ତେଲୁଗୁ ସିନେମାର ମେଗାଷ୍ଟାର୍ ଚିରଞ୍ଜୀବୀଙ୍କୁ ହେଲା କ’ଣ? କାହିଁକି ଭାବୁକ ହେଲେ ସାଉଥ୍ର ଏହି ସୁପରଷ୍ଟାର୍? ନିଜ ଅତୀତକୁ ମନେପକାଇ ଆଖିରେ ଆସିଗଲା ଲୁହ। ମେଗାଷ୍ଟାର୍ଙ୍କ ଏହି ଭାବବିହ୍ୱଳ ପୋଷ୍ଟ୍ ଏବେ ତାଙ୍କ କୋଟି କୋଟି ପ୍ରଶଂସକଙ୍କୁ କରିଛି ଇମୋସନାଲ। ପରଦାରେ ସେ ଅଭିନୟ କଲେ ଦର୍ଶକ ମନ୍ତ୍ରମୁଗ୍ଧ ହୋଇ ଚାହିଁ ରହନ୍ତି ସେ କାନ୍ଦିଲେ, ତାଙ୍କ ସହ କାନ୍ଦନ୍ତି ଦର୍ଶକ… ଆଉ ଯେତେବେଳେ କଥା ଆସେ ଡାନ୍ସର, ତାଙ୍କ ଗୋଟିଏ ଷ୍ଟେପ୍ରେ ଦୁଲିକି ଉଠେ ପୂରା ସିନେମା ହଲ୍। ଆଉ ଏକାଠି ହୋଇ ଶୁଭେ ଗୋଟିଏ ସ୍ୱର—‘ଲଭ୍ ୟୁ ମେଗାଷ୍ଟାର୍!’

​​​​​​​

୪୮ ବର୍ଷ ପାଖାପାଖି ୫ ଦଶନ୍ଧିର ଏହି ଦୀର୍ଘ ଯାତ୍ରା। ଅସଂଖ୍ୟ ଚରିତ୍ର, ଅଗଣିତ ସଫଳତା, ଅନେକ ପୁରସ୍କାର ଆଉ କୋଟି କୋଟି ପ୍ରଶଂସକଙ୍କ ଭଲପାଇବା ଏହି ହେଉଛି ମେଗାଷ୍ଟାର୍ ଚିରଞ୍ଜୀବୀଙ୍କ ସିନେ ଯାତ୍ରା। ୧୯୭୮ ମସିହା ସେପ୍ଟେମ୍ବର ୨୨। ଫିଲ୍ମ ‘ପ୍ରଣାମ୍ ଖରୀଦୁ’ ଜରିଆରେ ସିନେମା ଦୁନିଆରେ ପାଦ ଥାପିଥିଲେ ଏହି ଅଭିନେତା। ସେତେବେଳେ ତାଙ୍କ ନାଁ ଥିଲା କୋନିଡେଲା ଶିବ ଶଙ୍କର ପ୍ରସାଦ। କିନ୍ତୁ ସିନେମା ପରଦାରେ ସେ ଗ୍ରହଣ କରିଥିବା ‘ଚିରଞ୍ଜୀବୀ’ ନାଁ ଆଜି ପାଲଟିଛି ତାଙ୍କର ପରିଚୟ।

ଆଉ ଏହି ୪୮ ବର୍ଷର ଯାତ୍ରାକୁ ମନେପକାଇ ଏବେ ଭାବବିହ୍ୱଳ ହୋଇଛନ୍ତି । ସୋସିଆଲ୍ ମିଡିଆ ପ୍ଲାଟଫର୍ମ ରେ ଏକ ଭାବପୂର୍ଣ୍ଣ ପୋଷ୍ଟ୍ ସେୟାର୍ କରି ଚିରଞ୍ଜୀବୀ ନିଜର ଏହି ଲମ୍ବା ଯାତ୍ରା ପାଇଁ ପ୍ରଶଂସକ, ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର ଓ ଟେକ୍ନିସିଆନ୍ମାନଙ୍କୁ ଜଣାଇଛନ୍ତି କୃତଜ୍ଞତା। ତାଙ୍କୁ ମିଳିଥିବା ପୁରସ୍କାର, ସମ୍ମାନ ଓ ବ୍ୟାବସାୟିକ ସଫଳତା ଅନେକ ହୋଇପାରେ… କିନ୍ତୁ ତାଙ୍କ ପ୍ରଶଂସକଙ୍କ ନିଃସ୍ୱାର୍ଥ ଭଲପାଇବା ହିଁ ତାଙ୍କ ପାଇଁ ସବୁଠାରୁ ବଡ଼ ଓ ମୂଲ୍ୟବାନ ବୋଲି କହିଛନ୍ତି ଚିରଞ୍ଜୀବୀ।

ଅଭିନୟ ହେଉ କି ଡାନ୍ସ… ଆକ୍ସନ୍ ହେଉ କି କମେଡି—ପ୍ରତ୍ୟେକ ଅବତାରରେ ଚିରଞ୍ଜୀବୀଙ୍କ ନିଜସ୍ୱ ଷ୍ଟାଇଲ୍ ରହିଛି। ୧୯୭୮ରେ ଯେଉଁ ନାଁ ସିନେମାରେ ପାଦ ଥାପିଥିଲା, ଆଜି ସେହି ନାଁ ପାଲଟିଛି ଏକ ବ୍ରାଣ୍ଡ୍। ଚିରଞ୍ଜୀବୀ ମାନେ କେବଳ ଜଣେ ଅଭିନେତା ନୁହେଁ, ତେଲୁଗୁ ସିନେମାର ଏକ ବଡ଼ ଅଧ୍ୟାୟ। ୪୮ ବର୍ଷର ଏହି ଯାତ୍ରା ଶେଷ ହୋଇନାହିଁ। କାରଣ ମେଗାଷ୍ଟାର୍ ଏବେ ବି ନୂଆ ପ୍ରୋଜେକ୍ଟ ସହ ଦର୍ଶକଙ୍କ ମନୋରଞ୍ଜନ ପାଇଁ ପ୍ରସ୍ତୁତ।