ବାସୁଦେବପୁର, ୧୩।୧୧ : ପୋଲିସ ଗାଡିକୁ ଧକ୍କା ଦେଲା ଟ୍ରକ୍ । ଜୀବନ ହାରିଲେ ଡ୍ରାଇଭର । ଏପରି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ବାସୁଦେବପୁରରେ । ଏଠାରେ ଗୁରୁବାର ବିଳମ୍ବିତ ରାତ୍ରରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି । ଯେଉଁଥିରେ ଜଣେ ପୋଲିସ କର୍ମଚାରୀ ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁସାରେ, ଧାମରା-ବାସୁଦେବପୁର ରାସ୍ତାର ବିରସ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ଛକରେ ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ ସହ ପୁରୀ ପୁଲିସ ଭ୍ୟାନ୍ ମଧ୍ୟରେ ଜୋରଦାର ଧକ୍କା ହୋଇଥିଲା। ଏଥିରେ ପୋଲିସ ଗାଡିର ଡ୍ରାଇଭର ପ୍ରାଣ ହରାଇଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି ।

କୁହାଯାଉଛି ଯେ, ପୁରୀ ପୋଲିସର ଏକ ଟିମ୍ ମୋବାଇଲ୍ ଟ୍ରାକିଂ କାର୍ଯ୍ୟରେ ଧାମରା ଅଞ୍ଚଳକୁ ଆସିଥିଲେ । ବାସୁଦେବପୁରକୁ ଫେରୁଥିବା ସମୟରେ ବିପରୀତ ଦିଗରୁ ଅର୍ଥାତ ଧାମରା ଅଭିମୁଖେ ଯାଉଥିବା ଏକ ଲୁହା ପ୍ଲେଟ୍ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଭାରସାମ୍ୟ ହରାଇ ପୋଲିସ ଗାଡ଼ିକୁ ଧକ୍କା ଦେଇଥିଲା । ଫଳରେ ଗାଡ଼ିରେ ଥିବା ସମସ୍ତେ ଗୁରୁତର ହୋଇଥିଲେ । ଘଟଣାସ୍ଥଳରେ ଉପସ୍ଥିତ ଅନ୍ୟ ଗାଡ଼ି ଚାଳକମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ପହଞ୍ଚି ସମସ୍ତ ଆହତଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Also Read :- ଟ୍ରକକୁ ପିଟିଲା ପିକ୍ ଅପ୍ ଭ୍ୟାନ୍ : ହେଲପର ମୃତ, ଡ୍ରାଇଭର ଗୁରୁତର

ତେବେ ହସ୍ପିଟାଲରେ ପୋଲିସ କର୍ମଚାରୀ ତଥା ଡ୍ରାଇଭର ପ୍ରଶାନ୍ତ ବାଗଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଅନ୍ୟ ୩ ଜଣ ଗୁରୁତରଙ୍କୁ ପ୍ରାଥମିକ ଚିକିତ୍ସା ପରେ ଭଦ୍ରକ ଡାକ୍ତରଖାନାକୁ ପଠାଇଯାଇଛି। ଅନ୍ୟପକ୍ଷରେ, ଦୁର୍ଘଟଣା ଘଟାଇଥିବା ଲୁହା ପ୍ଲେଟ୍ ବୋଝେଇ ଟ୍ରକକୁ ନୟାକାଣୀଡିହି ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।