• ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ୯ଟଙ୍କା ୫୦ ପଇସାରୁ ୧୧ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି
  • ଘରୋଇ ରୋଷେଇ ଉପଯୋଗରେ ଆସୁଥିବା ୧୪.୨ କେଜି ସିଲିଣ୍ଡର ଦରରେ ସେପରି କୌଣସି ପରିବର୍ତ୍ତନ ହୋଇନାହିଁ
  • ଏହାର ଅର୍ଥ ହେଉଛି କମର୍ସିଆଲ ଏଲପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଘରୋଇ ଏଲପିଜି ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ପୈଠ କରିବାକୁ ପଡିବ ନାହିଁ

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରେ ଅଏଲ ମାର୍କେଟିଂ କମ୍ପାନୀମାନେ ଏଲପିଜି ସିଲିଣ୍ଡର ମୂଲ୍ୟ ସଂଶୋଧନ କରିଛନ୍ତି। ଏଥିରେ ଘରୋଇ ରୋଷେଇ ଉପଯୋଗରେ ଆସୁଥିବା ୧୪.୨ କେଜି ସିଲିଣ୍ଡର ଦରରେ ସେପରି କୌଣସି ପରିବର୍ତ୍ତନ ହୋଇନଥିବା ବେଳେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ଦରରେ ୯ଟଙ୍କା ୫୦ ପଇସାରୁ ୧୧ଟଙ୍କା ୫୦ ପଇସା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି। ଏହି ବର୍ଦ୍ଧିତ ଦର ସାରା ଦେଶରେ ୧ ସେପ୍ଟେମ୍ବରରୁ ଲାଗୁ ହୋଇଛି। ଏହି ମୂଲ୍ୟ ବୃଦ୍ଧି ପରେ ଦିଲ୍ଲୀରେ ୧୯ କେଜି କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ଦର ୨,୭୪୭ ଟଙ୍କା ୫୦ ପଇସାକୁ ପହଞ୍ଚିଥିବା ବେଳେ ମୁମ୍ବାଇରେ ୨,୭୦୧, ଚେନ୍ନାଇରେ ୨,୯୧୬ଟଙ୍କା ୫୦ ପଇସା ଓ କୋଲକାତାରେ ୨.୮୮୪ ଟଙ୍କାରେ ବିକ୍ରି ହେଉଛି।

ଏହି ସିଲିଣ୍ଡର ମୁଖ୍ୟ ରୂପେ ହୋଟେଲ, ରଷ୍ଟୁରାଣ୍ଟ,ଢାବା, ବେକରୀ ଓ କ୍ୟାଟରିଂ ସେବାରେ ଉପଯୋଗ ହୋଇଥାଏ। ଏଣୁ କମର୍ସିଆଲ ଗ୍ୟାସ୍ ଦର ବୃଦ୍ଧି ଏହି ବ୍ୟବସାୟର ଇନ୍ଧନ ବାବଦ ବ୍ୟୟ ବୃଦ୍ଧି କରିବ। ତେବେ ଡୋମେଷ୍ଟିକ୍ ଉପଯୋଗରେ ଲାଗୁଥିବା ୧୪.୨ କେଜି ଓଜନର ଏଲପିଜି ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏହି ସିଲିଣ୍ଡର ଦର ଦିଲ୍ଲୀରେ ୯୪୨ ଟଙ୍କା ଥିବା ବେଳେ ମୁମ୍ବାଇରେ ୯୪୧ ଟଙ୍କା ୫୦ ପଇସା ରହିଛି। ଏହାର ଅର୍ଥ ହେଉଛି କମର୍ସିଆଲ ଏଲପିଜି ମୂଲ୍ୟ ବୃଦ୍ଧି ସତ୍ତ୍ୱେ ଘରୋଇ ଏଲପିଜି ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ପୈଠ କରିବାକୁ ପଡିବ ନାହିଁ। ସେମାନେ ପୂର୍ବରୁ ସିଲିଣ୍ଡର ପିଛା ଯେଉଁ ଦର ଦେଉଥିଲେ ଏବେ ସେହି ଦରରେ ସିଲିଣ୍ଡର ପାଇ ପାରିବେ। କମର୍ସିଆଲ ସିଲିଣ୍ଡର ମୂଲ୍ୟ ବୃଦ୍ଧି ଲଗାତାର ମୂଲ୍ୟ ପରିବର୍ତ୍ତନ ପରେ ହୋଇଛି। ରିପୋର୍ଟ ଅନୁସାରେ ସେପ୍ଚେମ୍ବରରେ ଏହି ବୃଦ୍ଧି ଦୁଇ ମାସର ହ୍ରାସ ପରେ ହୋଇଛି।

ଭାରତରେ ଅଏଲ ମାର୍କେଟିଂ କମ୍ପାନୀମାନେ ସମୟ ସମୟରେ ଏଲପିଜି ମୂଲ୍ୟ ସଂଶୋଧନ କରନ୍ତି। ଅନ୍ତର୍ଜାତୀୟ ଇନ୍ଧନ ବଜାର, ଅଶୋଧିତ ତୈଳ, ଏଲପିପି ମୂଲ୍ୟ ଓ ଅନ୍ୟ ବଜାର ପରିସ୍ଥିତିର ପ୍ରଭାବ ଡୋମେଷ୍ଟିକ୍ ଓ କମର୍ସିଆଲ ଏଲପିଜି ଦର ଉପରେ ପଡିଥାଏ। ସେପ୍ଟେମ୍ବରରେ ହୋଇଥିବା ତାଜା ସଂଶୋଧନରେ କମ୍ପାନୀମାନେ କମର୍ସିଆଲ ସିଲିଣ୍ଡର ଦର ବଢାଇଛନ୍ତି। ହେଲେ ଏଥିରୁ ଡୋମେଷ୍ଟିକ୍ ଏଲପିଜି ସିଲିଣ୍ଡରକୁ ଅଲଗା ରଖିଛନ୍ତି। ତେବେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ଦର ବୃଦ୍ଧି ଦେଶରେ ଖାଇବା ପଇବା ସାମଗ୍ରୀ ଦର ବୃଦ୍ଧି କରିବ କି ନା ଏହା କେବଳ ଏଲପିଜି ରେଟ୍ ଉପରେ ନିର୍ଭର କରେନି। କଞ୍ଚାମାଲ, ବିଦ୍ୟୁତ, କର୍ମଚାରୀଙ୍କ ବାବଦ ବ୍ୟୟ ଓ ଅନ୍ୟ ଖର୍ଚ୍ଚ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ।