ନୂଆଦିଲ୍ଲୀ, ୧୧|୦୨: ଭାରତୀୟ ଦଳ ଏବେ ଟି୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରେ ଜବରଦସ୍ତ ପ୍ରଦର୍ଶନ କରିଛି । ଆମେରିକା ବିପକ୍ଷ ପ୍ରଥମ ମୁକାବିଲାରେ ଦଳ ବଡ ସ୍କୋର କରିପାରିନଥିଲେ ବି ବୋଲରମାନେ ବିଜୟ ସହଜ କରିଦେଇଥିଲେ । ତେବେ ମୁକାବିଲାକରେ ଫେଲ୍ ହୋଇଥିଲେ ଓପନର ଅଭିଷେକ ଶର୍ମା । ସେ ବିନା କୌଣସି ରନରେ ପ୍ୟାଭିଲିୟନ ଫେରିଥିଲେ । ଆଗାମୀ ଦିନରେ ପାକିସ୍ତାନ ବିପକ୍ଷରେ ଭାରତ ମ୍ୟାଚ୍ ଖେଳିବ । ସେଥିପାଇଁ ଅଭିଷେକ ରନ୍ ସ୍କୋର କରିବା ନିହାତି ଆବଶ୍ୟକ । ହେଲେ ଗୁରୁବାର ସେ ଅଭ୍ୟାସରୁ ଦୂରରେ ରହିବେ । ପେଟ ଜନିତ ସମସ୍ୟା ପାଇଁ ସେ ଅଭ୍ୟାସ କରିବେ ନାହିଁ ବୋଲି ବିସିସିଆଇ ପକ୍ଷରୁ ଜଣା ପଡିଛି । ଏହାସହ ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ପେଟ ସମସ୍ୟାର ଚିକିତ୍ସା ଚାଲିଛି । 

ରିପୋର୍ଟ ଅନୁସାରେ, ଅଭିଷେକଙ୍କୁ ଗତ ସୋମବାର ଦିଲ୍ଲୀ ସ୍ଥିର ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପେଟ ଜନିତ ସମସ୍ୟା ପାଇଁ ସେ ଆଡମିଟ୍ ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତର ନଜର ରଖିଛନ୍ତି । ସେଥିପାଇଁ ବୁଧବାର କିମ୍ବା ଗୁରୁବାର ସେ ପ୍ରାକ୍ଟିସରେ ସାମିଲ ହେବେ ନାହିଁ ।

ଏହି ଖବରଟି ପଢନ୍ତୁ... ସମୁଦ୍ରରେ ଖସି ପଡିଲା ବିମାନ, ଅଳ୍ପକେ ବର୍ତ୍ତିଗଲେ ପାଇଲଟ୍ ଏବଂ ଯାତ୍ରୀ

ଭାରତୀୟ ଦଳର ସହାୟକ କୋଚ୍ ରିୟାନ୍ ଟେନ୍ କହିଛନ୍ତି ଯେ, ଅଭିଷେକଙ୍କୁ ବିଶ୍ରାମ ଦରକାର । ସେ ପେଟ ଜନିତ ସମସ୍ୟାରେ ପୀଡିତ ଥିଲେ ।  ଧିରେ ଧିରେ ସୁସ୍ଥ ହେଉଥିଲେ । କିନ୍ତୁ ବୁଧବାର ତାଙ୍କ ସ୍ୱାସ୍ଥ୍ୟ ସମସ୍ୟା ବିଗିଡି ଯାଇଛି । ଫଳରେ ଦିଲ୍ଲୀସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁବାର ସେ ଅଭ୍ୟାସ କରିବେ ନାହିଁ । ତାଙ୍କ ଜାଗାରେ ଓ୍ୱାସିଂଟନ ସୁନ୍ଦର ଅଭ୍ୟାସ କରୁଛନ୍ତି । ଯଦି ସେ ସୁସ୍ଥ ନହୁଅନ୍ତି ତେବେ ନାମିବ୍ୟା ବିପକ୍ଷ ମ୍ୟାଚରେ ମଧ୍ୟ ଅଭିଷେକ ବାଦ୍ ପଡିପାରନ୍ତି ।

ଅନ୍ୟ ଦିଗରେ ଭାରତୀୟ ଦଳର ଦ୍ରୁତ ବୋଲର ଜସପ୍ରିତ ବୁମରାଙ୍କୁ ନେଇ ବଡ ଖବର ଆସିଛି । ସେ ସମ୍ପୂର୍ଣ୍ଣ ଫିଟ୍ ରହିଛନ୍ତି । ତାଙ୍କର ଜ୍ୱର ଭଲ ହୋଇଯାଇଛି । ନେଟ୍ସରେ ମଧ୍ୟ ଜୋରଦାର ଅଭ୍ୟାସ କରିଛନ୍ତି । ବୁଧବାର ସେ ନେଟ୍ସରେ ସୂର୍ଯ୍ୟ କୁମାର ଯାଦବଙ୍କୁ ବୋଲିଂ କରିଥିଲେ । ତାଙ୍କର ଲାଇନ୍ ଲେନଥ୍ ସବୁ ସଠିକ ରହିଥିଲା ।

ସେହିପରି ଭାରତୀୟ ଦଳର ବ୍ୟାଟରଙ୍କ ମଧ୍ୟରେ ସୂର୍ଯ୍ୟ କୁମାର ଏବଂ ତିଲକ ବର୍ମା ଜୋରଦାର ପ୍ରାକ୍ଟିସ କରିଛନ୍ତି । ବୋଲର ବରୁଣ ଚକ୍ରବର୍ତ୍ତୀ ମଧ୍ୟ ନେଟ୍ସରେ ଖୁବ୍ ଝାଳ ବୁହାଇଛନ୍ତି । ତାଙ୍କ ପାଖରେ ବିଶ୍ୱସ୍ତରୀୟ ବ୍ୟାଟରଙ୍କୁ ଚକମା ଦେବାର କ୍ଷମତା ରହିଛି । ମିଷ୍ଟ୍ରି ସ୍ପିନର ଭାବେ ଅନେକ ମୁକାବିଲାରେ ସେ ଦଳକୁ ଦରକାର ବେଳେ ଓ୍ୱିକେଟ୍ ଉପହାର ଦେଇଛନ୍ତି ।

ପାକିସ୍ତାନ ବିପକ୍ଷରେ ଖେଳିବେ ଅଭିଷେକ

ଅଭିଷେକ ଧିରେ ଧିରେ ସୁସ୍ଥ ହେଉଛନ୍ତି । ଯଦି ନାମିବ୍ୟା ବିପକ୍ଷରେ ତାଙ୍କୁ ବ୍ରେକ୍ ମିଳେ ତେବେ ସେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ । ଯାହା ତାଙ୍କୁ ବଡ ସ୍କୋର କରିବାରେ ସାହାଯ୍ୟ କରିବ । ସେହିପରି ଭଲ ଭାବେ ବ୍ରେକ୍ ନେଇ ଅଭ୍ୟାସ କରିପାରିବେ । ତେବେ ସେ ଶୀଘ୍ର ସୁସ୍ଥ ହୋଇ ଅଭ୍ୟାସ ସେସନ୍ସରେ ସାମିଲ ହେବେ ବୋଲି ଫ୍ୟାନ୍ସ ଆଶା କରୁଛନ୍ତି ।