ଭୁବନେଶ୍ବର ୧୮।୧୧: ଆରମ୍ଭ ହେଲା ବିଧାନସଭାର ଶୀତକାଳୀନ ଅଧିବେଶନ । ରାଷ୍ଟ୍ରଗାନ ଏବଂ ଜାତୀୟ ସଙ୍ଗୀତ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିଥିଲେ । ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା, ପୂର୍ବତନ ସଦସ୍ୟ କାହ୍ନୁ ଚରଣ ନାଏକ, ପୂର୍ବତନ କନେଷ୍ଟବଳ ଅଜୟ ବାଗ୍, ପୂର୍ବତନ କନେଷ୍ଟବଳ ହିମାଂଶୁ ରାୟ ଏବଂ ଅର୍ଣ୍ଣବ ବାତ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ଶୋକପ୍ରସ୍ତାବ ଆଗତ କରିଥିଲେ । ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା ସମର୍ଥନ ଜଣାଇଛନ୍ତି ।

ଅପରାହ୍ନରେ ୨୦୨୬- ୨୭ ମସିହାର ପ୍ରଥମ ଅତିରିକ୍ତ ବଜେଟ୍ ଗୃହରେ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏପଟେ ପ୍ରଥମ ଦିନରୁ ହିଁ ଗୃହ ସରଗରମ ହୋଇପାରେ । ବାତ୍ୟା ଓ ବନ୍ୟା ପରିଚାଳନାରେ ସରକାରଙ୍କ ବିଫଳତାକୁ ନେଇ ସ୍ୱତନ୍ତ୍ର ଆଲୋଚନା ପାଇଁ ମୋସନ ଦେଇଛି ବିଜେଡି । ଏହାସହ ଭତ୍ତା ସମସ୍ୟା, କୋଟିଆ, ଆଇନ ଶୃଙ୍ଖଳା, ଧାନ ପଞ୍ଜିକରଣ, ଏମଏମଡିଆର୍, ମହାନଦୀ ପ୍ରସଙ୍ଗରେ ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ । ସେହିପରି ଶାସକ ଦଳ ସରକାରଙ୍କ ସଫଳତାକୁ ଉଠାଇବା ସହ ବିରୋଧୀଙ୍କ ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ପ୍ରସ୍ତୁତ ଥିବା କହିଛନ୍ତି ।