ଭୁବନେଶ୍ୱର ୦୮।୦୯ : ନୂଆଦିଲ୍ଲୀ ଅଭିମୁଖେ ମୁଖ୍ୟମନ୍ତ୍ରୀ। ପ୍ରଥମେ ନୂଆଦିଲ୍ଲୀ ଯାଇ ସେଠାରୁ ଆବୁଧାବି ଗସ୍ତ କରିବେ ମୁଖ୍ୟମନ୍ତ୍ରୀ। ମଙ୍ଗଳବାରଠୁ ପାଞ୍ଚ ଦିନିଆ UAE ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଓଡ଼ିଶାକୁ ଅଧିକ ପୁଞ୍ଜି ଆଣିବା ଲକ୍ଷ୍ୟରେ ୟୁଏଇର ବୃହତ ନିବେଶକ ଓ ଶିଳ୍ପପତିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ୯ ତାରିଖରେ IHC, ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ ଗ୍ରୁପ୍ ଏବଂ ପେଟ୍ରୋକେମିକାଲ କମ୍ପାନୀର ପ୍ରମୁଖ ଅଧିକାରୀଙ୍କ ସହ ଆଲୋଚନା କରିବେ। ସେହିଦିନ ଦୁବାଇରେ ‘One District One Product’ ଅଧୀନରେ ଓଡ଼ିଶାର ବିଭିନ୍ନ ସାମଗ୍ରୀର ପ୍ରଦର୍ଶନୀ ଉଦଘାଟନ କରିବେ।

Also Read:-Rare orangutan: ଓଡ଼ିଶାରେ ବିରଳ ଓରାଙ୍ଗଓଟାନ୍, ମନ୍ତ୍ରୀ କହିଲେ- ଥାଇପାରେ ଆନ୍ତର୍ଜାତୀୟ ଲିଙ୍କ୍

୧୦ ତାରିଖରେ ୟୁଏଇର ଅର୍ଥନୀତି ଓ ପର୍ଯ୍ୟଟନ ମନ୍ତ୍ରୀ ଅବଦୁଲ୍ଲା ବିନ୍ ତକ୍ ଅଲ୍ ମାରିଙ୍କ ସହ ସାକ୍ଷାତ କରିବେ। ଏହାସହ ଇଣ୍ଡିଆନ ବିଜନେସ ଆଣ୍ଡ ପ୍ରଫେସନାଲ କାଉନସିଲ ଓ ଏମିରେଟ୍ସ ଗ୍ଲୋବାଲ ଆଲୁମିନିଅମ୍ ର ନେତୃତ୍ୱଙ୍କ ସହ ଆଲୋଚନା କରିବେ। ମିଡିଲ ଇଷ୍ଟ ରିସାଇକ୍ଲିଙ୍ଗ୍ ଆସୋସିଏସନ୍ ସହ ରାଉଣ୍ଡ ଟେବୁଲ୍ ବୈଠକ ମଧ୍ୟ ହେବ।

ସେହିପରି ୧୧ ତାରିଖରେ ଦୁବାଇରେ ହେବ ଓଡ଼ିଶା ଇନ୍ ଭେଷ୍ଟର୍ସ ମିଟ୍। ଦେଶ ଓ ବିଦେଶର ଉଦ୍ୟୋଗପତିଙ୍କ ସହ ଆଲୋଚନା କରି ଓଡ଼ିଶାରେ ଥିବା ବ୍ୟାପକ ନିବେଶ ସୁଯୋଗ ସମ୍ପର୍କରେ ଅବଗତ କରାଇବେ ମୁଖ୍ୟମନ୍ତ୍ରୀ। ଏହାସହ ପ୍ରବାସୀ ଓଡ଼ିଆଙ୍କ ସହ ମଧ୍ୟ ମତବିନିମୟ କରିବେ।

ଓଡ଼ିଶାକୁ ଶିଳ୍ପ ଓ ନିବେଶର ଏକ ପ୍ରମୁଖ କେନ୍ଦ୍ର ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିଛି। ପୂର୍ବରୁ ସିଙ୍ଗାପୁର ସମେତ ବିଭିନ୍ନ ସ୍ଥାନରେ ନିବେଶକଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏବେ UAE ଗସ୍ତ ମାଧ୍ୟମରେ ଓଡ଼ିଶାକୁ ଆହୁରି ବଡ଼ ପୁଞ୍ଜି ଆଣିବା ଦିଗରେ ଆଶା ରହିଛି।