ନୂଆଦିଲ୍ଲୀ: ଜବାହାରଲାଲ୍ ନେହରୁ ବିଶ୍ୱବିଦ୍ୟାଳୟରୁ ଯୌନ ଉତ୍ପୀଡ଼ନ ମାମଲାରେ ବହିଷ୍କୃତ କଂଗ୍ରେସ ସାଂସଦ ଅଙ୍ଗୋଚମା ବିମୋଲ କୋଇଜାମଙ୍କ ସମସ୍ୟା ବଢ଼ିପାରେ । ବିଜେପିର ମହିଳା ସାଂସଦମାନଙ୍କର ଏକ ପ୍ରତିନିଧି ଦଳ ଗୁରୁବାର ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଭେଟି କଂଗ୍ରେସ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବିଜେପି ମହିଳା ମୋର୍ଚ୍ଚା ସଭାପତି ତଥା ସାଂସଦ ରୂପା କୁମାରୀ ଚୌଧୁରୀଙ୍କ ନେତୃତ୍ୱରେ ମହିଳା ପ୍ରତିନିଧି ଦଳ ନେତୃତ୍ୱ ବାଚସ୍ପତିଙ୍କୁ ଭେଟିଥିଲେ । ମହିଳା ମୋର୍ଚ୍ଚା ପ୍ରଭାରୀ ତଥା ସାଂସଦ ଡି.ପୁରନ୍ଦେଶ୍ୱରୀ ଏବଂ ଦିଲ୍ଲୀ ସାଂସଦ ବାଂସୁରୀ ସ୍ୱରାଜ ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ । ଏହା ପୂର୍ବରୁ ବିଜେପି ସାଂସଦମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଥିଲେ । କଂଗ୍ରେସ ନିଜ ସାଂସଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ଏବଂ ପାର୍ଟିରୁ ବହିଷ୍କାର କରୁ ବୋଲି ବିଜେପି ସାଂସଦ ଦାବି କରିଥିଲେ ।

ଉଲ୍ଲେଖଯୋଗ୍ୟ ଯେ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଗତ ସପ୍ତାହ ବିମୋଲ କୋଇଜାମଙ୍କୁ ପ୍ରଫେସର ପଦରୁ ତତ୍କାଳ ପ୍ରଭାବରୁ ବହିଷ୍କାର କରିଥିଲା । ମଣିପୁରରୁ କଂଗ୍ରେସ ସାଂସଦ କୋଇଜାମଙ୍କ ବିରୁଦ୍ଧରେ ଅସଦାଚରଣ ନେଇ ଜେଏନୟୁର ୧୧ ଜଣ ଛାତ୍ରୀ ଅଭିଯୋଗ କରିଥିଲେ ।

Also Read: “ନିଜ ବୟଫ୍ରେଣ୍ଡଙ୍କ ସହ କ'ଣ ସବୁ କର ?” କଂଗ୍ରେସ ସାଂସଦ ପ୍ରଫେସର ଅଙ୍ଗୋଚମାଙ୍କୁ ବହିଷ୍କାର କଲା JNU

ଯୌନ ଉତ୍ପୀଡନ ଅଭିଯୋଗର ତଦନ୍ତ ପରେ ଆଭ୍ୟନ୍ତରୀଣ କମିଟି ପ୍ରଫେସରଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା । ପରେ କଂଗ୍ରେସ ଲୋକସଭା ସାଂସଦ ଅଙ୍ଗୋଚମା ବିମୋଲ ଅକୋଇଜମଙ୍କୁ ବିଶ୍ୱବିଦ୍ୟାଳୟ ବହିଷ୍କାର କରିଥିଲା । ଜେଏନୟୁ ଆଭ୍ୟନ୍ତରୀଣ କମିଟି ତାଙ୍କୁ ଲିଙ୍ଗଗତ ସଙ୍କେତରେ କଥାବାର୍ତ୍ତା, ଶାରୀରିକ ସ୍ପର୍ଶ, ଅନାବଶ୍ୟକ ଭାବେ ଶାରୀର ପାଖକୁ ଆସିବା ଏବଂ ଛାତ୍ରୀମାନଙ୍କ ସହ ଅନୁପଯୁକ୍ତ ବ୍ୟବହାର କରି ଯୌନ ଉତ୍ପୀଡ଼ନ କରୁଥିବା ଦୋଷୀ ସାବ୍ୟସ୍ତ କରିଥିଲା । ଏହା ପରେ ବିଶ୍ୱବିଦ୍ୟାଳୟରୁ ବରଖାସ୍ତ କରିବାକୁ ସୁପାରିଶ କରିଥିଲା । କମିଟି ନିଜ ରିପୋର୍ଟରେ ଲେଖିଥିଲା ଯେ ବ୍ୟାପକ ତଦନ୍ତ ପରେ ପ୍ରମାଣଗୁଡ଼ିକ ଅଭିଯୋଗକୁ ଯଥାର୍ଥ କରୁଛି । ଜଣେ ଶିକ୍ଷକ-ଛାତ୍ରୀ ସମ୍ପର୍କର ସୀମାରେଖା ବାରମ୍ୱାର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି ।

ଏହି ମାମଲାରେ ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀ ପୋଲିସ କଂଗ୍ରେସ ସାଂସଦଙ୍କ ବିରୋଧରେ ମାମଲା ମଧ୍ୟ ରୁଜୁ କରିଛି । ଜେଏନୟୁର ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ଅଭିଯୋଗ ପରେ ଅକ୍ଟୋବର ୧୧ ତାରିଖରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ।