ତିରୁଅନନ୍ତପୁରମ: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ କହିଛନ୍ତି ଯେ କଂଗ୍ରେସ ପଶ୍ଚିମବଙ୍ଗ ଉପନିର୍ବାଚନରେ ନନ୍ଦୀଗ୍ରାମ ପ୍ରାର୍ଥୀ ମିଲନ ପ୍ରଧାନଙ୍କୁ ପ୍ରତ୍ୟାହାର କରିବନି ଓ ତାଙ୍କ ଗିରଫଦାରୀକୁ ଜାତୀୟ ପ୍ରସଙ୍ଗ କରିବ। ଶନିବାର ସାମ୍ବାଦିକଙ୍କୁ ସମ୍ବୋଧିତ କରି ବେଣୁଗୋପାଳ କହିଛନ୍ତି ଯେ ପ୍ରଧାନଙ୍କୁ ତୃଣମୂଳ କଂଗ୍ରେସ ସମର୍ଥନ ଘୋଷଣା କରିବାର କିଛି ସମୟ ପରେ ଏକ ପୁରୁଣା ମାମଲାରେ ପ୍ରଧାନଙ୍କୁ ଗିରଫ କରାଯାଇଛି।

ଜନୈକ ବରିଷ୍ଠ କଂଗ୍ରେସ ନେତାଙ୍କ ଅନୁସାରେ ପ୍ରଧାନଙ୍କୁ ଶୁକ୍ରବାର ୨୦୦୭ ମସିହା ନନ୍ଦୀଗ୍ରାମ ଭୂମି ଅଧିଗ୍ରହଣ ବିରୋଧୀ ଆନ୍ଦୋଳନ ସମ୍ପର୍କିତ ଏକ ପୁରୁଣା ମାମଲାରେ ଗିରଫ କରାଯାଇଛି। ପାର୍ଟି ସୂତ୍ର ଅନୁସାରେ ନନ୍ଦୀଗ୍ରାମ ଭୂମି ଅଧିଗ୍ରହଣ ସମ୍ପର୍କିତ ୧୨ରୁ ଅଧିକ ମାମଲାରେ ଅଭିଯୁକ୍ତ ପ୍ରଧାନଙ୍କୁ ପୂର୍ବ ମେଦିନପୁର ଜିଲ୍ଲା ଚାନ୍ଦିପୁରର ଏକ ହୋଟେଲରୁ ଗିରଫ କରାଯାଇଛି। ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ନନ୍ଦୀଗ୍ରାମ ଉପନିର୍ବାଚନରେ ପ୍ରଧାନଙ୍କ ଲାଗି ତାଙ୍କ ପାର୍ଟିର ସମର୍ଥନ ଘୋଷଣା କରିଥିଲେ। ଏହି ଘୋଷଣା ତାଙ୍କ ଗୋଷ୍ଠୀର ପ୍ରାର୍ଥୀ ନିର୍ବାଚନରୁ ନାମ ପ୍ରତ୍ୟାହାରର କିଛି ଘଣ୍ଟା ପରେ ହୋଇଥିଲା।

ତେବେ ବେଣୁଗୋପାଲ କହିଛନ୍ତି ଯେ ଯେତେବେଳେ କଂଗ୍ରେସ ନେତା ଗିରଫକୁ ନେଇ ପଚରାଉଚରା ଲାଗି ପୋଲିସ ଷ୍ଟେସନକୁ ଗଲେ ସେତେବେଳେ ତାଙ୍କ ବିରୋଧରେ କୌଣସି ମାମଲା ନଥିବା ଓ ତାଙ୍କୁ ଅସ୍ଥାୟୀ ଅଟକ ରଖାଯାଇଥିବା ପୋଲିସ କହିଥିଲା। ତେବେ ତାଙ୍କ ବିରୋଧରେ ଥିବା ମାମଲା ପ୍ରତ୍ୟାହାର କରିବା ଓ ଅନ୍ୟ ସୁବିଧାସୁଯୋଗ ପ୍ରଦାନ କରାଯିବା କହି ପୋଲିସ ତାଙ୍କୁ ନିର୍ବାଚନରୁ ହଟିଯିବାରୁ ଚାପ ପକାଉଥିବା ଜଣାପଡିଛି। ଏଣୁ ଆମ ଦେଶରେ ଗଣତନ୍ତ୍ର ଏବେ ଏପରି ଅବସ୍ଥାକୁ ପହଞ୍ଚି ଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି।

ବେଣୁଗୋପାଲ କହିଛନ୍ତି ଯେ ପଶ୍ଚିମବଙ୍ଗରେ ବିଜେପି ବିରୋଧୀଙ୍କ ସ୍ୱରକୁ ସମାପ୍ତ କରିବାକୁ ଉଦ୍ୟମ ଆରମ୍ଭ କରିଛି। ସେଠାରେ ଏବେ ସିପିଆଇ ଆଉ ବିଜେପି ବିରୋଧରେ ଲଢୁ ନାହିଁ, ସେଠାରେ କଂଗ୍ରେସ ଏବେ ଜନତାଙ୍କ ସ୍ୱର ପାଲଟିଛି। ଏଣୁ ଆମେ ନନ୍ଦୀଗ୍ରାମକୁ ଏବେ ଜାତୀୟ ପ୍ରସଙ୍ଗ କରିବୁ ଏହା ନିଶ୍ଚିତ। ବେଣୁଗୋପାଲ କହିଛନ୍ତି ଯେ ଘଟନାକ୍ରମ ସତ୍ତ୍ୱେ ନିର୍ବାଚନ ଆୟୋଗ ନିରବ ଅଛନ୍ତି ଓ ପ୍ରାର୍ଥୀପତ୍ର ଦାଖଲ ପରେ କିପରି କୌଣସି ପ୍ରାର୍ଥୀଙ୍କୁ କାମ କରିବାକୁ ରୋକଯିବ ସେ ନେଇ ପ୍ରଶ୍ନ କରିଛନ୍ତି।

କଂଗ୍ରେସ ନେତା କହିଛନ୍ତି ଯେ ଯଦି ମାମଲା ବାସ୍ତବିକ ହୋଇଥାନ୍ତା ତେବେ ବୁଝା ପଡୁଥାଆନ୍ତା। ହେଲେ ୧୫ ବର୍ଷ ପୁରୁଣା ମାମଲାକୁ ଏବେ ଉଠାଇବା ଓ କହିବା ଆପଣ ଯଦି ନିର୍ବାଚନରୁ ଓହରି ଯିବେ ଆମେ ସବୁ କେସ୍ ପ୍ରତ୍ୟାହାର କରିନେବୁ ଏହା କିପରି ହେବ ବୋଲି ବେଣୁଗୋପାଲ ପ୍ରଶ୍ନ କରିଛନ୍ତି।