିବାକୁ ପାଇଥିଲେ । ଯାହାକୁ ନେଇ ଗ୍ରାମ ମୁଖିଆ ଏକ ବୈଠକ ଡକାଇଥିଲେ ଓ ବିବାହ କରିବାକୁ ହେଲେ ଧର୍ମ ପରିବର୍ତ୍ତନ କରିବାକୁ ପଡିବ ବୋଲି ନିଷ୍ପତ୍ତି ହୋଇଥିଲା । ଯାହାକୁ ସ୍ୱୀକାର କରି ନିଜ ଧର୍ମ ପରିବର୍ତ୍ତନ କରିବାକୁ ଯୁବତୀ ଜଣଙ୍କ ରାଜି ହୋଇଥିଲେ ।

Also Read:- ମଦ ପିଇ ଗାଡ଼ି ଚଳାଉଥିଲେ କନିଷ୍ଠ ଯନ୍ତ୍ରୀ ! ୩ ଗାଡ଼ି ଭାଙ୍ଗି ଚୁରମାର, ଆହତ ଯନ୍ତ୍ରୀ ଚମ୍ପଟ

ପୁନଃ ଜନ୍ମ ନେବା ପାଇଁ ସାନ୍ତାଳୀ ପରମ୍ପରା ଅନୁସାରେ ଉଈ ହୁଙ୍କାରେ ପଶିବା ପରେ ହଳଦୀ ଓ ଗଙ୍ଗା ପାଣିରେ ଗାଧୋଇଥିଲେ । ଚାରି ଗୋଟି କୁକୁଡ଼ା, ଗୋଟିଏ ବୋଦା ଓ ଦୁଇଟି ହାଣ୍ଡିଆ ହାଣ୍ଡି ଦେଇ ଗ୍ରାମ ଠାକୁରଙ୍କୁ ପୂଜା କରି ସାନ୍ତାଳୀ ଜାତିରେ ସାମିଲ ହୋଇଥିଲେ । ଏହାପରେ ଗ୍ରାମରେ ଉଭୟଙ୍କର ବିବାହ ଅନୁଷ୍ଠିତ ହୋଇଥିଲା ।