ନୂଆଦିଲ୍ଲୀ: କିଛି ଦିନ ପରେ ସରିଯିବ ବର୍ଷ ୨୦୨୫। ଆଉ ୨୦୨୬ର ଆରମ୍ଭ ସହ ଅନେକ ନିୟମର ପରିବର୍ତ୍ତନ ମଧ୍ୟ ହେବ। ତେଣୁ ଆଡଭାନ୍ସ ଟ୍ୟାକ୍ସ ପୈଠ ଏବଂ ଆଧାର ପ୍ୟାନ୍ ଲିଙ୍କ କରିବା ଭଳି ଅନେକ ଜରୁରୀ କାମ ଏମାସରେ ସାରିନେବା ଭଲ। ଯଦି ଆପଣ ଏହି କାମ କରୁନାହାନ୍ତି ତେବେ ଆପଣଙ୍କୁ ଅସୁବିଧା ହୋଇପାରେ।

କ’ଣ ହେବ ପରିବର୍ତ୍ତନ ?

୧. ଟ୍ୟାକ୍ସ ଅଡିଟ୍ ଥିବା ଟ୍ୟାକ୍ସପେୟର୍ସଙ୍କ ପାଇଁ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି ୨୦୨୫ ଡିସେମ୍ବର ୧୦ । ତେଣୁ ଏହି ତାରିଖ ମଧ୍ୟରେ ଫାଇଲ କରାଯାଇଥିବା ରିଟର୍ଣ୍ଣକୁ, ସମୟ ଅନୁସାରେ ଫାଇଲ କରାଯାଇଥିବା ରିଟର୍ଣ୍ଣ ବୋଲି ଧରାଯିବ। ଏହା ଉପରେ କୌଣସି ଲେଟ୍ ଫି’ କିମ୍ବା ଜରିମାନା ଲାଗିବନି।

୨. ଆଡଭାନ୍ସ ଟ୍ୟାକ୍ସ ଭରିବାର ଶେଷ ତାରିଖ ଡିସେମ୍ବର ୧୫। ଏହା ସେହିସବୁ ବ୍ୟକ୍ତିଙ୍କୁ ଦେବାକୁ ପଡ଼ିଥାଏ, ଯେଉଁମାନଙ୍କର ଆନୁମାନିକ ଦେୟ, ଟିଡିଏସ କାଟିବା ପରେ ୧୦ ହଜାରରୁ ଅଧିକ।

୩. ଯଦି ଆପଣ ଏପର୍ଯ୍ୟନ୍ତ ୨୦୨୪-୨୫ ଆର୍ଥିକ ବର୍ଷର ଇନକମ ଟ୍ୟାକ୍ସ ରିଟର୍ଣ୍ଣ (ITR) ଫାଇଲ କରିନାହାନ୍ତି। ତେବେ ଲେଟ ଫି ସହ ୨୦୨୫ ଡିସେମ୍ବର ୩୧ ମଧ୍ୟରେ ଫାଇଲ କରିପାରିବେ। ଯଦି ଆପଣ ୫ ଲକ୍ଷରୁ କମ୍ ଆୟର ବିଳମ୍ବିତ ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲ କରୁଛନ୍ତି ତେବେ ଆପଣଙ୍କୁ ୧ ହଜାର ଟଙ୍କା ଲେଟ ଫି’ ଦେବାକୁ ହେବ। ସେହିଭଳି ୫ ଲକ୍ଷ କିମ୍ବା ତାହାଠାରୁ ଅଧିକ ଆୟ ଉପରେ ୫ ହଜାର ଟଙ୍କାର ଲେଟ ଫି ଦେବାକୁ ପଡ଼ିବ।

୪. ସେହିଭଳି ଯଦି ଆପଣ ୨୦୨୪ ଅକ୍ଟୋବର ୧ କିମ୍ବା ତା’ ପୂର୍ବରୁ ଆଧାର କାର୍ଡ କରିଛନ୍ତି, ତେବେ ଏହାକୁ ପାନ୍ ସହ ଲିଙ୍କ୍ କରିବା ଡିସେମ୍ବର ୩୧ ସୁଦ୍ଧା ବାଧ୍ୟତାମୂଳକ। ନହେଲେ ପାନ୍ କାର୍ଡ ନିଷ୍କ୍ରିୟ ହୋଇଯିବ। ବ୍ୟାଙ୍କିଂ, ନିବେଶ, ଆଇଟିଆର ଫାଇଲିଂରେ ଅସୁବିଧା ହୋଇପାରେ।