ଭୁବନେଶ୍ବର ୧।୮: ମହାନଦୀ ଜଳ ବିବାଦର ସମାଧାନ ନେଇ ପୁଣି ଆଶା ଦୋହରାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଦିଲ୍ଲୀରେ ମହାନଦୀ ଜଳ ବିବାଦର ସମାଧାନ ନେଇ ଛତିଶଗଡ଼ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା ହୋଇଛି । ଓଡ଼ିଶାର ଚାଷୀ ଓ ଲୋକଙ୍କ ଅଧିକାର, ସ୍ବାର୍ଥକୁ ଗୁରୁତ୍ବ ଦେଇ ଆଲୋଚନା ହୋଇଛି । ସେଣ୍ଟ୍ରାଲ ୱାଟର କମିଶନଙ୍କ ଅଧ୍ୟକ୍ଷତାରେ ଏକ ବୈଷୟିକ ଟିମ୍ ଗଠନ ହେବ । ଏହି ଟିମ୍ ୩ ମାସ ମଧ୍ୟରେ ସମାଧାନ ପାଇଁ ଉଦ୍ୟମ କରିବ । ଓଡ଼ିଶା ଓ ଛତିଶଗଡ଼ ଉଭୟ ରାଜ୍ୟର ସ୍ବାର୍ଥକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯିବ । ଆସନ୍ତା ଦୀପାବଳି ଉତ୍ସବ ପୂର୍ବରୁ ଭଲ ଫଳ ମିଳିବ ବୋଲି ଆଶା ରହଛି କହିଲେ ମୁଖ୍ୟମନ୍ତ୍ରୀ ।

ଗତ ଜୁଲାଇ ୩୦ ତାରିଖରେ ମହାନଦୀ ଜଳ ବିବାଦର ସମାଧାନ ନେଇ ଏକାଠି ବସି ଆଲୋଚନା କରିଥିଲେ ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀ । କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି. ଆର. ପାଟିଲଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଓଡ଼ିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଏବଂ ରାଜ୍ୟର ଜଳସମ୍ପଦର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଗାମୀ ୩ ମାସରେ ଉଭୟ ରାଜ୍ୟର ଅଧିକାରୀ ମାନେ ଏ ନେଇ ଆପୋଷ ଆଲୋଚନା କରିବେ ବୋଲି ନିଷ୍ପତ୍ତି ନିଆଯାଇଛି ।

Also Read:- ମହାନଦୀ ଜଳ ବିବାଦ: ଆସନ୍ତା ଦୀପାବଳି ସୁଦ୍ଧା ସମାଧାନ ଲକ୍ଷ୍ୟ, ନୂଆଦିଲ୍ଲୀରେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ର ଜଳଶକ୍ତି ରାଜ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଥମ ଥର ପାଇଁ ମୁହାଁମୁହିଁ ବସି ପ୍ରାୟ ଘଣ୍ଟାଏ ଧରି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ ।

ଏହି ଚର୍ଚ୍ଚା ବେଳେ ଓଡ଼ିଶାର ସ୍ବାର୍ଥ, ରାଜ୍ୟର ଜଳସମ୍ପଦ ସୁରକ୍ଷା ଏବଂ ଚାଷୀକୁଳଙ୍କ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଆପୋଷ ଆଲୋଚନା ଜରିଆରେ ଏହି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଦୁଇ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଛି ।