ଚୀନ ୦୪ /୦୪: ଚୀନରେ ପଡୋଶୀଙ୍କ ସହ ଝଗଡାର ଏକ ନିଆରା କାହାଣୀ ସାମ୍ନାକୁ ଆସିଛି । ୨ଜଣ ବ୍ୟକ୍ତି ପ୍ରତିଦିନ ୧୦ ଘଣ୍ଟା ଧରି ଲାଉଡସ୍ପିକରରେ ଭୂତ-ପ୍ରେତ କାହାଣୀ ବଜାଉଥିଲେ । ତାଙ୍କ ଉଦ୍ଦେଶ୍ୟ ବି ଅଜବ । ସେମାନେ ଚାହୁଁଥିଲେ ପଡୋଶୀ ଜଣକ ଏହି ଶବ୍ଦରେ ଭୟଭୀତ ହେବା ସହ ଚିନ୍ତିତ ହେବା ଦରକାର । ସେମାନେ ଏତେ ଚାଲାକ ଥିଲେ ଯେ ଏହି ଶବ୍ଦକୁ ଏକ ସୀମା ଭିତରେ ରଖୁଥିଲେ । ଯେମିତିକି ଆଇନଗତ କୌଣସି ସମସ୍ୟାରେ ପଡିବେନି ।ସାଉଥ ଚାଇନାର ଏକ ମିଡିଆ ରିପୋର୍ଟ ମୁତାବକ ଏହି ଭୂତ ପ୍ରେତ ରହସ୍ୟର ପର୍ଦ୍ଦାଫାଶ କରିଥିଲା ଚାଇନାର ନ୍ୟାୟ ମନ୍ତ୍ରାଳୟ । ଅଦାଲତ ଅଭିଯୋଗକାରୀଙ୍କ ପକ୍ଷ ନେଇ ରାୟ ଶୁଣାଇଥିଲେ । ଆଉ ଅଭିଯୁକ୍ତଙ୍କୁ ଆଦେଶ ଦେଲେ କି ସେ ତୁରନ୍ତ ଏପରି ବିବ୍ରତ କରୁଥିବା ଭୟାନକ ସାଉଣ୍ଡ ବଜାଇବା ବନ୍ଦ କରନ୍ତୁ ।

​​​​​​​

ପୁରା କାହାଣୀ କଣ ?

ଦକ୍ଷିଣ ଚୀନର ଗ୍ବାଙ୍ଗଡୋଙ୍ଗ ପ୍ରଦେଶର ଗ୍ବାଙ୍ଗଝୌରେ ଗୋଟିଏ ଘରେ ରହୁଥିଲେ ୨ ସାଙ୍ଗ ‘ଲୁ’ ଓ ‘ଲି’ । ସେମାନଙ୍କର ସବୁବେଳେ ପଡୋଶୀ ‘ଜି’ଙ୍କ ସହ ଝଗଡା ହେଉଥିଲା । ଉଭୟ ମିଶି ‘ଜି’ଙ୍କୁ ପାନେ ଦେବା କଥା ଚିନ୍ତା କଲେ । କିନ୍ତୁ ଏହି ପ୍ରତିଶୋଧ ବେଶ ଭୟଙ୍କର ଥିଲା । ସେମାନେ ନିଜର ଘର କାନ୍ଥରେ ଏକ ମ୍ୟୁଜିକ ସିଷ୍ଟମ ଲଗାଇଲେ । ଯେଉଥିରେ ଲାଉଡସ୍ପିକର ଲାଗିଥିଲା । ପ୍ରତିଦିନ ସକାଳ ୮ଟା୪୫ରୁ ମଧ୍ୟାହ୍ନ ଯାଏ ଓ ଅପରାହ୍ନ ୩ଟା ୩୦ରୁ ରାତି ୧୦ ଟା ଯାଏ ଭୂତ କାହାଣୀ ବଜାଉଥିଲେ । ସେ ଶବ୍ଦ ଏତେ ଭୟାନକ ଥିଲା ଯେ ପ୍ରଥମେ ପ୍ରଥମେ ସତ ଭୂତ ଭାବି ଭୟଭୀତ ହୋଇଯାଇଥିଲେ ‘ଜି’ । ପ୍ରତିଦିନ ପ୍ରାୟ ୧୦ ଘଣ୍ଟା ଏମିତି ଭାବରେ ଡରାଉଥିଲା ଭୂତ ।

ପଡୋଶୀଙ୍କ ସମସ୍ୟା

ଉଭୟଙ୍କ ଏପରି ଅବାନ୍ତର କାମ ପାଇଁ କେବଳ ‘ଜି’ ନୁହଁନ୍ତି ଉପର ମହଲାରେ ରହୁଥିବା ଅନ୍ୟ ପଡୋଶୀମାନେ ମଧ୍ୟ ପ୍ରଭାବିତ ହେଉଥିଲେ ।ଘରର ପରିବେଶ ଖରାପ ହେଉଥିଲା । ପିଲାମାନେ ପାଠ ପଢିପାରୁନଥିଲେ । କୁଇ ନାମକ ଜଣେ ପଡୋଶୀ ଯିଏ ୨ ମହଲା ଉପରେ ରହୁଥିଲେ ତାଙ୍କ ପୁଅ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲା । କିନ୍ତୁ ଦିନରାତି ଭୟଙ୍କର ଓ ବିବ୍ରତ କଲା ପରି ସ୍ବର ଶୁଣି ସେ ପାଠ ପଢି ପାରୁନଥିଲେ । ଶବ୍ଦ ଏତେ ଅଧିକ ନଥିଲା ଯେ ପୋଲିସ ଆକ୍ସନ ନେବ । ଯାହାର ଫାଇଦା ନେଉଥିଲେ ୨ ସାଙ୍ଗ ‘ଲୁ’ ଓ ‘ଲି’ ।

