ଭୁବନେଶ୍ଵର: କଲେଜ ଓ ବିଶ୍ବବିଦ୍ୟାଳୟରେ ଛାତ୍ରୀ ନିର୍ଯ୍ୟାତନା ଉପରେ ଲାଗିବ ରୋକ୍ ।ଛାତ୍ରୀ କିମ୍ବା ଅଧ୍ୟାପିକା ନିର୍ଯ୍ୟାତନାର ଶୀକାର ହେଲେ ତୁରନ୍ତ ହେବ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଆରମ୍ଭ କରିଛନ୍ତି ଶକ୍ତିଶ୍ରୀ ଆପ୍ । ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟର ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଏହାକୁ ଲଞ୍ଚ କରାଯାଇଛି । ଯଦି କୌଣସି ଛାତ୍ରୀ କିମ୍ବା ମହିଳା କର୍ମଚାରୀ ଅସଦାଚରଣର ଶୀକାର ହେଲେ ସେମାନେ ତୁରନ୍ତ ଏହି ଆପରେ ଜଣାଇପାରିବେ ।ଫଳରେ ଦୋଷୀଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ହୋଇପାରିବ। ଏପଟେ ଓଡ଼ିଶାକୁ ନଲେଜ କ୍ୟାପିଟାଲ ଭାବେ ଗଢିବା ପାଇଁ ଭୁବନେଶ୍ବରରେ ଦୁଇ ଦିନିଆ ଜାତୀୟ କର୍ମଶାଳା ଆରମ୍ଭ ହୋଇଛି ।

ଆପଣଙ୍କୁ କଲେଜରେ ଦିଆଯାଉଛି କି ନିର୍ଯ୍ୟାତନା ? ବିଶ୍ବବିଦ୍ୟାଳୟରେ ହେଉଛନ୍ତି କି ଅସଦାରଣର ଶୀକାର ? ଏମିତି ହେଉଥିଲେ ଭୟ କରନ୍ତୁ ନାହିଁ । ଏବେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ଶକ୍ତିଶ୍ରୀ ଆପ୍ ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀ ଓ ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଶକ୍ତିଶ୍ରୀ ଆପ ଲଞ୍ଚ କରିଛନ୍ତି । ଫଳରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ଛାତ୍ରୀମାନେ ମାନସିକ କିମ୍ବା ଶାରୀରିକ ନିର୍ଯ୍ୟାତନାର ଶୀକାର ହେଲେ ସେମାନେ ତୁରନ୍ତ ଶକ୍ତିଶ୍ରୀ ଆପରେ ଅଭିଯୋଗ ଜଣାଇ ପାରିବେ । ଏହାଫଳରେ ତୁରନ୍ତ ପରିବାର ସଦସ୍ୟ ଓ କଲେଜର ଅଧ୍ୟକ୍ଷଙ୍କୁ ଲାଇଭ ଲୋକେସନ ସହ ନୋଟିଫିକେନ ପହଞ୍ଚିବ । ଯାହାକି ସମ୍ପୁର୍ଣ୍ଣ ଗୋପନୀୟ ରହିବ ।

Also Read: Subhadra Yojana: ୪ରେ ବଞ୍ଚିତ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ଏତିକି ମହିଳା ହେବେ ଉପକୃତ

ରାଜ୍ୟସ୍ତରରେ ଏହାକୁ ସୁଦୃଢ ପାଇଁ ଡିଜିଟାଲ ଡେସ୍କ ବୋର୍ଡର ମଧ୍ୟ ବ୍ୟବସ୍ଥା କରାଯାଇଛି । ଏହାର ପରିଚାଳନା ପାଇଁ ଶକ୍ତି ଅପା, ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତିଶ୍ରୀ ସାଥିଙ୍କୁ ଦାୟୀତ୍ବ ଦିଆଯାଇଛି । ଏହାସହ ଏହି ଆପରେ ଆତ୍ମରକ୍ଷା କୌଶଳ, ଡିଜିଟାଲ ସାକ୍ଷରତା, ବ୍ୟାଙ୍କିଙ୍ଗ ସହ ଆଇନଗତ ସଚେତନାତା ପାଇଁ ବ୍ୟବସ୍ଥା ରହିଛି ।ଯାହାକି ଛାତ୍ରୀଙ୍କୁ ଅନେକ ମାତ୍ରାରେ ସୁରକ୍ଷା ଦେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସରକାରଙ୍କ ଏପରି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଛାତ୍ରୀ ।

ସେପଟେ ଓଡ଼ିଶାକୁ ନଲେଜ କ୍ୟାପିଟାଲ ଭାବେ ଗଢିବା ପାଇଁ ଦୁଇ ଦିନିଆ ଜାତୀୟ କର୍ମଶାଳାର ଉଦଘାଟନ ହୋଇଛି । ଜାତୀୟ ଶିକ୍ଷା ନୀତି- ୨୦୨୦ ଲାଗୁହେବା ଫଳରେ ଦେଶର ଶିକ୍ଷା ବ୍ୟବସ୍ଥାରେ ବଡ ପରିବର୍ତ୍ତନ ପାଇଁ କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭୂରି ଭୂରି ପ୍ରଂସଶା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ସେ କହିଛନ୍ତି, ବହୁ ବର୍ଷ ଧରି ଶିକ୍ଷା କ୍ଷେତ୍ରରେ ଥିବା ଜଡତାକୁ ଦୂର କରିବା ଆମ ସରକାରଙ୍କ ପ୍ରାଥମିକତା । ସେହିପରି ବିଭିନ୍ନ ରାଜ୍ୟର ଶିକ୍ଷା ମଡେଲକୁ ଅନୁଧ୍ୟାନ କରି ରାଜ୍ୟକୁ ଆଗେଇ ନେବାକୁ ସେ ଆହ୍ବାନ ଦେଇଛନ୍ତି ।

Also Read: ଏଥର ପୁଅଙ୍କୁ ପଛରେ ପକାଇଲେ ଝିଅ, ପାସ୍ କଲେ ୨.୬୩ ଲକ୍ଷ ଛାତ୍ରୀ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସଂସ୍କୃତି ଓ ଶିକ୍ଷାର ଅପୂର୍ବ ସମନ୍ବୟ ହେଉଛି ଓଡିଶା ।ଭାରତର ସଭ୍ୟତାକୁ ବଡ ଅବଦାନ ରହିଛି ଓଡିଶାର । ଏହାସହ କ୍ୟାମ୍ପସ୍ ବାତାବରଣକୁ ଶୈକ୍ଷିକ ଏବଂ ସୁଦୃଢ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଆହ୍ବାନ ଦେବା ସହ କ୍ରୀଡା, ନାଚ, ଗୀତ, ଓଡ଼ିଆ ଭାଷା ସହ ପିଲାଙ୍କୁ ସାମିଲ ହେବାକୁ ପଡିବ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଦେଶରେ ଜାତୀୟ ଶିକ୍ଷା ନୀତି ଲାଗୁ ହେବାର ୫ ବର୍ଷ ପରେ ଓଡିଶାରେ ଏହା ଲାଗୁ ହୋଇଛି । ଏହା ବିଳମ୍ବରେ କାର୍ଯ୍ୟକାରୀ ହେଲେ ସୁଧା ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ହେଉଥିବା ଲକ୍ଷ୍ୟ କରାଯାଉଛି।