ନୂଆଦିଲ୍ଲୀ,୨୫ /୦୩: ମଧ୍ୟପ୍ରାଚ୍ୟରେ ସଙ୍କଟ ଘନେଇବାରେ ଲାଗିଛି । ଆମେରିକା ୫ ଦିନ ଯାଏଁ ଯୁଦ୍ଧ ବିରତି ଘୋଷଣା କରିଥିଲେ ମଧ୍ୟ ତାହା କାମ ଦେଉନି । ଲଗାତାର ଭାବେ ଇରାନ ଉପରେ ଇସ୍ରାଏଲ ମିସାଇଲ ମାଡ କରୁଛି । ୟୁଏସ ମଧ୍ୟ ଇରାନ ଅଭିମୁଖେ ନିଜର ସବୁଠୁ ଘାତକ ଫୋର୍ସକୁ ପଠାଇବାକୁ ଯୋଜନା କଲାଣି । ଏସବୁ ଭିତରେ ଯୁଦ୍ଧ ବନ୍ଦ ପାଇଁ ଆଲୋଚନା ଜାରି ରହିଛି । ଯେଉଁଥିରେ ଇରାନ ଆଗରେ ଆମେରିକା ୧୫ ପଏଣ୍ଟର ଏକ ପ୍ରସ୍ତାବ ରଖିଛି । 

ଲଢୁଛି ଇରାନ

ଫେବ୍ରୁଆରୀ ୨୮ ତାରିଖରେ ଇରାନ ବିରୋଧରେ ଆମେରିକାର ଅପରେସନ୍ ଏପିକ୍ ଫ୍ୟୁରୀ ଏବଂ ଇସ୍ରାଏଲର ରୋରିଂ ଲାୟନ ଆରମ୍ଭ ହୋଇଥିଲା । ଯେଉଁଥିରେ ଇରାନର ଟପ୍ ନେତା ଆୟତୁଲ୍ଲାହ ଖାମେନିଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ପ୍ରାଣ ହରାଇ ସାରିଛନ୍ତି । ଆପାଖ ୧୧ଟି ଦେଶକୁ ଯୁଦ୍ଧର ବିଭୀଷିକା ଡେଇଁଛି । ତଥାପି ଇରାନ ହାର୍ ମାନିନି । ଜବାବ ଦେଉଛି । ଇସ୍ରାଏଲ ଏବଂ ଆମେରିକାର ଅନେକ ସାମରିକ ଘାଟି ଉପରେ ଇରାନର ଡ୍ରୋନ୍ ଏବଂ ମିସାଇଲ ମାଡ ହେଉଛି । ଯେଉଁଥରେ ୟୁଏସର ଅନେକ ଫାଇଟର ଜେଟ୍ ନଷ୍ଟ ହୋଇଛି । ଏହାସହ ୟୁଏସ ଫୋର୍ସର କମାଣ୍ଡୋ ପ୍ରାଣ ହରାଇଛନ୍ତି । ସେହିପରି ଷ୍ଟ୍ରେଟ୍ ଅଫ୍ ହର୍ମୋଜକୁ ଇରାନ କବଜା କରି ରଖିଛି । କିଛି ବଛାବଛା ଦେଶର ଜାହାଜ ବ୍ୟତୀତ ଅନ୍ୟ କୌଣସି ଜାହାଜକୁ ଏହି ଷ୍ଟ୍ରେଟ୍ ଦେଇ ତେହେରାନ ଛାଡୁନି । ଆକ୍ରମଣର ଭୟ ଦେଖାଉଛି । ସମୁଦ୍ର ଭିତରେ ତେହେରାନ ସେନା ବୋମା ବିଛାଇଛି । ଯାହାକୁ ଡିଫ୍ୟୁଜ୍ କରିବା ଆମେରିକା ପାଇଁ କଷ୍ଟକର ହୋଇପଡିଲାଣି । ଏହି କ୍ଷେତ୍ରରେ ଆମେରିକା ଅନ୍ୟ ଦେଶର ସହଯୋଗ ଲୋଡୁଛି । ଦୁଇ ଦିନ ତଳେ ଇରାନ୍ ନିଜର ସବୁଠୁ ଦୂରଗାମୀ ମିସାଇଲ୍ ମାଡ଼ କରିଛି । ଯାହା ସମସ୍ତଙ୍କୁ ଚକିତ କରିଦେଇଛି । 

ଇରାନ ଦାବି କ?

ଇରାନ ଦାବି କରୁଛି ଯେ, ମଧ୍ୟପ୍ରାଚ୍ୟରେ ଆମେରିକା ପ୍ରତିଷ୍ଠା କରିଥିବା ନିଜର ସମସ୍ତ ସାମରିକ ଘାଟିକୁ ଶୀଘ୍ର ବନ୍ଦ କରୁ । ଏହାସହ ଇରାନରେ ଯେଉଁ ଯୁଦ୍ଧଜନିତ କ୍ଷତି ହୋଇଛି ତାହାକୁ ମଧ୍ୟ ଭରଣା କରାଯାଉ । ଆହୁରି ମଧ୍ୟ ହର୍ମୋଜ୍ ଷ୍ଟ୍ରେଟ୍ ଦେଇ ଯିବା ଆସିବା କରୁଥିବା ଜାହାଜ ଉପରେ ଇରାନ୍ ଟିକସ୍ ବସାଇବାକୁ ଚାହୁଁଛି । ଏପରିକି ଆମେରିକା ଲଗାଇଥିବା ସମସ୍ତ କଟକଣା ହଟାଇବାକୁ ତେହେରାନ ପକ୍ଷରୁ ଦାବି କରାଯାଇଛି ।

