ନୂଆଦିଲ୍ଲୀ: ବିଅର ବୋତଲ ଉପରେ ୧୦ ଟଙ୍କା ଅଧିକ ଦେବା ବଦଳରେ ଜଣେ ବ୍ୟକ୍ତିଙ୍କୁ ଅଦାଲତରୁ ୨୫,୦୦୦ ଟଙ୍କାର କ୍ଷତିପୂରଣ ମିଳିଛି । କେରଳମର ଉପଭୋକ୍ତା ଆୟୋଗ, କେରଳ ଷ୍ଟେଟ୍ ବେଭରେଜେସ୍ କର୍ପୋରେସନ (କେଏସବିସି)କୁ ଜଣେ ଗ୍ରାହକଙ୍କୁ କ୍ଷତିପୂରଣ ବାବଦରେ ୨୫ ହଜାର ଟଙ୍କା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । କମିଶନ ଜାଣିବାକୁ ପାଇଥିଲେ ଯେ କର୍ପୋରେସନ ବିଅର ବୋତଲ ଉପରେ ଲେଖାଯାଇଥିବା ଏମଆରପି ଠାରୁ ୧୦ ଟଙ୍କା ଅଧିକ ଜୋର କରି ନେଇଥିଲେ । 

ଅଧ୍ୟକ୍ଷ ଜର୍ଜ ବେବି ଏବଂ ସଦସ୍ୟ ନିଷାଦ ଥ୍ୟାଙ୍କପ୍ପନଙ୍କ ଖଣ୍ଡପୀଠ ଦ୍ୱାରା ପାରିତ ଆଦେଶରେ କୁହାଯାଇଛି ଯେ ଏମଆରପି ଠାରୁ ଅଧିକ ଟଙ୍କା ନେବା ଅନୁଚିତ ବ୍ୟାପାର । ପଠାନାମଥିଟ୍ଟା ସ୍ଥିତ ଗ୍ରାହକ ବିବାଦ ସମାଧାନ ଆୟୋଗ ଜୁନ୍ ୩ର ନିଜ ଆଦେଶରେ କହିଛନ୍ତି, " ଏମଆରପି ଠାରୁ ଅଧିକ ମୂଲ୍ୟ ଆଦାୟ କରିବା ଗ୍ରାହକ ସୁରକ୍ଷା ଅଧିନିୟମ, ୨୦୧୯ ଅଧିନରେ ଅନୁଚିତ ବ୍ୟାପାର ଏବଂ ସେବାରେ ତ୍ରୁଟି ଅଟେ । ଆମ ମତରେ ଏଭଳି ପ୍ରବୃତ୍ତିକୁ ବଦଳାଇବା ପାଇଁ ପର୍ଯ୍ୟାପ୍ତ କ୍ଷତିପୂରଣ ଲଗାଯିବା ଉଚିତ ।"

ଗ୍ରାହକଙ୍କୁ ବିଅର ବୋତଲ ଉପରେ ୧୦ ଟଙ୍କା ଏକ୍ସଟ୍ରା ଦେବାକୁ ପଡ଼ିଥିଲା

ଏହି ଅଭିଯୋଗ ଜଣେ ଗ୍ରାହକଙ୍କ ଦ୍ୱାରା ଦାୟର କରାଯାଇଥିଲା । ଗ୍ରାହକ ଜଣକ ପଠାନାମଥିଟ୍ଟା ସ୍ଥିତ କେଏସବିସିରୁ ୬୫୦ ମିଲିଲିଟରର ଏକ ବିଅର ବୋତଲ କିଣିଥିଲେ ଏବଂ ୧୮୦ ଟଙ୍କା ପୈଠ କରିଥିଲେ । ସେତେବେଳେ ବିଅର ବୋତଲର ଏମଆରପି ୧୭୦ ଟଙ୍କା ଥିଲା । ଅଭିଯୋଗକାରୀଙ୍କ ଅନୁସାରେ, ଯେତେବେଳେ ସେ ବିଲ ଦେଖାଇ ତ୍ରୁଟି ଧରିଲେ, କର୍ମଚାରୀମାନେ ବିଲ୍ରେ ଲେଖାଥିବା ଟଙ୍କା ଦେବାକୁ ଜିଦ୍ ଧରିଲେ । ଗ୍ରାହକଙ୍କ ଅଭିଯୋଗ ଯେ ତାଙ୍କଠାରୁ ୧୦ ଟଙ୍କା ଅଧିକ ନିଆଗଲା ଏବଂ ଆପତ୍ତି ଥିଲେ ଅଭିଯୋଗ କର ବୋଲି କୁହାଗଲା ।

