ବାଲିଗୁଡ଼ା, ୧୩।୧୧ : ଧୀରେ ଧୀରେ କମୁଛି ପାରଦ, ବଢ଼ିବାରେ ଲାଗିଛି ଶୀତର ପ୍ରକୋପ। ସଞ୍ଜ ନଇଁଲେ ଗାଁ ଗହଳିରେ ଅନୁଭୂତ ହେଉଛି ଶୀତର ଶିହରଣ। ରାତି ବଢ଼ିବା ସହ ଶୀତର ପ୍ରଭାବ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ଥଣ୍ଡା ବଢିବା ସହ ପର୍ଯ୍ୟଟକଙ୍କୁ ମଧ୍ୟ ଆକର୍ଷିତ କରୁଛି ।

କନ୍ଧମାଳର ପାହାଡ଼, ପର୍ବତ ଓ ସବୁଜ ବନାନୀ ମଧ୍ୟରେ ଦେଖିବାକୁ ମିଳୁଛି କୁହୁଡ଼ିର ଧଳା ଆସ୍ତରଣ। ସକାଳର ସୂର୍ଯ୍ୟକିରଣ ସହ କାକର ବିନ୍ଦୁରେ ଝଲସି ଉଠୁଛି ପ୍ରକୃତିରାଣୀର ଅପୂର୍ବ ସୌନ୍ଦର୍ଯ୍ୟ। ଗଛଲତାର ପତ୍ର ଉପରେ ମୁକ୍ତା ପରି ଚମକୁଥିବା କାକର ବିନ୍ଦୁ ପରିବେଶର ଶୋଭାକୁ ଦ୍ୱିଗୁଣିତ କରୁଛି।

Also Read :- ଟ୍ରକକୁ ପିଟିଲା ପିକ୍ ଅପ୍ ଭ୍ୟାନ୍ : ହେଲପର ମୃତ, ଡ୍ରାଇଭର ଗୁରୁତର

ସେହିପରି ପାହାଡ଼ିଆ ଅଞ୍ଚଳର ଶୀତଳ ପବନ, କୁହୁଡ଼ିର ଆସ୍ତରଣ ଓ ସବୁଜିମାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ ଆକର୍ଷିତ କରୁଛି। ଶୀତର ଆଗମନ ସହ କନ୍ଧମାଳର ପ୍ରକୃତି ଯେପରି ନୂଆ ରୂପରେ ସଜେଇ ହୋଇଛି। ସତେ ଯେମିତି କୁହୁଡ଼ିର ଚାଦର ତଳେ ପ୍ରକୃତିରାଣୀ ଶୀତକୁ ସ୍ୱାଗତ କରୁଛି।

ଶୀତ ବଢିବା ସହ ଜିଲ୍ଲାରେ ପର୍ଯ୍ୟଟକଙ୍କ ସୁଅ ଛୁଟିଲାଣି । ଥଣ୍ଡାକୁ ଉପଭୋଗ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ପର୍ଯ୍ୟଟକ ଏଠାକୁ ଆସୁଛନ୍ତି । ଆଗକୁ ନୂଆବର୍ଷ ଥିବାରୁ ଜିଲ୍ଲାର ଅନେକ ପର୍ଯ୍ୟଟନସ୍ଥଳୀରେ ଗହଳି ହେବାରେ ଲାଗିଛି ।