ସେହିପରି ଭବିଷ୍ୟତରେ ଇରାନ ବିରୋଧରେ ଯୁଦ୍ଧ ବନ୍ଦ ହେବା ସହ ଆଣବିକ ଏବଂ ମିସାଇଲ ଶକ୍ତି ପ୍ରତିଷ୍ଠା ଦିଗରେ ତେହେରାନ କାମ କରିବ ବୋଲି ଦାବି ରଖାଯାଇଛି । ତେବେ ଏସବୁ ଦାବି ଉପରେ ଟ୍ରମ୍ପ୍ ପ୍ରଶାସନ ଅସହମତି ପ୍ରକାଶ କରିଛନ୍ତି । ଏସବୁକୁ ଆମେରିକା ଅବାସ୍ତବ ବୋଲି କହିଛି ।

ଆମେରିକାର ୧୫ ପ୍ରସ୍ତାବ

ଆମେରିକା ପ୍ରସ୍ତାବ ଦେଇଛି ଯେ, ଇରାନ କୌଣସି ଆଣବିକ ଶକ୍ତିର ବିକାଶ କରିପାରିବ ନାହିଁ । ଇରାନ ପାଖରେ ଥିବା ୟୁରାନିୟମ ଭଣ୍ଡାର ଉପରେ ଆମେରିକାର ଅଧିକାର ରହିବ । ଇସ୍ରାଏଲର ଚ୍ୟାନେଲ୍ ୧୨ କହିଛି ଯେ, ଟ୍ରମ୍ପ୍ ଇରାନ ଉପରେ ଗୋଟିଏ ମାସର ଅସ୍ତ୍ର ବିରତ୍ତି ଘୋଷଣା କରିବାକୁ ଯାଉଛନ୍ତି । ନ୍ୟୁୟର୍କ ଟାଇମ୍ସ କହିଛି ଯେ, ଟ୍ରମ୍ପ୍ ସମୁଦ୍ରର ସୁରକ୍ଷା ଉପରେ ଅଧିକ ଫୋକସ କରୁଛନ୍ତି । ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଦେଇ ଜାହାଜ ଚଳାଚଳକୁ ଜୋର୍ ଦେଉଛନ୍ତି । ସେପଟେ ଇରାନ ମଧ୍ୟ ନିଜ ଉପରେ ଲାଗିଥିବା ସମସ୍ତ ପ୍ରତିବନ୍ଧକଙ୍କୁ ହଟାଇବାକୁ ଦାବି କରୁଛି । ତେବେ ଟ୍ରମ୍ପଙ୍କ ସମସ୍ତ ପ୍ରସ୍ତାବ ଉପରେ ଇସ୍ରାଏଲର ସହମତି ରହିଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ । କାରଣ ଟ୍ରମ୍ପଙ୍କ ଯୁଦ୍ଧ ବିରତି ଘୋଷଣା ପରେ ମଧ୍ୟ ଇସ୍ରାଏଲ ଲଗାତାର ଭାବେ ତେହେରାନକୁ ଟାର୍ଗେଟ୍ କରୁଛି ।

Also Read :-ଇରାନରେ ଓହ୍ଲାଇବେ ଆମେରିକାର ସବୁଠୁ ଘାତକ କମାଣ୍ଡୋ ! ମଧ୍ୟପ୍ରାଚ୍ୟକୁ ୧୦୦୦ ସୈନ୍ୟ ପଠାଇବେ ଟ୍ରମ୍ପ୍

ହ୍ୱାଇଟ୍ ହାଉସର ପ୍ରେସ୍ ସଚ୍ଚିବ କାରୋଲିନ୍ ଲିଭିଟ୍ କହିଛନ୍ତି ଯେ, କୁଟନୈତିକ ସ୍ତରରେ ଟ୍ରମ୍ପ୍ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ସାମରିକ ଲକ୍ଷ୍ୟ ହାସଲ ନହେବା ଯାଏଁ ଅପରେସନ ଏପିକ୍ ଫ୍ୟୁରି ଜାରି ରହିବ । ଅନ୍ୟ ଦିଗରେ ପାକିସ୍ତାନୀ ସେନା ମୁଖ୍ୟ ଅସିମ୍ ମୁନୀର ଇରାନ ସଂସଦର ସ୍ପିକରଙ୍କ ସହ ଆଲୋଚନା କରିଛନ୍ତି। ପାକିସ୍ତାନ ଉଭୟ ପକ୍ଷ (ଆମେରିକା-ଇରାନ) ମଧ୍ୟରେ ଶାନ୍ତି ଆଲୋଚନା କରିବାକୁ ପ୍ରସ୍ତୁତ ଥିବା ନେଇ ମୁନୀର୍ କହିଛନ୍ତି । ତେବେ ଏସବୁ ଉପରେ ଇରାନର ଆଭିମୁଖ୍ୟ ଏବେସୁଦ୍ଧା ଅସ୍ପଷ୍ଟ ରହିଛି ।