ଏହାପରେ ଗ୍ରାହକ ଜଣକ କମିଶନ ଦ୍ୱାରସ୍ଥ ହୋଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରିବା ସହ ଉଚିତ କ୍ଷତିପୂରଣ ଦାବି କରିଥିଲେ । କେଏସବିସି ନିଜ ସ୍ୱୀକାର କରିଛି ଯେ ବୋତଲଟି ୧୭୦ ଟଙ୍କା ଏମଆରପି ଥିବା ସତ୍ତ୍ୱେ ୧୮୦ ଟଙ୍କାରେ ବିକ୍ରି ହୋଇଥିଲା ।

କେଏସବିସି ଯୁକ୍ତିର ଥିଲା ଯେ ଏହି ମୂଲ୍ୟ ବୃଦ୍ଧି କେରଳ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ସାମାଜିକ ସୁରକ୍ଷା ସେସ୍ ଏବଂ ତା’ ପରେ ମଦ ମୂଲ୍ୟରେ କରାଯାଇଥିବା ସଂଶୋଧନ ଯୋଗୁଁ ହୋଇଛି । କର୍ପୋରେସନ ଯୁକ୍ତି କରିଥିଲା ଯେ ଯେତେବେଳେ ବି ମୂଲ୍ୟ ସଂଶୋଧନ ହୁଏ, ସେତେବେଳେ ଗୋଦାମ, ଖୁଚୁରା ଦୋକାନରେ ଥିବା ବୋତଲ ଉପରେ ପୁନର୍ବାର ଲେବଲ୍ ଲଗାଇବା ସମ୍ଭବ ନୁହେଁ । କର୍ପୋରେସନ ଏହା ମଧ୍ୟ ଦାବି କରିଥିଲା ଯେ ସଂଶୋଧିତ ମୂଲ୍ୟ ସମ୍ବନ୍ଧୀୟ ନୋଟିସ୍ ଆଉଟଲେଟ୍ରେ ପ୍ରଦର୍ଶିତ କରାଯାଇଥିଲା । କେଏସବିସି ଓଲଟା ଅଭିଯୋଗ କରିଥିଲା ଯେ ଅଭିଯୋଗକାରୀ ବିକ୍ରିରେ ବାଧା ସୃଷ୍ଟି କରିଥିଲେ ଏବଂ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିଲେ ।

କମିଶନ ଜାଣିବାକୁ ପାଇଲେ ଯେ ନିୟମ ୧୮(୨) ରେ ଖୁଚୁରା ବିକ୍ରେତାମାନେ ପ୍ୟାକେଜ୍ ଉପରେ ଛପା ଯାଇଥିବା ଏମଆରପି ଠାରୁ ଅଧିକ ମୂଲ୍ୟରେ ବିକ୍ରି କରିପାରିବେ ନାହିଁ । ଅଦାଲତ ମାନିଛନ୍ତି ଯେ ବୋତଲ ଉପରେ ଛପା ଯାଇଥିବା ଏମଆରପି ହିଁ ବୈଧାନିକ ସର୍ବାଧିକ ମୂଲ୍ୟ । ୧୭୦ ଟଙ୍କା ଏମଆରପି ଥିବା ବୋତଲ ପାଇଁ ୧୮୦ ଟଙ୍କା ଆଦାୟ କରିବା ଆଇନର ସିଧାସଳଖ ଉଲ୍ଲଂଘନ ଅଟେ ।

ଅଭିଯୋଗକୁ ଗ୍ରହଣ କରି କମିଶନ, କେଏସବିସିକୁ ଅଭିଯୋଗ ଦାୟର ହେବା ତାରିଖରୁ ବାର୍ଷିକ ୯% ସୁଧ ସହିତ ୧୦ ଟଙ୍କାର ଅତିରିକ୍ତ ରାଶି ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଦାଲତ କେଏସବିସିକୁ ୩୦ ଦିନ ମଧ୍ୟରେ କ୍ଷତିପୂରଣ ବାବଦରେ ୧୫,୦୦୦ ଟଙ୍କା ଏବଂ ମାମଲା ଖର୍ଚ୍ଚ ବାବଦରେ ୧୦,୦୦୦ ଟଙ୍କା ପ୍ରଦାନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।