ନୂଆଦିଲ୍ଲୀ ୦୧।୦୫: ଚୀନର ଆର୍ଥିକ ସ୍ୱପ୍ନ ଏବେ ଦୁଃସ୍ୱପ୍ନରେ ରୂପାନ୍ତରିତ ହେଉଥିବା ଦେଖାଯାଉଛି । ୱାଲ୍ ଷ୍ଟ୍ରିଟ୍ ଜର୍ନାଲ (ଡବ୍ଲ୍ୟୁଏସ୍ଜେ) ପୂର୍ବରୁ ‘ହ୍ୱାଇଟ୍ କଲର୍’ ଚାକିରି ଉପରେ ବିପଦର ଚେତାବନୀ ଦେଇଥିଲା । ଏବେ ଚୀନର କମ୍ୟୁନିଷ୍ଟ ପାର୍ଟିର ଏକ ବଡ଼ ନିଷ୍ପତ୍ତି ଏହାକୁ ନିଶ୍ଚିତ କରିଛି । ସଦ୍ୟ ରିପୋର୍ଟ ଅନୁସାରେ, ଚୀନ୍ ସରକାର ନିକଟରେ ୨୦ କୋଟି ‘ଗିଗ୍ କର୍ମଚାରୀ’ଙ୍କ ପାଇଁ ନୂଆ ଶ୍ରମ ନିୟମ ଜାରି କରିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି, ସେଠାରେ ପାରମ୍ପରିକ ଚାକିରି ଏବେ ଇତିହାସ ହେବାରେ ଲାଗିଛି । ଚୀନର ସବୁଠୁ ବଡ଼ ପ୍ଲାଟଫର୍ମ ସିୟାନ୍ୟୁରେ ଏକ ଆଶ୍ଚର୍ଯ୍ୟଚକିତ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ଏହାକୁ ‘ଡୁ ଏନିଥିଙ୍ଗ’ (କିଛି ବି କର) ଅର୍ଥନୀତି କୁହାଯାଉଛି ।

ଏଠାରେ ଯୁବା ନିଜ ଡିଗ୍ରୀରେ ଡୋରି ବାନ୍ଧି ଏମିତି କାମ କରୁଛନ୍ତି, ଯାହା କଳ୍ପନା କରିବା ବି ମୁସ୍କିଲ । ଉଦାହରଣ ସ୍ୱରୂପ, ବିଳମ୍ବିତ ରାତି ଯାଏ ଲୋକଙ୍କ ସହ ଫୋନ୍ରେ କଥା ହେବା, ଯାହା ଦ୍ୱାରା ଧୋକା ଦେଉଥିବା ସେମାନଙ୍କ ସାଥୀକୁ ଧରିହେବ । ଅନ୍ୟର କୁକୁରକୁ ବୁଲାଇ ନେବା ଓ ଘରର ଆବର୍ଜନାକୁ ବାହାରେ ଫିଙ୍ଗିବା । ପିଲାଙ୍କୁ ସ୍କୁଲରୁ ଆଣିବା ଏବଂ ଲୋକଙ୍କ ଅଧ୍ୟୟନ ଅଭ୍ୟାସ ଉପରେ ନଜର ରଖିବା । ଏହି ସଙ୍କଟ ଏବେ କେବଳ ଯୁବାଙ୍କ ମଧ୍ୟରେ ସୀମିତ ନାହିଁ ।

ସାଉଥ୍ ଚାଇନା ମର୍ନିଂ ପୋଷ୍ଟ୍ ଓ ସୋସିଆଲ ମିଡିଆ ରିପୋର୍ଟ ଅନୁସାରେ, ଚୀନ୍ର ସମ୍ମାନିତ ଡାକ୍ତର ଓ ପେସାଦାର ବ୍ୟକ୍ତିଙ୍କ ଆୟରେ ୩୦-୪୦ ପ୍ରତିଶତ ହ୍ରାସ ହୋଇଛି । ଘର ଋଣ କିସ୍ତି ଦେବାକୁ ଏବଂ ପରିବାର ପ୍ରତିପାଳନ ନିମନ୍ତେ ଡାକ୍ତରମାନେ ଏବେ ନିଜର ଡ୍ୟୁଟି ପରେ ଫୁଡ୍ ଡେଲିଭରୀ କରିବାକୁ ବାଧ୍ୟ ହେଉଛନ୍ତି । ଯେଉଁ ‘ହ୍ୱାଇଟ୍ କଲର୍’ ଚାକିରି ଦିନେ ଚୀନ୍ର ଆର୍ଥିକ ଶକ୍ତି ଥିଲା, ଏବେ ସେଠାରେ ବୋନସ୍ରେ ବିଳମ୍ବ ଓ ଦରମା କାଟ ସାଧାରଣ କଥା ହୋଇଛି । ଚୀନ୍ର ସହରୀ କର୍ମଶକ୍ତିର ପ୍ରାୟ ୪୦ ପ୍ରତିଶତ (୨୦ କୋଟିରୁ ଅଧିକ ଲୋକ) ଏବେ ଫୁଡ୍ ଡେଲିଭରୀ ଓ ରାଇଡ୍-ହେଲିଙ୍ଗ୍ ଭଳି ଅସ୍ଥାୟୀ କାମ କରୁଛନ୍ତି ।

ଚୀନର ଶୀର୍ଷ ନେତୃତ୍ୱର ଭୟ ଯେ ଯଦି ଏମାନଙ୍କୁ ସୁରକ୍ଷା ଦିଆନଯାଏ, ତେବେ ଦେଶରେ ବଡ଼ ସାମାଜିକ ବିଦ୍ରୋହ ହୋଇପାରେ । ବିଶେଷଜ୍ଞ ଆଶଙ୍କା କରୁଛନ୍ତି, ଚୀନ୍ର ଏହି ସ୍ଥିତି ବୈଶ୍ୱିକ ‘ହ୍ୱାଇଟ୍ କଲର୍’ ଚାକିରିର ଅନ୍ତର ଆରମ୍ଭ ହୋଇପାରେ । ଭାରତ ଭଳି ଦେଶମାନଙ୍କ ପାଇଁ ଏହା ବଡ଼ ଚେତାବନୀ । କୌଶଳକୁ ସମୟ ଥାଉ ଥାଉ ନ ବଦଳାଇଲେ, ଡିଗ୍ରୀ ଖଣ୍ଡେ କାଗଜ ହୋଇ ରହିଯିବ ।

Also Read-ରାତି ଅଧିଆ ୧୫ ପାକିସ୍ତାନୀ କର୍ମଚାରୀଙ୍କୁ ତଡ଼ିଦେଲା ଏତିହାଦ୍ ଏୟାରଓ୍ୱେଜ୍ : ପାକିସ୍ତାନକୁ ଲୋନ୍ ଫେରସ୍ତ ମାଗିଲା UAE