ବାରିପଦା: ମୁଖ୍ୟମନ୍ତ୍ରୀଙ୍କ ବାରିପଦା ଗସ୍ତ ମୟୂରଭଞ୍ଜ ସ୍ୱାସ୍ଥ୍ୟସେବାକୁ ଦେଇଛି ନୂଆ ମାଇଲ ଖୁଣ୍ଟ। ସୋମବାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସପିଟାଲର ୬୫୦ ବେଡ୍ ବିଶିଷ୍ଟ ଅତ୍ୟାଧୁନିକ ଡାକ୍ତରଖାନା ଲୋକାର୍ପଣ କରିବା ସହିତ ୪୩୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭ ଉଦଘାଟନ କରିଛନ୍ତି। ଏହାସହ ସ୍ଥାନୀୟ କଲେଜପଡିଆ ଠାରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇ ମୟୂରଭଞ୍ଜର କଳା ସଂସ୍କୃତି ଓ ଏଠିକାର ଲୋକଙ୍କ ସରଳତାର ପ୍ରଶଂସା କରିଛନ୍ତି।

ଦିନ ୧୧ଟା ୧୫ରେ ସ୍ଥାନୀୟ କଲେଜପଡ଼ିଆ ସଭାସ୍ଥଳରେ ପହଞ୍ଚି ସରକାରଙ୍କ ଦୁଇବର୍ଷ ପୁର୍ତ୍ତି ଅବସରରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ। ଏହାସହ ଏଠାରେ ଭର୍ଚୁଆଲ ମୋଡରେ ଜିଲ୍ଲାର କିଛି ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପ୍ରମୁଖ ପ୍ରକଳ୍ପ ମଧ୍ୟରେ ସ୍ୱାସ୍ଥ୍ୟସେବାକୁ ୬୫ କୋଟି ୯୮ ଲକ୍ଷ, ରାସ୍ତା ଓ ଗୃହ ବିଭାଗକୁ ୧୯୦ କୋଟି ୮୬ ଲକ୍ଷ ଟଙ୍କା ସହ ଗ୍ରାମ୍ୟ ରାସ୍ତା ଲାଗି ୩୩ କୋଟି ୯୦ ଲକ୍ଷ ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି।

ଏହାପରେ ମଧ୍ୟାହ୍ନରେ ଏଠାରୁ ରଙ୍ଗାମାଟିଆ ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସପିଟାଲ ପରିସର କରି ନୂତନ ଭାବେ ନିର୍ମାଣ ହୋଇଥିବା ୬୫୦ ଶଯ୍ୟା ବିଶିଷ୍ଟ ଭେଷଜ ହସପିଟାଲକୁ ଉଦଘାଟନ କରିବା ସହ ସେଠାରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଭାବ ବିନିମୟ କରିଥିଲେ। ଏହି ହସ୍ପିଟାଲ ଖୋଲିବା ପରେ କେବଳ ମୟୂରଭଞ୍ଜ ବା ଓଡ଼ିଶା ନୁହେଁ, ପଡୋଶୀ ରାଜ୍ୟ ର ଲୋକେ ମଧ୍ୟ ଏଠାରୁ ସେବା ପାଇପାରିବେ। ଏବଂ ଆଗଭଳି ଆଉ ଅଧିକ ସଂଖ୍ୟକ ରୋଗୀ କଟକ ବା ଅନ୍ୟ ସ୍ଥାନରୁ ସ୍ଥାନାନ୍ତର ହେବେ ନାହିଁ  ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ସଭାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନିଜ ଭାଷଣରେ ଏହାକୁ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି କହିବା ସହିତ ପିଆରଏମରେ ୨୫ଟି ନୂଆ ପିଜି ସିଟ୍ ଖୋଲିବା ସହିତ ମେଡିକାଲ ସିଟ୍ ମଧ୍ୟ ଅଧିକ କରାଯାଇଛି ବୋଲି ଘୋଷଣା କରିଛନ୍ତି। ଏହା ସହିତ ସାରା ରାଜ୍ୟରେ ୫୦୦ ଅଧିକ ପିଜି ସିଟ୍ ମଧ୍ୟ ଖୋଲାଯିବା କଥା କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ।ସରକାରଙ୍କ ଏହି ପଦକ୍ଷେପ ଡାକ୍ତରୀ ଛାତ୍ରମାନଙ୍କ ମଧ୍ୟରେ ଏକ ନୁଆ ଉତ୍ସାହ ଆଣିଛି। ପିଜିରେ ବରିଷ୍ଠ ଛାତ୍ରମାନେ ସେମାନଙ୍କୁ ଅଧିକ ଗାଇଡ କରିବା ସହିତ ଅଧିକ ସଂଖ୍ୟକ ରୋଗୀଙ୍କୁ ଆଉ ରେଫର୍ କରିବାକୁ ପଡ଼ିବ ନାହିଁ। ଏହା ଜିଲ୍ଲା ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଏକ ମାଇଲଖୁଣ୍ଟ ବୋଲି କହିଛନ୍ତି ଡାକ୍ତରୀ ଛାତ୍ର।

କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସହିତ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ମୟୂରଭଞ୍ଜ ସାଂସଦ ନବ ଚରଣ ମାଝି, ଜଙ୍ଗଲ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆଙ୍କ ସହିତ ଜିଲ୍ଲାର ସମସ୍ତ ବିଧାୟକ ଏବଂ ଉତ୍ତର ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷା ଡକ୍ଟର ବୁଢ଼ାନ ମୁର୍ମୁ ଉପସ୍ଥିତ ରହିଥିଲେ ।