ଭୁବନେଶ୍ୱର ୦୩।୦୮ : ୟୁନେସ୍କୋର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ପୁରୀର ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାକୁ ମନୋନୀତ କରିବାପାଇଁ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କୁ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ୟୁନେସ୍କୋର ଐତିହ୍ୟ ତାଲିକାରେ ଲିପିବଦ୍ଧ କରିବା ପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ଦେଇଥିବା ପ୍ରସ୍ତାବ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ପର୍ବର ଉଲ୍ଲେଖନୀୟ ସାଂସ୍କୃତିକ ଗୁରୁତ୍ୱ ଏବଂ ଏହାର ସମନ୍ୱୟ ଏବଂ ମାନବିକ ମୂଲ୍ୟବୋଧର ସାର୍ବଜନୀନ ବାର୍ତ୍ତାକୁ ବିଚାର କରି, ପ୍ରସ୍ତାବକୁ ସଂସ୍କୃତି ମନ୍ତ୍ରଣାଳୟ ଆବଶ୍ୟକ ସମର୍ଥନ ପ୍ରଦାନ କରିବା ପାଇଁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ସେହିପରି ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ ବରଂ ଏକ କାଳଜୟୀ ସଭ୍ୟତା ପରମ୍ପରା ଯାହା ଭାରତର ସମୃଦ୍ଧ ସାଂସ୍କୃତିକ ବିବିଧତା, ଅନ୍ତର୍ଭୁକ୍ତି, ଆଧ୍ୟାତ୍ମିକତା, କାରିଗରୀ, ସଙ୍ଗୀତ, ନୃତ୍ୟ ଏବଂ ସାମୁଦାୟିକ ଅଂଶଗ୍ରହଣକୁ ପ୍ରତିପାଦିତ କରୁଛି । ଶତାବ୍ଦୀ ଶତାବ୍ଦୀ ଧରି ପାଳିତ ହେଉଥିବା ଏହି ପର୍ବ, ବିଶ୍ୱର ବିଭିନ୍ନ ସ୍ଥାନରୁ ଲକ୍ଷ ଲକ୍ଷ ଭକ୍ତ ଏବଂ ପରିଦର୍ଶକଙ୍କୁ ଆକର୍ଷିତ କରେ । ଏହା ଭାରତର ଜୀବନ୍ତ ଐତିହ୍ୟର ସବୁଠାରୁ ସ୍ଥାୟୀ ପ୍ରତୀକ। ଭାରତର ସମୃଦ୍ଧ ସାଂସ୍କୃତିକ ପରମ୍ପରାକୁ ବିଶ୍ୱସ୍ତରୀୟ ସ୍ୱୀକୃତି ଆହୁରି ମଜବୁତ କରିବ। ଭବିଷ୍ୟତ ପିଢ଼ି ପାଇଁ ଏହାର ସଂରକ୍ଷଣ ଏବଂ ପ୍ରୋତ୍ସାହନରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେବ ବୋଲି ଚିଠିରେ ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ।

Also Read:-ରାଜଧାନୀରେ ଥିବା ତୁଳା କମ୍ପାନୀରେ ଭୟଙ୍କର ଅଗ୍ନିକାଣ୍ଡ, ନିଆଁ ଲିଭାଇବାକୁ ଆସିଲା ରୋବଟ...