ନୂଆଦିଲ୍ଲୀ: "ତୁମର ବୟଫ୍ରେଣ୍ଡ ଅଛି କି ? ନିଜ ବୟଫ୍ରେଣ୍ଡଙ୍କ ସହ କେଉଁସବୁ କାର୍ଯ୍ୟକଳାପ କର ? ଅଫେଆର୍ସ ବିଷୟରେ ତୁମ ମତ କଣ? ମୋ ବୟସର ଜଣେ ବ୍ୟକ୍ତି ତୁମ ବୟସର ଜଣଙ୍କୁ ପସନ୍ଦ କରିବା ଉପରେ ତୁମ ମତ କ’ଣ?" ଏନଡିଟିଭି ରିପୋର୍ଟ ଅନୁସାରେ, ଛାତ୍ରୀମାନଙ୍କୁ ଏହି ସବୁ ପ୍ରଶ୍ନ କରୁଥିଲେ କଂଗ୍ରେସ ଲୋକସଭା ସାଂସଦ ତଥା ଜେଏନୟୁ ପ୍ରଫେସର ଅଙ୍ଗୋଚମା ବିମୋଲ ଅକୋଇଜମ । ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ ଭଳି ଏକ ପ୍ରତିଷ୍ଠିତ ଅନୁଷ୍ଠାନ ତ ଦୂରର କଥା, କୌଣସି ବି ଶ୍ରେଣୀଗୃହରେ ସ୍ଥାନ ପାଇବାକୁ ଯୋଗ୍ୟ ନଥିବା ଏହିସବୁ ପ୍ରଶ୍ନ ପ୍ରଫେସର ଅଙ୍ଗୋମଚା ବିମୋଲ ଆକୋଇଜାମ କଥାବାର୍ତ୍ତା ବେଳେ ଛାତ୍ରୀମାନଙ୍କୁ ପଚାରିଥିବା ଅଭିଯୋଗ ହୋଇଛି ।

ଯୌନ ଉତ୍ପୀଡନ ଅଭିଯୋଗର ତଦନ୍ତ ପରେ ଆଭ୍ୟନ୍ତରୀଣ କମିଟି ପ୍ରଫେସରଙ୍କ ଉପରେ କୋଠର କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କରିଥିଲା । ପରେ କଂଗ୍ରେସ ଲୋକସଭା ସାଂସଦ ଅଙ୍ଗୋଚମା ବିମୋଲ ଅକୋଇଜମଙ୍କୁ ବିଶ୍ୱବିଦ୍ୟାଳୟ ବହିଷ୍କାର କରିଛି । ଜେଏନୟୁ ଆଭ୍ୟନ୍ତରୀଣ କମିଟି ତାଙ୍କୁ ଲିଙ୍ଗଗତ ସଙ୍କେତରେ କଥାବାର୍ତ୍ତା, ଶାରୀରିକ ସ୍ପର୍ଶ, ଅନାବଶ୍ୟକ ଭାବେ ଶାରୀର ପାଖକୁ ଆସିବା ଏବଂ ଛାତ୍ରୀମାନଙ୍କ ସହ ଅନୁପଯୁକ୍ତ ବ୍ୟବହାର କରି ଯୌନ ଉତ୍ପୀଡ଼ନ କରୁଥିବା ଦୋଷୀ ସାବ୍ୟସ୍ତ କରିଛି । ଏହା ବିଶ୍ୱବିଦ୍ୟାଳୟରେ ତାଙ୍କ ପଦବୀରୁ ତାଙ୍କୁ ବରଖାସ୍ତ କରିବାକୁ ସୁପାରିଶ କରିଥିଲା । କମିଟି ଲେଖିଛି ଯେ ବ୍ୟାପକ ତଦନ୍ତ ପରେ ପ୍ରମାଣଗୁଡ଼ିକ ଅଭିଯୋଗକୁ ଯଥାର୍ଥ କରୁଛି । ଜଣେ ଶିକ୍ଷକ-ଛାତ୍ରୀ ସମ୍ପର୍କର ସୀମାରେଖା ବାରମ୍ୱାର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି ।

ଜେଏନୟୁ କୁଳପତି ଶାନ୍ତିଶ୍ରୀ ଡି ପଣ୍ଡିତ୍ ସେବା ନିୟମ ଅନୁସାରେ ତାଙ୍କ ସେବା ଶେଷ କରିବା ପାଇଁ ଆଦେଶ ଜାରି କରିଛନ୍ତି । କୁଳପତି ନିଜ ଆଦେଶରେ କହିଛନ୍ତି, ସଠିକ୍ ପ୍ରକ୍ରିୟାର ପାଳନ କରି ଏବଂ ସମସ୍ତ ଉପଲବ୍ଧ ତଥ୍ୟ ଉପରେ ବିଚାର କରିବା ପରେ ଆଭ୍ୟନ୍ତରୀଣ କମିଟିର ରିପୋର୍ଟ ଆଧାରରେ, ପ୍ରଫେସର ଅଙ୍ଗୋଚମା ବିମୋଲ ଅକୋଇଜମଙ୍କୁ ତତ୍କାଳ ପ୍ରଭାବରୁ ବିଶ୍ୱବିଦ୍ୟାଳୟ ସେବାରୁ ବହିଷ୍କାର କରାଯାଉଛି ।

ଜନସତ୍ତା ରିପୋର୍ଟ ଅନୁସାରେ, ଆଭ୍ୟନ୍ତରୀଣ କମିଟିର ରିପୋର୍ଟକୁ ସେପ୍ଟେମ୍ୱର ୩୦ରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟକାରୀ ପରିଷଦ ବୈଠକରେ ଉପସ୍ଥାପନ କରାଯାଇଥିଲା । ଏଥିରେ ପ୍ରଫେସରଙ୍କୁ ତତ୍କାଳ ପ୍ରଭାବରୁ ବହିଷ୍କାର କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା ।

ଅଙ୍ଗୋଚମା ବିମୋଲ ଅକୋଇଜମ ୨୦୨୩ ମସିହାରେ ମଣିପୁର ହିଂସା ପରେ ରାଜନୀତିରେ ପ୍ରବେଶ କରିଥିଲେ । ୨୦୨୪ରେ ହୋଇଥିବା ସାଧାରଣ ନିର୍ବାଚନରେ ସେ କଂଗ୍ରେସ ଟିକଟରେ ଇନର୍ ମଣିପୁର ଆସନରୁ ବିଜୟୀ ହୋଇଥିଲେ ।