କୋଏମ୍ବଟୁର : ତାମିଲନାଡୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଗାନ୍ଧୀପୁରମ ନିକଟସ୍ଥ ରାଜା ନାଇଡୁ ଷ୍ଟ୍ରିଟ୍ ୱାର୍କିଂ ମହିଳା ହଷ୍ଟେଲରେ ଜଣେ 32 ବର୍ଷୀୟ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ହତ୍ୟା କରିଛନ୍ତି। ହତ୍ୟା ପରେ, ସ୍ୱାମୀ ତାଙ୍କ ପତ୍ନୀଙ୍କ ଶବ ସହିତ ଏକ ସେଲ୍ଫି ଉଠାଇ ତାଙ୍କ ହ୍ୱାଟ୍ସଆପ୍ ଷ୍ଟାଟସରେ ପୋଷ୍ଟ କରିଛନ୍ତି, ଯେଉଁଥିରେ କ୍ୟାପସନରେ ଲେଖିଛନ୍ତି, "ବିଶ୍ୱାସଘାତର ମୂଲ୍ୟ ମୃତ୍ୟୁ।" ରଥିନାପୁରୀ ପୋଲିସ ହତ୍ୟାକାରୀ ସ୍ୱାମୀକୁ ଗିରଫ କରିଛି। ତଦନ୍ତରୁ ଜଣା ପଡ଼ିଛି, ପତ୍ନୀଙ୍କ ପରକୀୟା ପ୍ରୀତି ପାଇଁ ସ୍ୱାମୀ ତାଙ୍କୁ ହତ୍ୟା କରିଛନ୍ତି।

​​​​​​​

ଅଭିଯୁକ୍ତ ସ୍ୱାମୀ ହେଲେ ତିରୁନେଲଭେଲିର ବାସିନ୍ଦା ଏସ. ବାଲାମୁରୁଗନ୍। ସେହି ଗାଁର ସେ ଶ୍ରୀ ପ୍ରିୟାଙ୍କୁ ବିବାହ କରିଥିଲେ। ସେମାନଙ୍କର ଦୁଇଟି ସନ୍ତାନ। ଦଶ ବର୍ଷର ପୁଅ ଏବଂ ତିନି ବର୍ଷର ଝିଅ। ଚାରି ମାସ ପୂର୍ବରୁ ଦମ୍ପତିଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ପରେ ପ୍ରିୟା ତାଙ୍କ ସ୍ୱାମୀଙ୍କୁ ଛାଡି କୋଏମ୍ବାଟୁର ଚାଲି ଆସିଥିଲେ। ସେ ତାଙ୍କ ପିଲାମାନଙ୍କୁ ଛାଡି ଅଲଗା ରହୁଥିଲେ। ଶ୍ରୀ ପ୍ରିୟା ତାଙ୍କର ଦୁଇଟି ପିଲାଙ୍କୁ ବାଲାମୁରୁଗନଙ୍କ ପାଖରେ ଛାଡ଼ି ଆସିଥିଲେ। ପରେ କୋଏମ୍ବଟୁରରେ ସେ କ୍ରସ୍ କଟ୍ ରୋଡ୍ରେ ଏକ ବ୍ୟାଗ୍ ଦୋକାନରେ କାମ କରିବା ଆରମ୍ଭ କରିଥିଲେ।

ତଦନ୍ତରୁ ଜଣାପଡ଼ିଛି ଶ୍ରୀ ପ୍ରିୟାଙ୍କ ପରପୁରୁଷ ସମ୍ପର୍କକୁ ନେଇ ଉଭୟ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଥିଲା। ସେହି ପର ପୁରୁଷ ଜଣଙ୍କ ହେଲେ ବାଲାମୁରୁଗନଙ୍କ ଦୂର ସମ୍ପର୍କୀୟ ଇସାକି ରାଜା। ଇସାକି ମଧ୍ୟ ବିବାହିତ ଏବଂ ତାଙ୍କର ତିନୋଟି ସନ୍ତାନ । ବାଲାମୁରୁଗନ ସେହି ସମ୍ପର୍କକୁ ବିରୋଧ କରୁଥିଲେ। ଯାହା ଫଳରେ ଝଗଡ଼ା ହେଉଥିଲା। ତଥାପି, ବାଲାମୁରୁଗନ ଶ୍ରୀ ପ୍ରିୟାକୁ ତାଙ୍କ ସହିତ ରଖିବାକୁ ଚାହୁଁଥିଲେ। ସେଥିପାଇଁ ଶନିବାର ଦିନ, ବାଲାମୁରୁଗନ ପ୍ରିୟାଙ୍କୁ କୋଏମ୍ବାଟୁର ଭେଟିବାକୁ ଆସିଥାନ୍ତେ। ଇସାକିଙ୍କ ସହ ସମ୍ପର୍କ ଶେଷ କରି ପୁଣି ତାଙ୍କ ସହିତ ଏକ ସୁଖମୟ ଜୀବନ ବିତାଇବାକୁ ନିବେଦନ କରିଥାନ୍ତେ। କିନ୍ତୁ ପ୍ରିୟା ଆସିବାକୁ ମନା କରିଦେଇଥିଲେ। ଏହି ସମୟରେ, ଇସାକି ରାଜା ବାଲାମୁରୁଗନଙ୍କ ଆସିବା ଖବର ଜାଣି ତାଙ୍କୁ ନିଜର ଏବଂ ପ୍ରିୟାଙ୍କ ଅନ୍ତରଙ୍ଗ ଫଟୋ ପଠାଇଲେ। ଏ ଘଟଣା ପରେ ନିଜକୁ ଅଟକାଇ ପାରିଲେନି ବାଲାମୁରୁଗନ। ସେ ରାଗିଯାଇ ମଦ ପିଇ ପ୍ରିୟାଙ୍କ ହଷ୍ଟେଲରେ ଭେଟିବାକୁ ଯାଇଥିଲେ। ଫଟୋ ବିଷୟରେ ତାଙ୍କ ସହିତ କଥା ହୋଇଥିଲେ। ଖୁବ୍ ଯୁକ୍ତିତର୍କ ଭିତରେ ହଠାତ୍, ବାଲାମୁରୁଗନ ତାଙ୍କ ବ୍ୟାଗରୁ ଏକ ଛୁରୀ ବାହାର କରି ପ୍ରିୟାଙ୍କୁ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ସମୟରେ, ବାଲାମୁରୁଗନ ମୃତଦେହ ସହିତ ଏକ ସେଲଫି ଉଠାଇ ତାଙ୍କ ହ୍ୱାଟସଆପ୍ ଷ୍ଟାଟସରେ ପୋଷ୍ଟ କରିଥିଲେ।

ସୂଚନା ପାଇବା ରଥିନାପୁରୀ ପୋଲିସ ପ୍ରିୟାଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କୋଏମ୍ବାଟୁର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ପଠାଇଥିଲା। ପୋଲିସ ତାଙ୍କ ପତ୍ନୀଙ୍କ ମୃତଦେହ ପାଖରେ ବସିଥିବା ସମୟରେ ତାଙ୍କୁ ଗିରଫ କରି ନ୍ୟାୟିକ ହେପାଜତକୁ ପଠାଇ ଥିଲେ।