ସାଉଣ୍ଡକୁ ନେଇ ଚୀନର ନିୟମ

ଚୀନରେ ନିୟମ ମୁତାବକ ଦିନ ସମୟରେ ୬୦ ଡେସିବିଲ ଓ ରାତିରେ ୫୦ ଡେସିବିଲରୁ ଅଧିକ ସାଉଣ୍ଡ କରିପାରିବେନି । ତେବେ ‘ଲୁ’ ଓ ‘ଲି’ ବେଶ ଧୂର୍ତ୍ତ ଓ ଚତୁର ଥିଲେ । ଆଇନ ଫାଶରୁ ବଞ୍ଚିବାକୁ କରିଥିଲେ ବଡ ପ୍ଲାନ । ସେମାନେ ପ୍ରତିଦିନ ବଜାଉଥିବା ଶବ୍ଦର ତୀବ୍ରତା ୩୬ ଡେସିବିଲ ଥିବାରୁ ସେମାନଙ୍କ ବିରୋଧରେ କୌଣସି ଆକ୍ସନ ନେବା ସମ୍ଭବ ନଥିଲା ।

ସତ-ମିଛର ଭୂତ, କେମିତି ହେଲା ପର୍ଦ୍ଦାଫାଶ ?

‘ଲୁ’ ଓ ‘ଲି’ଙ୍କ ଏପରି ଅଜବ କାରନାମାରେ ସମସ୍ତେ ଅସନ୍ତୁଷ୍ଟ ଥିଲେ ମଧ୍ୟ କେହି କହିବାକୁ ସାହସ କରୁନଥିଲେ । ତେବେ କାହାକୁ ନଡରି ଆଗକୁ ବଢିଥିଲେ କୁଇ । ସେ ଆଇନର ଆଶ୍ରୟ ନେଇଥିଲେ । ପ୍ରକୃତରେ ଏପରି ପ୍ରଚଣ୍ଡ ଶବ୍ଦର ରହସ୍ୟ କଣ ? ଭୂତ ଅସଲି ନା ନକଲି ? ଏହାର ପର୍ଦ୍ଦାଫାଶ କରିଥିଲା ଚାଇନାର ନ୍ୟାୟ ମନ୍ତ୍ରାଳୟ ।ଉଭୟ ପକ୍ଷର କଥା ଶୁଣିଥିଲେ କୋର୍ଟ । ତା ପରେ ଅଦାଲତ ଅଭିଯୋଗକାରୀଙ୍କ ପକ୍ଷ ନେଇ ରାୟ ଶୁଣାଇଥିଲେ । ଆଉ ଅଭିଯୁକ୍ତ ୨ ସାଙ୍ଗ ‘ଲୁ’ ଓ ‘ଲି’କୁ ଆଦେଶ ଦେଲେ କି ସେ ତୁରନ୍ତ ଏପରି ବିବ୍ରତ କରୁଥିବା ଭୟାନକ ସାଉଣ୍ଡ ବଜାଇବା ବନ୍ଦ କରନ୍ତୁ । କୋର୍ଟର କର୍ମଚାରୀ ଅଭିଯୁକ୍ତଙ୍କ ଘରକୁ ଯାଇ ପ୍ରକୃତ ଘଟଣା କଣ ତଦାରଖ କରିଥିଲେ । କାନ୍ଥରେ ଲାଗିଥିବା ମ୍ୟୁଜିକ ସିଷ୍ଟମକୁ ହଟାଇ ଦେଇଥିଲେ । କୋର୍ଟର ନିର୍ଦ୍ଦେଶ ମୁତାବକ ଉଭୟ ଭବିଷ୍ୟତରେ ଏପରି ଭୁଲ ରିପିଟ ନକରିବାର ପ୍ରତିଶ୍ରୁତି ଦେଲେ ।

ସୋସିଆଲ ମିଡିଆରେ ଭାଇରାଲ

ତେବେ ସୋସିଆଲ ମିଡିଆରେ ଏ ଖବର ବେଶ ଭାଇରାଲ ହେବାକୁ ଲାଗିଲା ।ଲାଇକ ସବସ୍କ୍ରାଇବ ବଢିଲା । ସମସ୍ତେ ଏପରି ଅଜବ ପ୍ରତିଶୋଧକୁ ନେଇ ଲୋକେ ଚର୍ଚ୍ଚା ଆଲୋଚନା ବି କଲେ । ଅନେକ ପଜିଟିଭ ଓ ନେଗେଟିଭ କମେଣ୍ଟ ଆସିଲା । ସତରେ ପ୍ରତିଶୋଧ ବି ଏପରି ସ୍ତରକୁ ଯାଇପାରେ ।

Also Read:ପେଣ୍ଟାଗନ ପିଜ୍ଜା ଇଣ୍ଡେକ୍ସରେ ଅଚାନକ ବୃଦ୍ଧି, ଇରାନ ଉପରେ ବଡ଼ ଆକ୍ରମଣ ଯୋଜନା କରୁଛି କି ଆମେରିକା?